ନିୟମ ଭାଙ୍ଗିଲେ ଶିକ୍ଷକ ! ଦଣ୍ଡ ମୁକ୍ତ ଅଂଚଳରେ ଦେଲେ ସାଂଘାତିକ ଦଣ୍ଡ

44

କନକ ବ୍ୟୁରୋ : ଶିକ୍ଷକଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ହିନ୍ଦି ଶିକ୍ଷକଙ୍କ ମାଡରେ ମେରୁଦଣ୍ଡରେ ଆହତ ହୋଇ ଗୁରୁତର ଅବସ୍ଥାରେ ପଡିରହିଛନ୍ତି ଛାତ୍ରୀ । ଏହି ପରି ଏକ ସମ୍ବେଦନଶୀଳ ଖବର ଆସିଛି ବାଲେଶ୍ୱର ବସ୍ତା ବ୍ଲକ ସାହାଡା ଉଚ୍ଚ ବିଦ୍ୟାଳୟରୁ । ଆରପଟେ ଅଭିଯୋଗ ହୋଇଥିଲେ ମଧ୍ୟ ନୀରବ ରହିଛି ପୋଲିସ । ଏହା ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଛି ପ୍ରଶ୍ନ ।

ଗତ ୮ ତାରିଖ ଦିନ ନବମ ଶ୍ରେଣୀ ଛାତ୍ରୀ କମଳା ଶତପଥୀଙ୍କୁ କୈାଣସି କାରଣରୁ ମାଡ ମାରିଥିଲେ ଶିକ୍ଷକ । ଫଳରେ କମଳାଙ୍କ ମେରୁଦଣ୍ଡରେ ଲାଗିଥିଲା ଶକ୍ତ ଆଘାତ । ପରେ ଜଣାପଡିଥିଲା କମଳାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।

ନ୍ୟାୟ ପାଇଁ ପ୍ରଥମେ କମଳାଙ୍କ ବାପା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଭାବେ ଜଣାଇବା ସହ ନ୍ୟାୟ ମାଗିଥିଲେ । ହେଲେ ବିଡମ୍ବନାର କଥା, ପ୍ରଧାନଶିକ୍ଷକ ମଧ୍ୟ ଘଟଣାକୁ ହାଲକା ଭାବେ ନେଲେ । ଫଳରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ କମଳାଙ୍କ ବାପା । ଏଠି ବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ମାମଲା ରୁଜ୍ଜୁ କରିବା ବଦଳରେ ଆପୋଷ ବୁଝାମଣା କରାଇବାକୁ ପରାମର୍ଶ ଦେଇଥିଲା ପୋଲିସ । ଯାହା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଥା ଏତିକିରେ ସୀମିତ ରହିଲାନି, ବରଂ ମାମଲାକୁ ରଫାଦଫ କରିବାକୁ ଚାପ ମଧ୍ୟ ପଡିଲା କମଳାଙ୍କ ବାପାଙ୍କ ଉପରେ । ଚିକିତ୍ସା ପାଇଁ ଅର୍ଥ ଦେବାକୁ ପ୍ରତିଶ୍ରୁତି ଦେଇ ଭଣ୍ଡେଇବାକୁ ଉଦ୍ୟମ କଲେ । ସୂଚନା ଅନୁସାରେ ଏଯାବତ୍ ଟଙ୍କାଟିଏ ମିଳିନି ପୀଡିତା ଛାତ୍ରୀଙ୍କୁ

ସମ୍ବେଦନଶୀଳ ଘଟଣାକୁ ପୋଲିସ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେବା ବଦଳରେ ରଫାଦଫା କରିବାକୁ ଉଦ୍ୟମ କରିବାକୁ ସବୁ ମହଲରେ ନିନ୍ଦା କରାଯାଇଛି । ପ୍ରଶ୍ନ ଉଠୁଛି :

– ମାମଲା ରୁଜ୍ଜୁ ନକରି ରଫାଦଫା କରିବାକୁ ପୋଲିସ କାହିଁକି ଉଦ୍ୟମ କରୁଛି?
– ଦଣ୍ଡମୁକ୍ତ ଅଂଚଳରେ କାହିଁକି ଦିଆଗଲା ଦଣ୍ଡ?
– ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?
– ସ୍ଥାନୀୟ ରାଜନୀତି କାହିଁକି ଏଥିରେ ପ୍ରବେଶ କରୁଛି?