ଦଶହରାରେ ନିଆରା ‘କରମା ପୂଜା’ । ସିମୁଳିଆ ବଣା ଗାଁରେ ନିଆରା ଢଙ୍ଗରେ ଶିବପାର୍ବତୀଙ୍କୁ ପୂଜା କଲେ ଆଦିବାସୀ

144

କନକ ବ୍ୟୁରୋ: ଆଦିବାସୀ କହିଲେ ସରଳ ସାଧାରଣ ଜନଜାତିଙ୍କୁ ବୁଝାଏ । ସେମାନଙ୍କ ଚଳଣି ଖୁବ୍ ସରଳ । ପ୍ରତ୍ୟେକ ପୂଜା ପାର୍ବଣରେ ନୂଆ ଲୁଗା ସହିତ ନାଚଗୀତ କରି ଜୀବନକୁ ଉପଭୋଗ କରନ୍ତି ଏମାନେ । ଏବେ ଆଧୁନିକତାର ପ୍ରଭାବରେ ଆଦିବାସୀଙ୍କ ଜୀବନଧାରାରେ ପରିବର୍ତନ ଘଟିଛି । ପ୍ରଭାବିତ ହୋଇଛି ସେମାନଙ୍କ ସଂସ୍କୃତି, ନୃତ୍ୟ, ଗୀତ । ବାଲେଶ୍ୱର ସିମୁଳିଆ ବ୍ଲକ୍ ବଣାଗାଁରେ ଆଦିବାସୀ ଲୋକ ଦଶହରା ପର୍ବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ରଙ୍ଗବେରଙ୍ଗରେ ପୋଷାକ ପିନ୍ଧି ନୃତ୍ୟ ପରିବେଷଣ କରି ଆଦିବାସୀ ସଂପ୍ରଦାୟର ଲୋକ କରମା ପୂଜା କରିଛନ୍ତି । ଯାହାକି ଶିବପାର୍ବତୀର ପୂଜା ଭଳି କୁହାଯାଏ ।

୧୦୦ ବର୍ଷରୁ ଉର୍ଦ୍ଧ ହେବ ଆଦିବାସୀ ଲୋକମାନେ ବିଜୟାଦଶମୀ ଦିନ ପରିବାରର ମଙ୍ଗଳ ପାଇଁ କରମା ପୂଜା କରିଥାନ୍ତି । କରମା ମାନେ ଶିବ ଓ ଧର୍ମାମାନେ ପାର୍ବତୀ । ଶିବରାତ୍ରୀ ଭଳି ଏହି କର୍ମା ପୂଜାରେ ଆଦିବାସୀ ସଂପ୍ରଦାୟର ଲୋକମାନେ ଉପବାସ ରହି ପୂଜାର୍ଚ୍ଚନା କରନ୍ତି । ସାରା ରାତି ନାଚଗୀତରେ ମସଗୁଲ୍ ରହିଥାନ୍ତି । ବାଲିରେ ମୁଗ ପକାଇ ଗଜା କରିବା ପରେ କଇଁଫୁଲ ନାଡ ପୋତି ପୂଜା କରିଆନ୍ତିି ।

ବଣା ଗାଁର ଆଦିବାସୀ ମଣିଷଙ୍କ କହିବା ଅନୁଯାଇ ବନ୍ଧୁବାନ୍ଧବ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥାଆନ୍ତି । ଖାଦ୍ୟ ପାଇଁ ବିଶେଷ କରି ହାଣ୍ଡିଆ ସହିତ ଖଟା, କଂଚାଲଙ୍କା, ରସୁଣରେ ନିର୍ମିତ •ଖଣାର ପରିବେଶଷ କରାଯାଏ । ଏହି ଖାଦ୍ୟ ଖାଇ ଖୁସିରେ ରାତିସାରା ନାଚଗୀତରେ ମସ୍ଗୁଲ ରହିଥାଆନ୍ତି । ବିଜୟାଦଶମୀ ପରଦିନ ପୂଜା ହୋଇଥିବା କରମା ଠାକୁରଙ୍କୁ ବିଷର୍ଜନ କରାଯାଏ । ବିଷର୍ଜନ ବେଳେ ସେହିଭଳି ନାଚଗୀତ ଆସର ଦେଖିବାକୁ ମିଳେ ।ଆଦିବାସୀମାନେ ଏହି ପର୍ବକୁ ସବୁଠାରୁ ବଡ଼ ପର୍ବ ବୋଲି ମାନନ୍ତି । ପିଲାଠୁ ବୁଢା ଯାଏଁ ସମସ୍ତେ ହାତ ଧରାଧରି ହୋଇ ଢ଼ୋଲ ଓ ମାଦଳର ତାଳେ ତାଳେ ୩ ଦିନ ଯାଏଁ ନାଚିଥାନ୍ତି ।