ଅନ୍ଧାରରେ ‘ଉଜ୍ଜଳା’ ଯୋଜନା : ଗ୍ୟାସର ଅହେତୁକ ଦରବୃଦ୍ଧି ଯୋଗୁଁ ସିଲିଣ୍ଡର ଭରି ନପାରି ଚୁଲିକୁ ଫେରିଲେ ଗୃହିଣୀ

253

କନକ ବ୍ୟୁରୋ : ମହିଳାମାନେ ଭଲରେ ରୋଷେଇ କରିବେ ଧୂଳି, ଧୁଆଁରେ ହନ୍ତସନ୍ତ ହୋଇ ଆଉ ଆଖିରୁ ଲୁହ ଗଡାଇବେ ନାହିଁ , ସେଥିପାଇଁ କେନ୍ଦ୍ର ସରକାର ଅରମ୍ଭ କଲେ ପ୍ରଧାନ ମନ୍ତ୍ରୀ ‘ଉଜ୍ଜଳା’ ଯୋଜନା । ଏହି ଯୋଜନାରେ ଘରେ ଘରେ ଗ୍ୟାସ୍ ଯୋଗାଇ ଦିଆଯାଇଛି ସତ ରୋଷେଇ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଉଜ୍ଜଳା ଯୋଜନାର ଲାଭ ପାଇପାରୁନାହାନ୍ତି ଗରିବ ହିତାଧିକାରୀ । ଫଳରେ ପୁଣି ସେହି କାଠ ଚୁଲିକୁ ଆପଣେଇଛନ୍ତି ଗୃହିଣୀ ।

ଘରେ ଗ୍ୟାସ ଟାଙ୍କି ଅଛି, ଚୁଲା ବି ଅଛି । ହେଲେ ଘରର ଗୋଟିଏ କଣରେ ଟାଙ୍କି ଉପରେ ଚୁଲାକୁ ରଖି ପୁଣି କାଠ ଚୁଲିକୁ ଫେରିଛନ୍ତି ଗୃହିଣୀ । ରୋଷେଇ ଗ୍ୟାସର ଅହେତୁକ ଦରବୃଦ୍ଧି ଯୋଗୁଁ ଧୂଳି ଧୁଆଁ କାଠ ଚୁଲିକୁ ଫେରିଛନ୍ତି ବାଲେଶ୍ୱର ବାଲିଆପାଳ ବ୍ଲକ ସୁନାରୋହି ଗାଁର ମହିଳା । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବାଲିଆପାଳ ବ୍ଲକରେ ପ୍ରାୟ ୯୦ ପ୍ରତିଶତ ଘରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ହେଲେ ଲୋକେ ପ୍ରଥମ ଥର ଗ୍ୟାସ ବ୍ୟବହାର କରିସାରିବା ପରେ ଦରବୃଦ୍ଧି ଯୋଗୁଁ ରିଫିଲ ଫିଲିଙ୍ଗ କରିନପାରି ଡଷ୍ଟବିନରେ ଫିଙ୍ଗିିବା ପରି ଘରକଣରେ ରଖିଦେଇଛନ୍ତି ।

କେନ୍ଦ୍ର ସରକାର ମହିଳାଙ୍କ ଆଖିରୁ ଲୁହ ପୋଛିବା ପାଇଁ ସବସିଡରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ଦେଲେ ସତ, କିନ୍ତୁ ଗାଁ ଗହଳିର ଗରିବ ହିତାଧିକାରି ଏଥିରୁ ଉପକୃତ ହୋଇ ପାରିଲେ ନାହିଁ । ଗ୍ୟାସ୍ ଦର ବୃଦ୍ଧି ଏହାର ପ୍ରତିବନ୍ଧକ ସାଜିଛି । ସେପଟେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଏକ ସର୍ଭେରୁ ଜଣାପଡିଥିବା କହିଛନ୍ତି କହିଛନ୍ତି ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା ।

ମାତ୍ର ମାସ କେଇଟା ପରେ ଅନ୍ଧାର ହୋଇଗଲା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା । ମାସେ ଦୁଇମାସେ ଧୂଳି ଧୂଆଁରୁ ଦୂରେଇ ଗ୍ୟାସରେ ରୋଷେଇ କରିଥିବା ମହିଳା ପୁଣି ଚୁଲିରେ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି ।