ବାଲେଶ୍ୱର ପୂର୍ତବିଭାଗରେ ସରକାରୀ ତହବିଲରୁ ଚାଲିଛି ହରିଲୁଟ୍ : ଖତ ଖାଉଛି ଗାଡି, ପୋଷା ହେଉଛନ୍ତି ଡ୍ରାଇଭର

34

ବାଲେଶ୍ୱର : ଗ୍ୟାରେଜରେ ଖତ ଖାଉଛି ସରକାରୀ ଗାଡି, ହେଲେ ବାବୁ ବୁଲୁଛନ୍ତି ଭଡା ଗାଡିରେ । ଆଉ ସରକାରୀ ଅଧିକାରୀଙ୍କ ଏ ଭଡାଗାଡି ପ୍ରୀତି ସୁହାଇଛି ଡ୍ରାଇଭରଙ୍କୁ । ଅଫିସରେ ବସିବସି ଦରମା ନେଉଛନ୍ତି ଡ୍ରାଇଭର । ସେପଟେ ହାୟର ଗାଡି ପାଇଁ ଅର୍ଥ ବି ଶ୍ରାଦ୍ଧ ହେଉଛି । ବାଲେଶ୍ୱର ପୂର୍ତ ବିଭାଗର ଏ ଅଜବ ନୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସରକାରକା ମାଲ ଦରିଆମେ ଡାଲ । ଗାଡ଼ି ଅଛି, ଡ୍ରାଇଭର ବି ଅଛନ୍ତି ହେଲେ ବାବୁମାନେ ଚଢ଼ୁଛନ୍ତି ଭଡ଼ା ଗାଡ଼ି । ସାରା ରାଜ୍ୟରେ ଏଭଳି ଚିତ୍ର । ହେଲେ ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ପରି ଏ ବାଲେଶ୍ୱର ପୂର୍ତ ବିଭାଗର କଥା । ଏ କାର୍ଯ୍ୟାଳୟରେ ଅଛନ୍ତି ୨ଜଣ ସ୍ଥାୟୀ ଡ୍ରାଇଭର । ଦରମା ବାବଦକୁ ସରକାରୀ ତହବିଲରୁ ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସରକାରୀ କ୍ୱାଟର ବି ପାଇଛନ୍ତି । ହେଲେ କାମ କିଛି ନାହିଁ । କାରଣ ଉପରିସ୍ଥ ଅଧିକାରୀ ସରକାରୀ ଗାଡି ଛାଡି, ଭଡା ଗାଡି ଚଢୁଛନ୍ତି ।

ଦୁଇଜଣ ଡ୍ରାଇଭର ଫିରୋଜ ଖାନ୍ ଓ ପ୍ରଫୁଲ୍ଳ ନାୟକଙ୍କୁ ଭୁବନେଶ୍ୱର ବଦଳି କରିବା ପାଇଁ ଗତବର୍ଷ ଅଗଷ୍ଟ ମାସରୁ ଚିଠି ହୋଇଛି । ହେଲେ ବାଲେଶ୍ୱର ଛାଡୁ ନାହାନ୍ତି ଡ୍ରାଇଭର । ଅବଶ୍ୟ କର୍ମଚାରୀ ଅଭାବରୁ ଫିରୋଜ ଖାନ୍ ବାଲେଶ୍ୱରରୁ ଭୁବନେଶ୍ୱର ବିଭାଗୀୟ ଡାକ ନେବା ଆଣିବା କରୁଥିଲେ କିନ୍ତୁ ଏବେ ବେକାର ବସୁଛନ୍ତି । ପ୍ରତିଦିନ ଅଫିସ ଆସି ଉପସ୍ଥାନ ପକାଇବା ପରେ କାମ ନଥିବାରୁ ଘରକୁ ଚାଲିଯାଉଛନ୍ତି । ଏପଟେ ଭଲ ଅବସ୍ଥାରେ ଥିବା ସତ୍ୱେ ବିଭାଗର ଗାଡିଗୁଡିକ ଗ୍ୟାରେଜରେ ଖତ ଖାଉଛି।

ସରକାରୀ ଗାଡି ଖତ ଖାଉଛି, ଆଉ ଅଫିସର ଚଢୁଛନ୍ତି ଭଡା ଗାଡି । ବାଲେଶ୍ୱର ପୂର୍ତ ବିଭାଗରେ ଖାଲି ପଡିଛି କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ । ବାରିପଦାର ଅଧିକାରୀ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଅଫିସର ସବୁବେଳେ ଉପସ୍ଥିତ ରହୁନଥିବାରୁ କାମ ବାଧାପ୍ରାପ୍ତ ହେଉଛି । ତେଣୁ କର୍ମଚାରୀ କଣ କାମ କଲେ ନକଲେ ଦେଖିବାକୁ ବେଳ କାହିଁ । ଜିଲ୍ଲାରେ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏ ଅବସ୍ଥା।