ଡାକ୍ତରଙ୍କ ଭୁଲ ମାରିଦେଲା ଗରୀବ ମେଧାବୀ ଛାତ୍ରର ସ୍ୱପ୍ନ ! ଭୁଲ ଇଂଜେକସନରୁ କହୁଣୀରୁ ପାପୁଲି ଯାଏଁ କଟାହେଲା ମାଂସ

32

କନକ ବ୍ୟୁରୋ : ଭୁଲ ଇଂଜେକସନ ଯୋଗୁ ଅଚଳ ହୋଇଗଲା ଛାତ୍ରଙ୍କ ହାତ । ଅଧାରେ ରହିଗଲା ସ୍ୱପ୍ନ । ପୁଲିସ ବିଭାଗରେ ଚାକିରି କରିବାକୁ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଆବେଦନ କରିଥିବା ଯୁକ୍ତ ୩ ବର୍ଷର ଏହି ଛାତ୍ର ଜଣକ ଏବେ ମେଡିକାଲ ବେଡରେ ଶୋଇ ରହି ନିଜ ଭବିଷ୍ୟତ ନେଇ ଚିନ୍ତାରେ ପଡିଯାଇଛନ୍ତି ।

ଜଣେ ଗରିବୀ ମେଧାବୀ ଛାତ୍ର ପାଇଁ କାଳ ହୋଇଛି ଭୁଲ ଇଂଜେକସନ । ବାଲେଶ୍ୱର ସିମୁଳିଆ ଥାନା କଳସପୁର ଅଂଚଳର ତାପସ ନାୟକ ନିଜ ମାମୁ ଘରେ ଭଦ୍ରକରେ ରହି ପାଠ ପଢୁଥିଲେ । ଗତ ରବିବାର ଡାଇରିଆ ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଭୁଲ ଇଂଜେକସନ ଯୋଗୁଁ ହଠାତ ତାପସଙ୍କ ହାତ ବଢିଯାଇଥିଲା । ଏହା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମେଡିକାଲରେ ତାଙ୍କ ହାତ କାଟିବାକୁ କହିବା ପରେ ପରିବାର ଲୋକେ ଏକ ଘରୋଇ ନସିଂହୋମରେ ଭର୍ତ୍ତି କରାଇଥିଲେ ।

ଏବେ ତାପସଙ୍କ ବାମ ହାତର କହୁଣୀଠାରୁ ପାପୁଲି ଯାଏ ମାଂସ କଟାଯାଇଥିବା ବେଳେ ହାତଟି ସଂପୂର୍ଣ୍ଣ ଅକାମୀ ହୋଇପଡିଛି । ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଜଣେ ଗରିବ ମେଧାବୀ ଛାତ୍ରର ସ୍ୱପ୍ନ ଭାଙ୍ଗିଗଲା । ଯୁକ୍ତ ୩ରେ ପାଠ ପଢୁଥିବା ବାପା ଛେଉଣ୍ଡ ଗରିବ ପରିବାରର ଏହି ମେଧାବୀ ଛାତ୍ର ଜଣକ ନିଜ ଭବିଷ୍ୟତ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏହି ଘଟଣାରେ ପରିବାର ଲୋକ ଭଦ୍ରକଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଡାକ୍ତର ଓ ନର୍ସଙ୍କ ଖାମଖିଆଲ ଯାଗୁଁ ଜଣେ ମେଧାବୀ ଛାତ୍ରର ସ୍ୱପ୍ନ ଅଧାରେ ରହିଗଲା । ତୁରନ୍ତ ଘଟଣାର ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ଆବେଦନ କରିଛନ୍ତି ।