ଭାଗ ଭାଗ ହୋଇଯାଇଛି ଅଙ୍ଗନୱାଡି କେନ୍ଦ୍ର ! ପୁଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି ଶିଶୁ ଓ ଗର୍ଭବତୀ ।

40

କନକ ବ୍ୟୁରୋ : ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ତାଲିକାରେ ପରିବର୍ତନ କରିଛନ୍ତି ସରକାର । ଏହା ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ବାଲେଶ୍ୱରରେ ସଂଘ ବିବାଦ ଯୋଗୁଁ କେତେକ ଅଙ୍ଗନୱାଡି କେନ୍ଦ୍ରରେ ଏଥିରୁ ବଂଚିତ ହେଉଛନ୍ତି ସେହି ଅଂଚଳର ଶିଶୁ ଓ ଗର୍ଭବତୀ ମହିଳା ।

ସଂଘ ନାଁରେ ଭାଗ ଭାଗ ଅଙ୍ଗନୱାଡି କେନ୍ଦ୍ର । ପୁଷ୍ଟିକର ଖାଦ୍ୟରୁ ବଂଚିତ ଶିଶୁ ଓ ଗର୍ଭବତୀ । ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଲକ୍ଷ୍ୟରେ ଜୁଲାଇ ୧୫ରୁ ଖାଦ୍ୟ ତାଲିକାରେ ପରିବର୍ତନ କରିଛନ୍ତି ସରକାର । ମାତ୍ର ବାଲେଶ୍ୱରରେ ରହିଥିବା ଅଙ୍ଗନୱାଡି ସଂଘ ବିବାଦ ଯୋଗୁଁ ନୂତନ ତାଲିକା ଅନୁଯାୟୀ ଦିଆଯାଉନି ଖାଦ୍ୟ । ଫଳରେ ପୁଷ୍ଟିକର ଖାଦ୍ୟରୁ ବଂଚିତ ହେଉଛନ୍ତି କେତେକ ଅଙ୍ଗନୱାଡି କେନ୍ଦ୍ରର ଶିଶୁ ଓ ଗର୍ଭବତୀ । ଜିଲ୍ଳାରେ ରହିଛି ୪ଟି ସଂଘ । ୩ଟି ସଂଘ ନୂତନ ତାଲିକାରେ ଖାଦ୍ୟ ଦେଉଥିବାବେଳେ ଗୋଟିଏ ସଂଘ ସେହି ପୁରୁଣା ତାଲିକାରେ ଖାଦ୍ୟ ଦେଉଛନ୍ତି । ନୂତନ ତାଲିକା ଅନୁସାରେ କେତେକ କେନ୍ଦ୍ରରେ ଜଣ ପିଛା ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଥିବାବେଳେ ଆଉ କେତେକ ସ୍ଥାନରେ ୩ଟି ଅଣ୍ଡା ଦିଆଯାଉଛି । ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅଭିଯୋଗ ଆସିବା ପରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ବାଲେଶ୍ୱର ମୁନିସିପାଲିଟିର ୨୩ନଂ ୱାର୍ଡ଼ର ଗୋଷାଳପଦା ଅଙ୍ଗନବାଡ଼ି କେନ୍ଦ୍ରରେ ପହଁଚିଥିଲେ ଆମ ପ୍ରତିନିଧି । ସେଠାରେ ଦେଖିବାକୁ ମିଳିଥିଲା ଅସ୍ୱାସ୍ଥ୍ୟକର ପରିବେଶରେ ରହିଛି ଏହି କେନ୍ଦ୍ର । ଏଠି ପିଲାମାନଙ୍କୁ ଦିଆଯାଉଛି କମ୍ ପରିମାଣର ଓ ନିମ୍ନମାନର ଖାଦ୍ୟ । ଏନେଇ ସହାୟିକାଙ୍କୁ ପଚାରିବାରୁ ସେ କହିଥିଲେ ସଂଘର ନିଷ୍ପତି ଅନୁଯାୟୀ ଦିଆଯାଉଛି ଖାଦ୍ୟ । ତେବେ ଏହି ସମସ୍ୟା ସଂପର୍କରେ ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି ତାଙ୍କ ନିକଟରେ ଏମିତି ସମସ୍ୟା ସଂପର୍କରେ ଅଭିଯୋଗ ନାହିଁ । ଏବଂ ସବୁ ଠିକ ଠାକ ଚାଲିଛି ।