ପୂର୍ଣ୍ଣିମାରୁ କୁଆଖାଇ ନଦୀପଠାରେ ବାଲିଯାତ୍ରା ! ରାଜଧାନୀରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ପର୍ବ

106

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ କୁଆଖାଇ ନଦୀ ବାଲି ପଠାରେ ଅନଷ୍ଠିତ ହେବ ବାଲିଯାତ୍ରା । ଏଥିପାଇଁ ଅଣ୍ଟା ଭିଡ଼ିଥିବା ବରିମୁଣ୍ଡ ଗ୍ରାମ କମିଟିର ଶତାଧିକ ଯୁବକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗତକାଲି ଏହାକୁ ପରିଦର୍ଶନ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି ।  ଶନିବାର ସକାଳେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏକ ସ୍ୱତନ୍ତ୍ର ଟିମ୍‌ ସହ ବରିମୁଣ୍ଡ କୁଆଖାଇ ନଦୀ ପଠାକୁ ଯାଇ ବାଲିଯାତ୍ରା ପାଇଁ ନିର୍ଦ୍ଧାରିତ ସ୍ଥାନ ଦେଖିଥିଲେ ।

ରାଜଧାନୀର ସମସ୍ତ ବିଧାୟକ ଓ ମେୟର ମଧ୍ୟ ଏନେଇ ପୂର୍ବରୁ ସମ୍ମତି ପ୍ରଦାନ କରିଥିଲେ । କମିସନରେଟ୍‌ ପୁଲିସ୍‌ ଓ ଦମକଳ ବିଭାଗ ମଧ୍ୟ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ରାଜି ହୋଇଥିଲେ । ତେଣୁ ଜିଲ୍ଲାପାଳ ତଥା ପ୍ରଶାସନିକ ଅନୁମତି ମିଳିବା ପରେ ବରିମୁଣ୍ଡ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କମିଟିର ପ୍ରବକ୍ତା ଆଶୁତୋଷ ସାମନ୍ତରାୟଙ୍କ ସୂଚନା ଅନୁଯାୟୀ କୁଆଖାଇ ପଠାରେ ୫୦୦ଟି ଷ୍ଟଲ୍‌ ଖୋଲିବ । ଯେଉଁଥିରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‌ ଠାରୁ ଆରମ୍ଭ କରି ମନୋହରି ଦୋକାନ ଏବଂ ମୀନାବଜାର ରହିବ । ଫଳରେ ଆଖପାଖର ୫୦ରୁ ଅଧିକ ଗ୍ରାମବାସୀ ଓ ରାଜଧନୀବାସୀ ଏଠାକୁ ଆସି ମଜା ଉଠାଇପାରିବେ ।

କଟକରେ ଆରମ୍ଭ ହେଉଥିବା ବାଲିଯାତ୍ରା ଦିନ ବରିମୁଣ୍ଡରେ ମଧ୍ୟ ବାଲିଯାତ୍ରା ଆରମ୍ଭ ହେବ । ଏହାଛଡ଼ା କାର୍ତିକ ପୂର୍ଣ୍ଣିମା ଦିନ ବରିମୁଣ୍ଡ ଲକ୍ଷେଶ୍ୱର ମନ୍ଦିର ନଦୀପଠା ନିକଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ଏହି ସ୍ଥାନକୁ ଯୋଗଯୋଗ କରିବା ପାଇଁ ହଂସପାଳ ହାଇଟେକ୍‌ ଛକରୁ ପଠା ପର୍ଯ୍ୟନ୍ତ ରାସ୍ତାକୁ ଟ୍ରାଫିକ୍‌ ମୁକ୍ତ କରାଯିବ । ଏହା ସହିତ ପଡ଼ିଆ ନିକଟରେ ଗାଡ଼ିି ପାର୍କିଂ କରିବା ନେଇ ମଧ୍ୟ ବ୍ୟବସ୍ତା କରାଯିବ । ସେହିଭଳି ପଟିଆରୁ ବରିମୁଣ୍ଡକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଟ୍ରାଫିକ୍‌ ମୁକ୍ତ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।