ବାଲିଯାତ୍ରାରେ ବଡନୋଟ୍ ଅଚଳର ପ୍ରଭାବ : ବେପାର ନ ଥିବାରୁ ଚିନ୍ତାରେ ବାଲିଯାତ୍ରା ବ୍ୟବସାୟୀ

43

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଥାରେ ଅଛି “ବର୍ଷସାରା ଯାହା କିଣିବାକୁ ଚାହୁୁଁଥିବୁ ବାଲିଯାତ୍ରା ଆସିଲେ ସେ ସବୁ ପାଇଯିବୁ’ । ବର୍ଷରେ ଥରେ ଏହି ବାଲିଯାତ୍ରାରେ ଉଭୟ ବ୍ୟବସାୟୀ ଏବଂ ଗ୍ରାହକ ପରସ୍ପରକୁ ଭେଟନ୍ତି । ହେଲେ ପୂର୍ବ ବର୍ଷ ପରି ଏ ବର୍ଷ ବେପାର ନ ଥିବାରୁ ଚିନ୍ତାରେ ବାଲିଯାତ୍ରା ବ୍ୟବସାୟୀ । ଚଳିତ ଥର ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କା ନ ଚଳିବା ଝାମେଲା ଉଭୟ ବ୍ୟବସାୟ ଏବଂ ଗ୍ରାହକଙ୍କ ପାଇଁ ଅଡୁଆ ହୋଇଛି ।

ବାଲିଯାତ୍ରା ପଡିଆରେ ବହୁ ନାମୀଦାମୀ କଂପାନୀର ଷ୍ଟଲଧାଡିକୁ ଧାଡି ହୋଇ ରହିଛି । କିନ୍ତୁ ପୁରୁଣା ୫ଶହ ଓ ହଜାରେ ଟଙ୍କା ନୋଟକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଝାମେଲା ହେଉଛି। ଏକ ନାମୀ ମସଲା କଂପାନୀର ପରିଚାଳକ କହିବା କଥା ଯେ ଗତବର୍ଷ ତାଙ୍କ ଷ୍ଟଲରୁ ଏକ ସାଧାରଣ ପରିବାର ପାଂଚ ହଜାର ଟଙ୍କାଯାଏଁ ମସଲା କିଣନ୍ତି ।

କିନ୍ତୁ ଚଳିତ ବର୍ଷ ଏଟିଏମରୁ ଟଙ୍କା ଉଠାଣ ପାଇଁ ଥିବା କଟକଣା ଯୋଗୁଁ ମନଖୋଲା କିଣାକିଣି କରିପାରୁନାହାନ୍ତି ଲୋକେ । ହାତରେ ନୂଆ ଟଙ୍କା ନୋଟ୍ ନାହିଁ, ଇଚ୍ଛା ଥିଲେ ବି ଲୋକେ କିଣି ପାରୁନାହାଁନ୍ତି ।

ଚଳିତ ବାଲିଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବିବାଦ ଯୋଗୁଁ ଆଶା ଆଶଙ୍କାରେ ଥିଲେ ସମସ୍ତେ । ଏପଟେ ବାଲିଯାତ୍ରାର ଆୟୋଜନ ଆଶଙ୍କା ସାଙ୍ଗକୁ ପୁରୁଣା ନୋଟ୍ ଅଚଳ ପୁରା ଯାତ୍ରାର ବେପାରକୁ ମାନ୍ଦା କରିଦେଇଛି ।

ପୁରୁଣା ନୋଟ୍ ବନ୍ଦ ହେବାର ପ୍ରଭାବରୁ ମୁକୁଳି ପାରିନାହିଁ ବାଲିଯାତ୍ରାର ବେପାର । ଚଳିତ ବର୍ଷ ଆଶଙ୍କାରେ ଥିବା ଯାତ୍ରା ହୋଇଛି ସତ, କିନ୍ତୁ ମାନ୍ଦା ବେପାର ବ୍ୟବସାୟୀଙ୍କୁ ନିରାଶ କରିଛି ।