ନବରଙ୍ଗପୁରରୁ ବଜ୍ରକାପ୍ତା ଉଦ୍ଧାର । ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଚାଲିଥିଲା ମୂଲଚାଲ

559

କନକ ବ୍ୟୁରୋ: ନବରଙ୍ଗପୁରରୁ ଉଦ୍ଧାର ହେଲା ବିରଳ ଜୀବ ବଜ୍ରକାପ୍ତା । ନବରଙ୍ଗପୁର ଡଙ୍ଗରିଗୁଡାରେ ବିକ୍ରି କରିବା ଲାଗି ମୂଲଚାଲ କରୁଥିବାବେଳେ ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ବନବିଭାଗ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଆରମ୍ଭ କରିଛି ବିଭାଗ । ଗିରଫ ହୋଇଥିବା ୨ଜଣ ମୈଦଲପୁର ପଂଚାୟତ କଂଟାସାରୁ ଗ୍ରାମର ବୋଲି ଜଣାପଡିଛି ।

ପୂର୍ବରୁ ବଜ୍ରକାପ୍ତାକୁ ଦେଶ ବାହାରକୁ ଚାଲାଣ କରାଯିବା ନେଇ ଜଣାପଡିଥିଲା । ଗୋଟିଏ ଗୋଟିଏ ବଜ୍ରକାପ୍ତାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଥିବା ସୂଚନା ଦେଇଥିଲେ ପୋଲିସ୍ । ଏବଂ ଏଥିପାଇଁ ରାଜ୍ୟରେ ଏକ ରାକେଟ୍ ମଧ୍ୟ କାର୍ଯ୍ୟ କରୁଥିଲା ବୋଲି ଜଣାପଡିଥିଲା । ଏହି ଘଟଣା ପୁଣି ଥରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଛି ।

ସୂଚନା ମୁତାବକ, ମୈଦଲପୁର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ୫ ଲକ୍ଷ ଟଙ୍କାରେ ରାଜ୍ୟ ବାହାର ଜଣେ ବନ୍ୟଜନ୍ତୁ ମାଫିଆଙ୍କୁ ଏହି ବଜ୍ରକାପ୍ତାକୁ ବିକ୍ରି କରିବାକୁ ଉଦ୍ୟମ ଚାଲିଥିଲା। ତେବେ, ଦର ମୂଲ୍ଚାଲ୍ ହେବା ପୂର୍ବରୁ ବନ ବିଭାଗର ଚଢ଼ାଉ ଯୋଗୁଁ ମାଫିଆଙ୍କ ପ୍ରୟାସ ପଣ୍ଡ ହୋଇଥିବା ବେଳେ ୨ଜଣଙ୍କ ଗିରଫ ହୋଇଛନ୍ତି। ଏମାନଙ୍କ ହାବୁଡ଼ରେ ଗୋଟିଏ ୧୩କିଲୋ ଓଜନର ବଜ୍ରକାପ୍ତା ପଡ଼ିଥିଲା। ଚାରିପଟୁ ଘେରି ଯାଇ ବଜ୍ରକାପ୍ତାକୁ କାବୁ କରି ଗାଁକୁ ଆଣିଥିଲେ।

ଏହାପରେ ସେମାନେ ଛତିଶଗଡ଼ର ଦୁଇ ବନଜନ୍ତୁ ମାଫିଆଙ୍କୁ ଯୋଗାଯୋଗ କରିଥିଲେ। ଦୁହେଁ ପହଞ୍ଚିବା ପରେ ମୂଲଚାଲ ଆରମ୍ଭ କରିଥିଲେ। ମାଫିଆ ଦୁଇ ଲକ୍ଷ ଟଙ୍କା ଦେବାକୁ ରାଜି ଥିବା ବେଳେ ୫ଲକ୍ଷ ଟଙ୍କା ସେମାନଙ୍କୁ ଦାବି କରାଯାଇଥିଲା। ଏମିତି ମୂଲଚାଲ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଜଙ୍ଗଲରୁ ରାଇସିଂ ଏବଂ ଭୀମକୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଛତିଶଗଡ଼ର ଦୁଇ ମାଫିଆ ଚକମା ଦେଇ ଖସି ପଳାଇ ଯାଇଥିଲେ।