ନବୀନ ନିବାସରେ ବାଲେଶ୍ୱରର ହେଭିୱେଟ୍ ରଘୁନାଥ ମହାନ୍ତି ! ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କହିଲେ, ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ

24

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ରଘୁନାଥ ମହାନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ତେବେ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବେ ବୋଲି ରଘୁ ମହାନ୍ତି କହିଛନ୍ତି । ୨୦୧୯ରେ ନିର୍ବାଚନ ଲଢିବା ନେଇ ସେ କହିଛନ୍ତି ଯେ, ଦଳ ସୁପ୍ରିମୋଙ୍କ ନିଷ୍ପତି ଉପରେ ସବୁ ନିର୍ଭର କରୁଛି ।

୧୦ମିନିଟ ସମୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଦଳକୁ ଅଧିକ କ୍ରୀୟାଶିଳ କରିବା ସହ ଦଳୀୟ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରଘୁ ମହାନ୍ତି କହିଛନ୍ତି । କିଛି ପୁରୁଖା ନେତା ଦଳକୁ ଫେରିଲେ ଦଳ ସଂଗଠିତ ହେବ ବୋଲି ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି କହିଛନ୍ତି । ଏକଦା ବିଜେଡିର ବେଶ ପ୍ରଭାବଶାଳୀ ରଘୁନାଥ ମହାନ୍ତି ବୋହୂ ବର୍ଷାସୋନୀ ମାମଲାରେ ଛନ୍ଦି ହୋଇପଡିବା ପରେ ଦଳରୁ ଦୂରେଇ ରହିଥିଲେ । ଏପରିକି ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ମଧ୍ୟ ମିଳିନଥିଲା ।