ବାଲେଶ୍ୱର : ଅନେକ ସମୟରେ ଅଭିଯୋଗ ଆସୁଛି ଆହର କେନ୍ଦ୍ରରେ ଖାଦ୍ୟ ମିଳୁନି । ହେଲେ ବାଲେଶ୍ୱରରେ ଏ ଅଭିଯୋଗର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେଉଁ ଜିଲ୍ଲାର ବିଭିନ୍ନ ଅଂଚଳର ଲୋକ ଅନାହାରରେ ଜୀବନ କାଟୁଛନ୍ତି ସେଠି ଆହାର କେନ୍ଦ୍ରରେ ରୋଷେଇ ହୋଇଥିବା ଖାଦ୍ୟ ନଷ୍ଟ ହେଉଛି ।  ବାଲେଶ୍ୱର ମୂଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ସମ୍ନାରେ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି ।

ଆହାର କେନ୍ଦ୍ରରେ ରୋଷେଇ ହୋଇଥିବା ରନ୍ଧା ଖାଦ୍ୟ ନଷ୍ଟ ହେଉଛି । ନଗଡ଼ା ଭଳି ରାଜ୍ୟର ଅନେକ ସ୍ଥାନରେ ଖାଦ୍ୟାଭାବରୁ ଶିଶୁ ଅପପୁଷ୍ଟିର ଶିକାର ହୋଇ ଜୀବନ ହାରୁଛନ୍ତି । ସେମାନଙ୍କ ପାଇଁ ଲୁଣ ଭାତ ମହରଗ, ହେଲେ ଏଠି ସରକାରଙ୍କ ଆହାର କେନ୍ଦ୍ରରେ ରନ୍ଧା ଭାତ ଡ଼ାଲମା ତଳେ ଗଦା ହୋଇଛି । ତା ପୁଣି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ସାମ୍ନାରେ ।

ପ୍ରତ୍ୟକ ଦିନ ୭ଶହ ଲୋକଙ୍କ ପାଇଁ ଖାଦ୍ୟ ରନ୍ଧା ଯାଏ। ସବୁ ଦିନ ଏଭଳି ଭାବରେ ବାସୀ ଖାଦ୍ୟକୁ ତଳେ ପକାଇ ଦିଆଯାଏ । ଆଉ ବାଲେଶ୍ୱର ପୌରପାଳିକା ପକ୍ଷରୁ ଏସବୁକୁ ନେଇ ଅଳିଆଗଦାରେ ପକାଇ ଦିଆଯାଉଛି । ସେପଟେ ବାଲେଶ୍ୱର ଉପଜିଲ୍ଳାପାଳ ପ୍ରଶାସନ ମୁଣ୍ଡରୁ ସବୁ ଦୋଷ ଛଡେଇ ଲୋକଙ୍କ ମୁଣ୍ଡରେ ଲଦି ଦେଉଛନ୍ତି । ଲୋକେ ଖାଦ୍ୟ ନେଇ ନଖାଇ ଫିଙ୍ଗି ଦେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି ।