ବାଲେଶ୍ୱର ରାଜନୀତିରେ ପ୍ରବେଶ କଲେ ପିସିସି ସଭାପତିଙ୍କ ପୁଅ । ଅଭିଜ୍ଞ ରାଜନେତାଙ୍କୁ ଚେକ୍ ଦେଇପାରିବେ କି ନୂଆ ଚେହେରା ?

ରବୀନ୍ଦ୍ରଙ୍କ ବିଜୟ ରାସ୍ତା ରୋକିବାକୁ ବିରୋଧୀ ପ୍ରସ୍ତୁତ, ପୁରୁଖା ନେତାଙ୍କ ହାତରେ ବିଜେପିର ଭାଗ୍ୟ, କମାଲ କରିବେ କି ପିସିସି ସଭାପତିଙ୍କ ପୁଅ ?

265

କନକ ବ୍ୟୁରୋ: ଏଥର ବାଲେଶ୍ୱର ଲୋକସଭା ଆସନରେ ହେବ ବିଗ୍ ଫାଇଟ୍ । କାରଣ ଆଜି ବାଲେଶ୍ୱର ପାଇଁ କାର୍ଡ ଖୋଲିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ନିର୍ବାଚନୀ ମୈଦାନ ପାଇଁ ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ହାତ ଦଳରୁ ଶ୍ରୀକାନ୍ତ ବିଦା ହେବା ପରେ କିଏ ଲଢିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଆଜି ଏହାଉପରୁ ପରଦା ଉଠିଛି ଆଉ ନିରଞ୍ଜନଙ୍କ ପୁତ୍ର ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ଲଢିବେ ବୋଲି ଘୋଷଣା ହୋଇଛି । ବର୍ତ୍ତମାନ ନବଜ୍ୟୋତି ମଧ୍ୟ ବାଲେଶ୍ୱରରେ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ବଳ କଷିବା ଆରମ୍ଭ କରିଦେଇଛନ୍ତି ।

ସେପଟେ ବିଜେଡି ମଧ୍ୟ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପୁଣିଥରେ ବାଲେଶ୍ୱର ମଙ୍ଗ ଧାରାଇଛି । ଅନେକ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରବୀନ୍ଦ୍ରଙ୍କୁ ପୁଣି ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତି ନିର୍ବାଚନରେ ବଦଳୁଥିବା ବାଲେଶ୍ୱର ଲୋକସଭା କ୍ଷେତ୍ରର ଚିତ୍ର ଏଥର ଭିନ୍ନ ମୋଡ଼ ନେବାକୁ ଯାଉଛି । କାରଣ ପୂର୍ବ ନିର୍ବାଚନ ଗୁଡ଼ିକୁ ଅନୁଧ୍ୟାନ କରାଗଲେ, ୨୦୦୯ ପୂର୍ବରୁ ଖାରବେଳ ସ୍ୱାଇଁ ବିଜେପି ପ୍ରାର୍ଥୀ ଭାବେ ବାଲେଶ୍ୱର ଆସନରେ ଜିତି ଆସୁଥିଲେ। ସେହିଭଳି ୨୦୦୯ରେ ଏହି ଆସନରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ଶ୍ରୀକାନ୍ତ ଜେନା। ପରେ ୨୦୧୪ରେ ବିଜୟୀ ହୋଇଥିଲେ ବିଜେଡିର ରବୀନ୍ଦ୍ର ଜେନା। ତେବେ ବାଲେଶ୍ୱରରେ ରବୀନ୍ଦ୍ରଙ୍କ ଦବଦବା ରହିଥିବାବେଳେ ବଳ କଷୁଛନ୍ତି ବିରୋଧୀ ।

ଏଥର ଏହି ଆସନରେ ବାଜିମାତ୍ କରିବା ପାଇଁ ତିନି ପ୍ରମୁଖ ଦଳ ନିଜର ନିଜର କାର୍ଡ଼ ଖୋଲିଥିବାବେଳେ ବିଜେପିର ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ୍ ଦେଇଛି ଦଳ । ତେବେ ଏଥର ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ଟକ୍କର ଦେବା ପାଇଁ ବରିଷ୍ଠ ନେତାଙ୍କ ସାହାରା ନେଇଛି ବିଜେପି । ତେଣୁ ଗତଥର ନୀଳଗିରି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ଦଳ ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ବାଛିଛି । ତେଣୁ ଆସନ୍ତା ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବାଲେଶ୍ୱର ଆସନରେ ଏଥର ମହାଲଢ଼େଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Comments are closed.