ବାଲେଶ୍ୱରର ତାମୁଳିଆ ଓଭରବ୍ରିଜ୍ ନେଇ ରାଜନୀତି । ବିଜେପି କହିଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିର୍ମିତ ହୋଇଛି ପୋଲ

212

କନକ ବ୍ୟୁରୋ: ବାଲେଶ୍ୱରର ତାମୁଳିଆ ଓଭରବ୍ରିଜକୁ ନେଇ ଦେଖାଦେଇଛି ବିବାଦ । ଆଜି ଏହି ଓଭରବ୍ରିଜ ଉଦଘାଟିତ ହେବାର ଅଛି । ଏହି ଓଭରବ୍ରିଜ ତିଆରିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଦାନ ରହିଛି । ତେବେ ଏହି ଉତ୍ସବରେ କେନ୍ଦ୍ରର ନାଁ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ବିଜେପି କହିଛି, ଉଦଘାଟନୀ ଉତ୍ସବରେ କୌଣସି କେନ୍ଦ୍ରୀୟ ଅଧିକାରୀଙ୍କୁ ଡକାଯାଇଛି ନା କେନ୍ଦ୍ରର ଭାଗିଦାରୀ ସମ୍ପର୍କରେ ଜଣାଯାଇଛି । ଏହାକୁ ସମାଲୋଚନା କରିଛି ବିଜେପି କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି । ଦଳ କହିଛି, ୟୁପିଏ ସରକାର ସମୟରେ ଏଥିପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା । କିନ୍ତୁ ବିଜେଡି ଏହାକୁ ହାଇଜ୍ୟାକ କରିଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ । ଏ ଅବସରରେ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ସହଭାଗିତାରେ ଏହି ସୁବର୍ଣ୍ଣରେଖା ବନ୍ଦର ସ୍ଥାପିତ ହେବାକୁ ଯାଉଛି । ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିର୍ିତ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ । ବାର୍ଷିକ ଏହାର ୨୫ରୁ ୫୫ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ ହୋଇଛି । ଏହାଯୋଗୁଁ ୧୨ ହଜାର ନିଯୁକ୍ତି ମିଳିବ । ବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧନ କରିବେ । ଏହାଛଡ଼ା ଅନ୍ୟ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି ।