ପ୍ରେମ ବନାମ ପ୍ରତିରୋଧ ! ଭାଲେନଟାଇନ୍ସ ଡେକୁ ବିରୋଧ କରି ବଜରଙ୍ଗ ଦଳର ଚେତାବନି

51

କନକ ବ୍ୟୁରୋ : ରାତି ପାହିଲେ ଭାଲେଂଟାଇନ୍ ଡେ । ପ୍ରେମ ପାଇଁ ଦିନଟିଏ । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ଦୋକାନ ବଜାରରେ ବିକ୍ରି ଚାଲିଛି ଗିଫ୍ଟ ଆଉ ଗୋଲାପ ଫୁଲ ।

ଭାଲେନଟାଇନ୍ ଡେକୁ ଆଖିଆଗରେ ରଖି ରାଜଧାନୀର ଅନେକ ଦୋକାନର ସାଜ୍ଜସଜ୍ଜା ବେଶ ଚମତ୍କାର ହୋଇଛି । ଏହି ଦିନ ପାଇଁ ସ୍ୱତନ୍ତ୍ର କାର୍ଡ ବି ବିକ୍ରି ହେଉଛି । ସ୍ପେଶାଲ୍ ଚକଲେଟ୍ ବି ମିଳୁଛି ଦୋକାନରେ । ଯାହାକୁ କିଣିବାକୁ ଯୁବ ପିଢିଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳୁଛି ।

ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଅପରପକ୍ଷେ ପୂର୍ବ ଭଳି ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ଜୋରଦାର ବିରୋଧ ମଧ୍ୟ କରୁଛନ୍ତି । ପ୍ରେମୀ ଯୁଗଳଙ୍କ ବିବାହ କରାଇଦେବା ପାଇଁ ଖୋଲାଖୋଲି ଧମକ ଦେଇଛନ୍ତି ସେମାନେ । ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ । ଅତିରିକ୍ତ ଫୋର୍ସ ମୁତୟନ ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଡିସିପି ।