କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଆରମ୍ଭ ! ମେଲିଛି ଖାଦ୍ୟର ପସରା, ୧୧ ଯାଏଁ ଚାଲିବ ଯାତ୍ରା

69

କନକ ବ୍ୟୁରୋ: ବାଲିରେ ବସିଲା ବିପଣୀ । ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ପୂଣ୍ଣିମା ଅବସରରେ ମହାନଦୀ ପଠାରେ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା ମହୋତ୍ସବ । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦଘାଟନ କରିଛନ୍ତି । ଏଥର ବାଲିଯାତ୍ରାରେ କଟକ ସଦର ତହସିଲ ପକ୍ଷରୁ ୯୨୩ ପ୍ଲଟ୍ ବିକ୍ରି ହୋଇଛି । ଯେଉଁଥିରୁ ୯୧୨ଟି ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ୧୧ଟି ଦୋଳି ରହିଛି । ଠୁଙ୍କାପୁରୀ, ଫାଷ୍ଟଫୁଡ୍ ସାଙ୍ଗକୁ ଚାଟ୍, ଗୁପଚୁପ୍ ଆଦି ଖାଦ୍ୟର ପସରା ମଧ୍ୟ ମେଲିଯାଇଛି । ପୁରୀରୁ ଆସିଥିବା ଓଟ ଓ ଘୋଡା ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ରହିଛନ୍ତି । ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଆଖିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇଛି କମିଶନରେଟ୍ ପୋଲିସ । ବାଲିଯାତ୍ରାର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୧ ତାରିଖ ଯାଏଁ ଚାଲିବ ଏହି ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପ୍ରାଥମିକ ଭାବେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବା ଥିବା ବେଳେ ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଗୋଟିଏ ଦିନ ବୃଦ୍ଧି କରାଗଲା ବୋଲି ଘୋଷଣା କରିଛନ୍ତି । ଅର୍ଥାତ ବାଲିଯାତ୍ରା ଆସନ୍ତା ୧୧ ତାରିଖ, ଶନିବାର ଦିନ ଶେଷ ହେବ। କିନ୍ତୁ ତା’ ପରଦିନ ରବିବାର ଥିବାରୁ ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ବ୍ୟବସାୟୀ ମହଲରେ ଦାବି ହେଉଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ବିପଣୀ ବାଲିଯାତ୍ରାର ମୂଳ ଲକ୍ଷ୍ୟ ନୁହେଁ । ବାଲିଯାତ୍ରା ଓଡ଼ିଶାର କଳା, ସଂସ୍କୃତି, ପ୍ରାଚୀନ ନୈବାଣିଜ୍ୟର ଗୌରବଗାଥା ବହନ କରୁଛି । ଏହା ଆମ ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଉତ୍ତରପିଢ଼ିକୁ ପ୍ରେରଣା ପ୍ରଦାନ କରୁଛି । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଥର ଦାବି ଉପସ୍ଥାପନ ହୋଇଥିଲେ ବି ତାହା ଗ୍ରହଣ କରାଯାଉ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।

ତେବେ ଚଳିତ ବର୍ଷ ବାଲିଯାତ୍ରାରେ ୩୬ଟି ସରକାରୀ ଓ ୮୭୬ ବେସରକାରୀ ଷ୍ଟଲ୍ ଖୋଲିଛି । ଓରମାସ ଭିତରେ ୪ଶହ ଷ୍ଟଲ୍ ଖୋଲିଛି । ପଲ୍ଲିଶ୍ରୀ ମେଳା, ଗାନ୍ଧିଶୀଳ୍ପ ବଜାର, ଭିନ୍ନକ୍ଷମ, କିନ୍ନରଙ୍କ ପ୍ରସ୍ତୁତ ସାମଗ୍ରୀ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଛି । ସୁରକ୍ଷା ବ୍ୟବସ୍ଥାରେ ୫୪ ପ୍ଲାଟୁନ୍ ଫୋର୍ସ, ୩୦୦ରୁ ଅଧିକ ଅଧିକାରୀ ଏବଂ ୧୮୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ପଡିଆରେ ମୁତୟନ ଅଛନ୍ତି ।