ଗୋଟିଏ ମଞ୍ଚରେ ନବୀନ, ନିରଂଜନ ଓ ଧର୍ମେନ୍ଦ୍ର ! ଭୁବନେଶ୍ୱରରେ ବାଜପେୟୀଙ୍କ ସର୍ବଦଳୀୟ ସ୍ମୃତି ସଭା, ଏକାଠି ହେଲେ ଶାସକ-ବିରୋଧୀ ।

48

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପଦର୍ଶନୀ ପଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ସ୍ମୃତି ସଭା ଆୟୋଜିତ ହୋଇଛି । ଏହି ସଭାରେ ବିଭିନ୍ନ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜେପିର ଡାକରାକୁ ସମ୍ମାନ ଦେଇ ସ୍ମୃତି ସଭାରେ ଉପସ୍ଥିତ ହୋଇଥିଲେ । ବାଜପେୟୀଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନବୀନ କହିଛନ୍ତି । ଏହା ସହ ସେ କହିଛନ୍ତି ଏକ ଯୁଗର ଅବସାନ ଘଟିଛି । ଏହି ସଭାରେ ଶାସକ ବିଜେଡିର ଅନେକ ମନ୍ତ୍ରୀ, ନେତା ଉପସ୍ଥିତ ଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ସଭାରେ ଉପସ୍ଥିତ ହୋଇଥିଲେ ।

ଉତ୍କଳ ଭାରତ, ସିପିଆଇ ସମେତ ବିଭିନ୍ନ ରାଜନୈତିକ ଦଳ ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲା ବିଜେପି । ଗତକାଲି ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜନ କରାଯାଇଥିଲା । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ହୋଇଛି ସର୍ବଦଳୀୟ ପ୍ରାର୍ଥନା ସଭା । ବାଜପେୟୀଙ୍କ ସ୍ମୃତିସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ଅନେକ ବିଜେପି ନେତା ଉପସ୍ଥିତ ଥିଲେ । ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ସଭାକୁ ସବୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଛନ୍ତି । ପ୍ରାର୍ଥନା ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ମଞ୍ଚରେ ସବୁ ଦଳର ନେତା ଏକାଠି ହୋଇଛନ୍ତି ।