କନକ ବ୍ୟୁରୋ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ଚଳ୍ରରାଜ ସୁଦର୍ଶନଙ୍କ ପହଣ୍ଡିପରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚାଘରୁ ରଥାରୁଢ଼ ପାଇଁ ଅଣାଯାଇଛି । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ରଥାରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଗୁଣ୍ଡିଚାଘରୁ ପହଣ୍ଡିରେ ବାହାରିବେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ  ପହଣ୍ଡିରେ ବାହାରିବେ । ଶେଷର ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହେବେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।
ସେପଟେ ବଡ଼ଦାଣ୍ଡରୁ ପାଣି ଛାଡ଼ିଯାଇଛି । ଶରଧାବାଲିରେ କିଛି ଜାଗାରେ ପାଣି ଜମିଥିବା ଜାଗାକୁ ବାଲି ପକାଇ ସମାନ କରାଯାଉଛି । ତେବେ ଝିପି ଝିପି ବର୍ଷା ଲାଗି ରହିଛି । ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ଓ ପୁଣି ପାଣି ଜମିବା ପରି ଅବସ୍ଥା ହୁଏ, ତେବେ ପାଣି ନିସ୍କାସନ ପାଇଁ ୨୨ଟି ପମ୍ପକୁ ରଖାଯାଇଛି ।

ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ୟ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ଲାଗି ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି ।