ପାଟପର୍ବ ପାଇଁ ଚାନ୍ଦା ଦେଇ ନପାରିବାରୁ ଦେବାଳୟ ମନା ! ଜଳେଶ୍ୱର କାଳିକା ଗାଁରେ ବାବା ଚନ୍ଦନେଶ୍ୱରଙ୍କ ପୂଜାରୁ ୫ଟି ପରିବାରକୁ ବାସନ୍ଦ କଲା ଗାଁ କମିଟି

31

କନକ ବ୍ୟୁରୋ : ପାଟପର୍ବ ପାଇଁ ଚାନ୍ଦା ଦେଇ ନପାରିବାରୁ ମହାଦେବଙ୍କ ପୂଜା ବଂଚିତ ୫ଟି ପରିବାର । ଦେବାଳୟକୁ ଯିବାକୁ ବାରଣ କରିଛି ଗାଁ କମିଟି । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କାଳିକା ଗାଁରୁ । ବାବା ଚନ୍ଦନେଶ୍ୱରଙ୍କ ପୂଜାରୁ ୫ଟି ପରିବାରକୁ ଗାଁ କମିଟି ବାସନ୍ଦ କରିବା ପରେ ଘଟଣା ଥାନାରେ ପହଂଚିଛି ।

ମନ୍ଦିର କାନ୍ଥରେ ଲେଖା ହୋଇଥିବା ନୋଟିସ୍ ଅଛି ୫ ଜଣଙ୍କ ନାହଁ । ନୋଟିସରେ ଯେଉଁ ବ୍ୟକ୍ତିଙ୍କ ନାଁ ଲେଖାଯାଇଛି, ସେମାନେ ମନ୍ଦିରରେ ପୂଜା କରିପାରିବେ ନାହିଁ, କି ମନ୍ଦିର ପୂଜକ ସେମାନଙ୍କର କୌଣସି ପୂଜା କରିବେ ନାହିଁ । ମନ୍ଦିରଟି ହେଉଛି, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କାଳିକ ଗାଁର ଚନ୍ଦନେଶ୍ୱର ମନ୍ଦିର । ଗାଁର ୫ଟି ପରିବାର ପାଟପର୍ବ ପାଇଁ ଚାନ୍ଦା ଦେବାକୁ ଅସମର୍ଥ ହେବାରୁ ସେମାନଙ୍କୁ ମନ୍ଦିର ଯିବାକୁ ବାରଣ କରିଛି ଗାଁ କମିଟି । ଏନେଇ ବାସନ୍ଦ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଗତ ମାସରେ ଗାଁରେ ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ ପାଳନ କରାଯାଇଥିଲା । ଏଥିପାଇଁ ଗାଁ କମିଟି ୨ରୁ ୫ ହଜାର ଟଙ୍କା ଚାନ୍ଦା ଆଦାୟ କରିଥିଲା । ଯାହା ଦେବା ପାଇଁ ଅସମର୍ଥ ପ୍ରକାଶ କରିଥିଲେ ଗାଁର ନିର୍ମଳ ମହାପାତ୍ର, ପରିମଳ ମହାପାତ୍ର ବିମଳ ମହାପାତ୍ର, ସର୍ବେଶ୍ୱର ମହାପାତ୍ର ଓ ମୃଣାଳକାନ୍ତି ମହାପାତ୍ର । ତେଣୁ ଏମାନଙ୍କ ପରିବାରକୁ ପୂଜା ବାରଣ କରାଯାଇଥିବା ସ୍ୱୀକାର କରିଛନ୍ତି, ଗାଁ ମୁଖିଆ ।

ଦେବାଳୟକୁ ଯିବା ପାଇଁ ସମସ୍ତଙ୍କ ଅଧିକାର ରହିଛି । ଇଶ୍ୱର ଉପାସନା ପାଇଁ କେହିବି ବାରଣ କରିପାରିବେ ନାହିଁ । ହେଲେ ଜଳେଶ୍ୱର କଳିକା ଚନ୍ଦନେଶ୍ୱର ମନ୍ଦିରର ପରିଚାଳନା ଦାୟିତ୍ୱ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ଥିବା ବେଳେ ଏଠି ମହାଦେବଙ୍କ ପୂଜାରୁ ବଂଚିତ ହୋଇଛନ୍ତି ୫ଟି ପରିବାର ।