ଏମ୍ସରେ ବଳିଆର ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତାରେ ଡାକ୍ତର ! ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଫିଟସ କାରଣରୁ ଶୋଇରହୁଛି ବଳିଆ, ଜଗା ସ୍ୱାସ୍ଥ୍ୟବସ୍ଥାରେ ସନ୍ତୋଷଜନକ ଉନ୍ନତି

22

କନକ ବ୍ୟୁରୋ: ଏମ୍ସରେ ବଳିଆର ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତାରେ ଡାକ୍ତର । ଜଗା ବଳିଆର ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିକ୍ର୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଜଗାର ସ୍ୱାସ୍ଥ୍ୟବସ୍ଥାରେ ସନ୍ତୋଷଜନକ ଉନ୍ନତି ହୋଇଥିବା ବେଳେ ବଳିଆ ପୂର୍ବ ଅବସ୍ଥାରେ ଥିବା କହିଛନ୍ତି ପ୍ରତାପ ଜେନା । ବଳିଆର ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ । ବାଳିଆକୁ ଫିଟସ ମାରୁଥିବାରୁ ମେଡିସିନ ଦିଆଯାଉଛି । ମେଡିସିନ ଯୋଗୁଁ ସେ ଅଧିକ ସମୟ ଶୋଇ ରହୁଥିବା ଡାକ୍ତର କହିଛନ୍ତି । ଯାହା ବି ସହାୟତା ଦରକାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ଯୋଡାମୁଣ୍ଡ ଥିବା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ବେଳେ ବଳିଆର ସ୍ୱାସ୍ଥ୍ୟ ବସ୍ଥାରେ ସୁଧାର ଆସିବା ପାଇଁ ଅଧ୍ଖଳ ସମୟ ଲାଗୁଛି । ଏହାପୂର୍ବରୁ ଜଗା ବଲ୍ ଖେଳିବା ସହ ନିଜ ହାତରେ ବିସ୍କୁଟ ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ବେଶ ଜଟିଲ ଥିଲା । କାରଣ ଏଥିରେ ଲାଗିରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍ ଗଠନ କରାଯାଇଥିଲା ।

ଏଥିରେ ନିଶ୍ଚେତକ, ହୃଦ୍ବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ । ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ୨୫ ଘଂଟା ଧରି ଚାଲିଥିଲା ଏହି ଅପରେସନ । ତା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ ।