ବାଲିମେଳା ଜଳଭଣ୍ଡାରରୁ ପାଣି ଛାଡିବା ପ୍ରସଙ୍ଗ । ନିର୍ବାହୀ ଯନ୍ତ୍ରୀ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଉପଜିଲ୍ଲାପାଳ

51

କନକ ବ୍ୟୁରୋ : ବାଲିମେଳା ଜଳଭଣ୍ଡାରରୁ ଆନ୍ଧ୍ର ପାଣି ଶୋଷି ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଭୟ ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ପୋଟେରୁ ଜଳସେଚନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଆଇ.ପି.ସି ଧାରା ୧୩୩ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହବାକୁ ନୋଟିସ ଦେଇଛନ୍ତି ଉପ ଜିଲ୍ଲାପାଳ । କାହିଁକି ଉପରିସ୍ଥ ଅଧିକୀର କିମ୍ବା ଜିଲ୍ଲାପାଳ କି ଏସ.ପିଙ୍କୁ ନଜଣାଇ ୪୫ ବର୍ଷ ପୁରୁଣା ସ୍ଲୁଇସ ଗେଟ ଖୋଲା ଗଲା ଏବଂ ଏନେଇ କାହିଁକି ତଳ ମୁଣ୍ଡରେ ଥିବା ଲୋକଙ୍କୁ ଅବଗତ କରାଗଲା ନାହିଁ ବୋଲି ପ୍ରଶ୍ନ କରାଯାଇଛି । ଏଥିପାଇଁ ଜଳସମ୍ପଦ ବିଭାଗର ସଚିବ କିମ୍ବା ରାଜ୍ୟ ସ୍ତରୀୟ ଅଧିକାରୀଙ୍କୁ କାହିଁକି ଅବଗତ କରା ଗଲା ନାହିଁ ଏବଂ ୪୫ ବର୍ଷ ପୁରୁଣା ଟନେଲ ଖୋଲିବା ପୁର୍ବରୁ ଏହାର ବୈଷୟିକ ଦିଗ ପ୍ରତି କାହିଁକି ଧ୍ୟାନ ଦିଆ ଗଲା ନାହିଁ ବୋଲି ଏହାର ଉତର ମାଗିଛନ୍ତି ଉପଜିଲ୍ଲାପାଳ ।

ତୁରନ୍ତ ଏହାର ପ୍ରତିକାର ମୁଳକ ବ୍ୟବସ୍ଥା ଏବଂ ଉଚିତ ଜବାବ ଦିଆ ନ ଗଲେ ୧୩୩ ଧାରା ଅନୁଯାୟୀ ୬ ମାସ ଜେଲ ଦଣ୍ଡ ଭୋଗିବାର ପ୍ରାବଧାନ ରହି ଥିବା ଜଣା ପଡିଛି । ସେପଟେ ମାଛକୁଣ୍ଡ ଜଳଭଣ୍ଡାରରୁ ପାଣି ଛାଡିଛି ଆନ୍ଧ୍ରପ୍ରଦେଶ । ୨୨ଶହ କ୍ୟୁସେକ ବେଗରେ ବାଲିମେଳା ଜଳଭଣ୍ଡାରକୁ ପାଣି ଛଡାଗଲା । ୨୭ଟି ଏମସି ପାଣି ବାଲିମେଳା ଜଳଭଣ୍ଡାରକୁ ଆଣିବା ଲକ୍ଷ୍ୟ ରଖାଯାଇଛି ।