ଆଜି ୧୨ ଘଂଟିଆ ବଲାଙ୍ଗିର ବନ୍ଦ : ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ବଣିକ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା

37

କନକ ବ୍ୟୁରୋ : ବଲାଙ୍ଗିର ସହରରେ ସଡକ ଦୁର୍ଘଟଣାରେ ଗତ ୫ ଦିନ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କାଲି ସଡକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି ବଣିକ ସଂଘ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି । ୧୨ ଘଂଟିଆ ବନ୍ଦ ଡାକରାରେ ନାଗରିକ କମିଟି, ଜିଲ୍ଲା ଘରୋଇ ବସ ମାଲିକ ସଂଘ ସହ ଜିଲ୍ଲା କଂଗ୍ରେସ ସାମିଲ ହୋଇଛି । ଆଜି ବଲାଙ୍ଗିରରେ ସ୍କୁଲ କଲେଜ, ଦୋକାନ ବଜାର, ଅଫିସ , ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି । ଗତକାଲି ବଲାଙ୍ଗୀରରେ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତେଜନା । ଉତ୍ୟକ୍ତ ଲୋକେ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ବଲାଙ୍ଗୀର-ସମ୍ବଲପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।

ସୂଚନାଯୋଗ୍ୟ, ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ରକ୍ (ଓଆର ୦୩ ଇ ୧୧୪୨) ଚାପାରେ କଲେଜ ଛାତ୍ରୀ ମିଲି ନାଏକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର କଲେଜର ଯୁକ୍ତଦୁଇ ଛାତ୍ରୀ ରିନବଚନ ଗାଁର ରାମ ନାଏକଙ୍କ ଝିଅ ମିଲି ଅନ୍ୟ କେତେଜଣ ସାଥୀଙ୍କ ସହ ସାଇକଲରେ କଲେଜ ଅଭିମୁଖେ ଆସୁଥିଲେ। ସହର ଉପକଣ୍ଠ ଜାତୀୟ ରାଜପଥ-୨୬ରେ ଥିବା ହୋଣ୍ଡା ସୋ ରୁମ୍ ନିକଟରେ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣା ପରେ ଶବ ରଖି ଶତାଧିକ ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ୪ ଘଣ୍ଟା ଧରି ରାସ୍ତା ଅବରୋଧ ହେବାରୁ ଯାତାୟାତ ଠପ୍ ହୋଇଯାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣର ପ୍ରତିଶ୍ରୁତି ପରେ ପରେ ରାଜପଥ ସ୍ୱାଭାବିକ ହୋଇଥିଲା।ତେବେ, ଏହି ଘଟଣା ପରେ ବାଇପାସ ରାସ୍ତା ନିର୍ମାଣ ଦାବି ପୁଣି ତେଜିଛି। ଏ ନେଇ ନଗର କଂଗ୍ରେସ ପକ୍ଷରୁ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। ସେହିପରି ବିଭିନ୍ନ ସଂଗଠନ ପକ୍ଷରୁ ୧୦ ତାରିଖ ଦିନ ମଧ୍ୟ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି।