ବୈଜୟନ୍ତଙ୍କ ବାଗୀ ହେବାର ପୂରା କାହାଣୀ ! ସୋସିଆଲ ମିଡିଆରୁ ସଂସଦ ଯାଏଁ ବିଜେଡି କାହିିଁକି ବାରିଲା ବୈଜୟନ୍ତଙ୍କ ବିଜେପି ଲିଙ୍କ୍

41
କନକ ବ୍ୟୁରୋ : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି । ଏନେଇ ବିଜେଡି ଉ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘୋଷଣା ପରେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ରାଜନୀତି । ବିଜେଡି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ, ୪ ଥର ବିଜେଡିରୁ ସାଂସଦ ଥିବା ବୈଜୟନ୍ତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବିଜେଡିକୁ ଦୁର୍ବଳ କରିବା କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହା ଜଣା ପଡିଥିଲା ଯେତେବେଳେ ବୈଜୟନ୍ତ ନିଜ ପାଇଁ ଫାଇନାନ୍ସ ଷ୍ଟାଣ୍ଡି କମିଟିର ଅଧକ୍ଷ ପଦ ପାଇଁ ବିଜେଡି ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । ବୈଜୟନ୍ତଙ୍କ ଯୁକ୍ତି ଥିଲା କି ବିଜେଡି ସଂସଦରେ ଚତୁର୍ଥ ବୃହତ ପ୍ରତିନିଧିତ୍ୱ କରୁଥିବା ଦଳ କିନ୍ତୁ ସଂସଦର ଫାଇନାନ୍ସ ଷ୍ଟାଣ୍ଡି କମିଟିର ଅଧ୍ୟକ୍ଷ ପଦ ଦଳକୁ ମିଳିବ ନାହିଁ । ଯଦି ତାଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଏ ତେବେ ଉପର ମହଲରେ ସେ ଲବି କରି ଏହି ପଦବୀ ହାତେଇ ପାରିବେ । ଆଉ ବୈଜୟନ୍ତଙ୍କ ଏହି ଉକ୍ତି ତାଙ୍କ ବିଜେପି ସହ ଥିବା ଲିଙ୍କକୁ ପଦାରେ ପକାଇଥିଲା । କିନ୍ତୁ ବୈଜୟନ୍ତଙ୍କୁ ଏହି ପଦ ଦେବା ପାଇଁ ସିଧାସଳଖ ମନା କରି ଦେଇଥିଲେ ସୁପ୍ରିମୋ । ଆଉ ଏହାପରେ ବିଜେଡି ବିରୋଧରେ ବୈଜୟନ୍ତ ଆରମ୍ଭ କରିଥିଲେ ଲଢେଇ । ଏପରିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ବିଜେଡିକୁ ସମାଲୋଚନା କରିବା ସହ ବିରୋଧୀ ବିଜେପି ତଥା ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ପ୍ରଂଶସା କରିବା ଏବେ ବୈଜୟନ୍ତଙ୍କୁ ମହଙ୍ଗା ପଡିଛି । ତେବେ ବୈଜୟନ୍ତଙ୍କୁ ନେଇ ଲାଗି ରହିଥିବା ବିବାଦରେ ଆଜି ପୂର୍ଣ୍ଣଛେଦ ପକାଇଛି ବିଜେଡି । ବୈଜୟନ୍ତଙ୍କ ଠାରୁ ସମସ୍ତ ପ୍ରକାର ସର୍ମ୍ପକ ଛିନ୍ନ କରିଛି ଦଳ । ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରି ନବୀନ ପୁଣି ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ।

baijayantaତେବେ ବୈଜୟନ୍ତଙ୍କୁ ନିଲମ୍ବିତ କରିବା ପ୍ରକିୟା ବହୁତ ପୂର୍ବରୁ ଆରମ୍ଭ ହୋଇଥିଲା । ନିଶ୍ଚିତକୋଇଲିର ବୁହାଳୋ ଠାରେ ପାଣିଟାଙ୍କି ଉଦଘାଟନ ପରେ ବୈଜୟନ୍ତ ଯେଉଁଭଳି ଭାବେ ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କଲେ ତାହା ନବୀନଙ୍କ ଦେହରେ କଣ୍ଟା ଭଳି ଗଳିଯାଇଥିଲା ଏବଂ ଏହା ନବୀନଙ୍କୁ କ୍ଷତାକ୍ତ ମଧ୍ୟ କରିଥିଲା । ଏହି ଉକ୍ତି ବୈଜୟନ୍ତଙ୍କୁ ନବୀନଙ୍କ ହେଟ ଲିଷ୍ଟରେ ସାମିଲ କରିଥିଲା । ଏହି ସମୟରେ ବୈଜୟନ୍ତଙ୍କୁ ଡବଲ ଝଟକା ଦେଇଥିଲେ ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ । ବୈଜୟନ୍ତଙ୍କ ବିରୋଧରେ ଗଦା ଗଦା ଅଭିଯୋଗ ନେଇ ବିଜେଡି ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଥିଲେ । ବିଜେଡି ସୁପ୍ରିମୋ ମଧ୍ୟ ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତର୍ଜମା କରିବା ପରେ କାର୍ଯ୍ୟାୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କହିଥିଲେ । ଆଉ ଏହାପରେ ବୈଜୟନ୍ତଙ୍କୁ ନେଇ ବିଜେଡିରେ ସସପେନ୍ସ ବଢିବା ଆରମ୍ଭ ହୋଇଥିଲା ।

ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତର୍ଜମା କରିବା ପାଇଁ ବିଜେଡି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଜିଲ୍ଲାରେ କର୍ମୀଙ୍କ ସହ ଆଲୋଚନା ପରେ ବିଜେଡି ସୁପ୍ରିମୋଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ ଉଷା ଦେବୀ ଓ ପ୍ରମିଳା ମଲ୍ଲିକ । ଆଉ ଏହି ତଦନ୍ତ ରିପୋର୍ଟକୁ ଆଧାର କରି ନବୀନ ଉପରୋକ୍ତ ନିଷ୍ପତି ନେଇଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

କାହିଁକି ବିଜେଡିରେ ବାଗୀ ହେଲେ ବୈଜୟନ୍ତ :

baijayanta controversial statementବୈଜୟନ୍ତଙ୍କୁ ଦଳରେ ଏଭଳି ବିରୋଧ କଣ ପାଇଁ ? କାହିଁକି ବିଜେଡିରେ ଦିନକୁ ଦିନ କୋଣଠେସା ହେଇଯାଉଛନ୍ତି ଏହି ବିଜୁ ଅମଳର ନେତା । ଏକଦା ଦଳରେ ପାୱାରଫୁଲ ଥିବା ବୈଜୟନ୍ତ ଏବେ କଣ ପାଇଁ ସୁପ୍ରିମୋଙ୍କ ବ୍ଲାକଲିଷ୍ଟରେ ରହିଛନ୍ତି । ଏହା ପଛର କାରଣ ବେଶ ସ୍ପଷ୍ଟ । ବୈଜୟନ୍ତ ଶଙ୍ଖ କ୍ୟାମ୍ପ ଛାଡି ପଦ୍ମ ପୋଖରୀକୁ ଯାଉଥିବା ନେଇ ଚାରିଆଡେ ଚର୍ଚ୍ଚା । ଆଉ ଏହି କଥାକୁ ନେଇ ଦଳ ଆଉ ଜୟଙ୍କୁ ଭରସି ପାରୁନାହିଁ । ଏପରିକି ବୈଜୟନ୍ତଙ୍କୁ ଦଳୀୟ କାର୍ୟ୍ୟକ୍ରମରୁ ମଧ୍ୟ ବଏକଟ କରିବା ପାଇଁ ଅନ୍ୟ ନେତାଙ୍କୁ କଡା ନିର୍ଦ୍ଦେଶ ମିଳିଥିବା ଚର୍ଚ୍ଚା ହେଉଛି । ଆଉ ଏହାର ପ୍ରତିଫଳନ ଗତବର୍ଷ ମାହାଙ୍ଗାରେ ଦେଖିବାକୁ ମିଳିଥିଲା । ଯେତେବେଳେ ବୈଜୟନ୍ତ ଏକ ପ୍ରକଳ୍ପର ଉଦଘାଟନ କରିବା ପାଇଁ ମାହାଙ୍ଗା ଯାଇଥିଲେ

ସେତେବେଳେ ତାଙ୍କ ଉପରକୁ ଅଣ୍ଡା ମାଡ କରାଯାଇଥିଲା । ଶାସକ ଦଳର ସାଂସଦକୁ ଖୋଦ ଶାସକ ଦଳର କର୍ମୀ ଅଣ୍ଡାମାଡ କରିବା ଘଟଣାକୁ ନେଇ ସେତେବେଳେ ଜୋର ଚର୍ଚ୍ଚା ହୋଇଥିଲା । କିନ୍ତୁ ଅଭିଯୁକ୍ତଙ୍କୁ ଖୋଜିବା ତ ଦୂରର କଥା ଏ ବାବଦରେ ତଦନ୍ତ ମଧ୍ୟ କରାଗଲାନି । ଯାହା ବୈଜୟନ୍ତଙ୍କୁ ଲଜ୍ଜିତ କରିଥିଲା । ଯାହା ବୈଜୟନ୍ତଙ୍କ ପାଇଁ ଅସହ୍ୟ ଥିଲା । ଏଥିପାଇଁ ଟ୍ୱିଟ ବାଣରେ ଦଳକୁ ଘାଇଲା କରିବାକୁ ପଛାଇନଥିଲେ ଦଳର ଏହ ବରିଷ୍ଠ ତଥା ଅଭିଜ୍ଞ ନେତା । ବୈଜୟନ୍ତ ଟ୍ୱିଟ କରି କହିଥିଲେ, ଦଳ ଏବେ କିଛି ଅଫିସରଙ୍କ ନିୟନ୍ତ୍ରଣରେ ପରଚାଳିତ ହେଉଛି ।ଯାହାକୁ ନେଇ ବୈଜୟନ୍ତଙ୍କୁ ଦଳ ଭିତରେ ବିରୋଧର ସାମ୍ନା କରିବାକୁ ପଡିଥିଲା ।

baijayanta panda removed from parliamentary spokeperson's postବିଜେଡି ବନାମ ବୈଜୟନ୍ତ ମହାବିବାଦର ମହାଅଧ୍ୟାୟ ଆରମ୍ଭ ହୋଇଥିଲା ଜାପାନରୁ । ଯେତେବେଳେ ମୋଦି ଜାପାନ ଯାତ୍ରା କରିଥିଲେ ସେତେବେଳେ ବୈଜୟନ୍ତ ମଧ୍ୟ ଜାପାନ ଯାଇଥିଲେ । ଆଉ ଜାପାନରୁ ଫେରିବା ପରେ ତାଙ୍କୁ ଦଳ ସନ୍ଦେହ ଚକ୍ଷୁରେ ଦେଖିଥିଲା । ଏପରିକି ଜାପାନରୁ ଫେରିବା ପରେ ଦଳ ପାଇଁ ଯେପରି ଅଛୁଆଁ ହୋଇଯାଇଥିଲେ ବୈଜୟନ୍ତ । ପାଖ ମାଡି ନଥିଲେ କୌଣସି ନେତା । କାରଣ ବୈଜୟନ୍ତଙ୍କ ସହ ସର୍ମ୍ପକ କାଟିବା ପାଇଁ ବୋଧହୁଏ ଆସିଥିଲା ନିର୍ଦ୍ଦେଶ । ଏହାପରେ ଅଧିକାଂଶ ଦଳୀୟ କାର୍ୟ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଚର୍ଚ୍ଚା ହେଲା ବୈଜୟନ୍ତ ରୁଷିଛନ୍ତି, ଆଉ ଖୁବଶୀଘ୍ର ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇପାରନ୍ତି । କିନ୍ତୁ ଏହାକୁ ସେତେବେଳେ ଖଣ୍ଡନ କରିଥିଲେ ବୈଜୟନ୍ତ । କାରଣ ଦଳ ବଦଳ ନିରୋଧ ଆଇନ ଅନୁଯାୟୀ, କୌଣସି ନିର୍ବାଚିତ ପ୍ରତିନିଧି କାର୍ୟ୍ୟକାଳ ପୂରିବା ପୂର୍ବରୁ ଦଳ ବଦଳ କରିପାରିବେ ନାହିଁ । ଯଦି ଦଳ ବଦଳ କରିବେ ତେବେ ପଦ ହରାଇବେ । ହୁଏତ ସାଂସଦ ପଦ ହରାଇବା ଭୟରେ ଚୁପ ରହିଥିଲେ ବୈଜୟନ୍ତ । କିନ୍ତୁ ପରୋକ୍ଷରେ ଦଳ ବିରୋଧରେ ଆରମ୍ଭ କରିଥିଲେ ଟ୍ୱିଟ ୱାର । ବୈଜୟନ୍ତଙ୍କ ଆଚରଣ ଓ ଉଚ୍ଚାରଣରେ ହଠାତ ଦେଖାଦେଲା ପରିବର୍ତ୍ତନ । ଟ୍ୱିଟ ଓ ଖବରକାଗଜରେ ବିଜେଡି ସରକାରକୁ ସମାଲୋଚନା ଓ ବିଜେପି ତଥା ମୋଦିଙ୍କ କାର୍ୟ୍ୟକୁ ପ୍ରଂଶସା କରିବା ଦ୍ୱାରା ନବୀନ ତାଙ୍କ ଭିତରେ ଥିବା ଦୂରତା ଆହୁରି ବଢିଥିଲା । କିନ୍ତୁ ଏଥିରୁ କ୍ଷାନ୍ତ ହୋଇନଥିଲେ ବିଜେଡି ରାଜନୀତିର ଅବୁଝା ପୁଅ ଜୟ ।

Baijayanta pandaଖାଲି ଏତିକି ନୁହେଁ, ଦଳ ବିରୋଧରେ ମନ୍ତବ୍ୟ ଓ ଲେଖା ଲେଖିବା କାରଣରୁ ନବୀନ ବୈଜୟନ୍ତଙ୍କୁ ଲୋକସଭାରେ ଦଳୀୟ ମୁଖପାତ୍ର ପଦରୁ ମଧ୍ୟ ହଟାଇଥିଲେ । ଯାହା ତାଙ୍କ ପାଇଁ ବେଶ ଅପମାନଜନକ ମଧ୍ୟ ଥିଲା । ମୁଖପାତ୍ର ପଦରୁ ହଟିବା ପରେ ନବୀନଙ୍କୁ ଯଦିଓ ସିଧାସଳଖ ସମାଲୋଚନା ନକରି କହିଥିଲେ, ଅନ୍ୟ ସାଂସଦ ଖବରକାଗଜରେ ଲେଖା ଲେଖୁଥିଲେ ବି ସେମାନଙ୍କ ବିରୋଧରେ ନିଆଯାଉନି କାର୍ୟ୍ୟାନୁଷ୍ଠାନ । ଏଥିସହ କହିଥିଲେ, ଯଦି ବିଜେଡି ସୁପ୍ରିମୋ ଏହି ନିଷ୍ପତି ନେଇଥାନ୍ତି ତାହେଲେ ସ୍ୱାଗତ କରିବି । ଅର୍ଥାତ୍ ନିଷ୍ପତି ପଛରେ ଆଉ କାହା ହାତ ଥାଇପାରେ ବୋଲି ସେ ଇଙ୍ଗିତ କରିଥିଲେ । ଏଭଳି କହି କିଛି ଅଫିସରଙ୍କୁ ଟାର୍ଗେଟ କରିଥିଲେ ବୈଜୟନ୍ତ ।

ତେବେ ଏଭଳି ବୟାନ ପରେ ତାଙ୍କ ଉପରକୁ ମାଡି ଆସିଲା କଳା ବାଦଲ । ନିଜକୁ ଦଳର ପ୍ରତିଷ୍ଠିତ ସଦସ୍ୟ କହୁଥିବା ବୈଜୟନ୍ତଙ୍କୁ, ବିଜୁ ଶତବାର୍ଷିକି କମିଟିରେ ମଧ୍ୟ ସ୍ଥାନ ମିଳିନଥିଲା । ଯାହା ବୈଜୟନ୍ତଙ୍କ ପାଇଁ ଜବରଦସ୍ତ ଝଟକା ଥିଲା । ଏଡି ଘଟଣା ପରେ ବୈଜୟନ୍ତ ବୁଝି ଯାଇଥିଲେ ଯେ, ଦଳ ତାଙ୍କୁ ଆଉ ଗୁରୁତ୍ୱ ଦେଉନାହିଁ । ସେତେବେଳେ ସେ ବିଜେଡି ଛାଡି ବିଜେପି ଦଳକୁ ଡେଇଁ ପାରନ୍ତି ବୋଲି ଚର୍ଚ୍ଚା ହେଲା । ଏହି ଚର୍ଚ୍ଚାରେ ବୈଜୟନ୍ତ ପୂର୍ଣ୍ଣଛେଦ ପକାଇ କହିଥିଲେ, ଦଳକୁ ସୁଦୃଢ କରିବା ହେଉଛି ତାଙ୍କର ଲକ୍ଷ୍ୟ । ଦଳର ପ୍ରତିଷ୍ଠା ଦିନଠାରୁ ସେ ଦଳରେ ଅଛନ୍ତି । ଦଳର ଉତଥାନ ଦେଖିଛନ୍ତି । ଏବେ ଦଳ ଯେତେବେବେଳେ ଅସୁବିଧାରେ ପଡିଛି ସେ ଦଳକୁ ପରାମର୍ଶ ଦେଉଥିଲେ । କିନ୍ତୁ ତାଙ୍କ କଥାକୁ ଅନର୍ଥ କରି କିଛି ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ନବୀନ ସେମାନଙ୍କୁ ବେଳ ଥାଉ ଥାଉ ଚିହ୍ନିବା ଆବଶ୍ୟକ ବୋଲି କହିଥିଲେ ।

baijayanta panda tweetଏସବୁ ବ୍ୟତୀତ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ବୈଜୟନ୍ତ ଦେଇଥିବା ମତାମତ ଦଳକୁ ଅଧିକ ଅଡୁଆରେ ପକାଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପର୍ୟ୍ୟୟ ପରେ ବୈଜୟନ୍ତ କହିଥିଲେ ଦଳକୁ ଏବେ ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଦଳ ପଞ୍ଚାୟତ ନିର୍ବାଚନର ଫଳାଫରୁ କିଛି ଶିଖିବା ଆବଶ୍ୟକ । ଦଳ ଏବେ କିଛି ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛି । ତେଣୁ ଏଭଳି ପରିସ୍ଥିତି ହେଲା ବୋଲି କହି ଦଳକୁ ଚେତାଇ ଦେଇଥିଲେ । ବୈଜୟନ୍ତଙ୍କ ଏହି ବୟାନ ବିଜେପିକୁ ବେଶ ସୁହାଇଥିଲା । ଆଉ ଏହି ବୟାନ ଉପରେ ଖପ୍ପା ହୋଇଥିଲେ ନବୀନ । ଏହାପରେ ବୈଜୟନ୍ତଙ୍କୁ ନିଜ ନିବାର୍ଚନ ମଣ୍ଡଳୀ କେନ୍ଦ୍ରାପଡାରେ ବାରମ୍ବାର ବିରୋଧର ସାମ୍ନା କରିବାକୁ ପଡିଥିଲା । ଏପରିକି ମହାକାଳପଡାକୁ ନ ଆସିବା ପାଇଁ ବିଜେଡି କର୍ମୀ ଜୟଙ୍କୁ ସିଧାସଳଖ ଚେତାବନୀ ମଧ୍ୟ ଦେଇଥିଲେ ।

ବ୍ରେଜୟନ୍ତଙ୍କ ପାଇଁ ଆଉ ଏକ ଅଡୁଆ ସୃଷ୍ଟି କରିଥିଲା ତାଙ୍କ ତୁଣ୍ଡ । ନିକଟରେ ହୋଇଥିବା ହରତାଳ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ବୈଜୟନ୍ତ ଯେଉଁ ଆଭିମୁଖ୍ୟ ଗ୍ରହଣ କଲେ, ତାକୁ ନେଇ ଦଳ ଅକଳରେ ପଡିଗଲା । ହରତାଳ ବେଳେ ଯେଉଁ ହିଂସାକାଣ୍ଡ ଘଟିଲା, ତାକୁ ନେଇ ସେ ଲଜ୍ଜିତ । ବିଜୁ ବାବୁ ବଂଚିଥିଲେ ସେ ବି ଲଜ୍ଜିତ ହୋଇଥାନ୍ତେ । ୨୦ ବର୍ଷ ପୁର୍ବେ ଯେଉଁ ଦଳକୁ ଗଢିବାକୁ ସେ ନବୀନଙ୍କ ସାଥ୍ ଦେଇଥିଲେ, ଆଜି ସେହି ଦଳ ବଦଳିଯାଇଛି । ପ୍ରକୃତ ବିଜେଡିରେ କିଭଳି ପ୍ରତିବାଦ୍ କରାଯାଉଥିଲା ଆଉ ଆଜିର ବିଜେଡିରେ କିଭଳି ଗୁଣ୍ଡାରାଜ୍ ଚାଲିଛି ତାର ଉଦାହରଣ ରଖିଥିଲେ ସାଂସଦ ପଣ୍ଡା । ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରିଥିଲା, ବୈଜୟନ୍ତ ଆଉ ବିଜେଡି ଲାଇନରେ ନାହାନ୍ତି । ଯେଉଁ ଦଳରେ ୨୦ ସାଂସଦ ଆଉ ୧୧୭ ବିଧାୟକ ଅଛନ୍ତି, କେହି ପ୍ରତିବାଦ କଲେନି, ଏକା ବୈଜୟନ୍ତ କାହିଁକି?

baijayanta panda likely to join bjpରାଜ୍ୟ ରାଜନୀତିରେ ରୋଚକ ରଖୁଥିବା ପ୍ରତି ବ୍ୟକ୍ତି ଜାଣିଛନ୍ତି, ବୈଜୟନ୍ତ ଆଉ ବିଜୁ ଜନତା ଦଳ ରାସ୍ତାରେ ଚାଲୁ ନାହାନ୍ତି । କାଳି ଗାଇର ଭିନ୍ନ ଗୋଠ ଭଳି ସେ ଅଲଗା ଅଲଗା ଯାଉଛନ୍ତି । ତେବେ ଏହା ଏକଲା ଚଲୋ ନୀତି ନୁହେଁ କିମ୍ବା ନୀତି ଆଦର୍ଶର ଲଢେଇ ବି ନୁହେଁ । ଏହାକୁ ରାଜନୈତିକ ସମୀକ୍ଷକ ସୁବିଧାବାଦ ରାଜନୀତିର ଆଖ୍ୟା ଦେଇଛନ୍ତି । ଯେତେବେଳେ ସାଂସଦ ଶଙ୍ଖ ଫୁଙ୍କି ଫୁଙ୍କି ହାଲିଆ ହୋଇଗଲେ, ସେତେବେଳେ ପଦ୍ମ ପୋଖରୀକୁ ଡେଇଁ ପଡିବାକୁ ଉଦ୍ୟମ କଲେ । ଆଉ ଏହି ରାସ୍ତାରେ ସେ ଆଗେଇ ଚାଲିଛନ୍ତି । ବିଜେଡିକୁ ଅଡୁଆରେ ପକାଇ ସେ ବିଜେପିର ନିକଟତର ହେବାକୁ ଉଦ୍ୟମ କରୁଥିବା ସମୀକ୍ଷକ ମତ ରଖିଛନ୍ତି ।

ଏକଦା ନବୀନଙ୍କ ଏକାନ୍ତ ଅନୁଗତ ଥିବା ବୈଜୟନ୍ତ ଏବେ ଦଳ ପାଇଁ ବୋଝ ପାଲଟିଛନ୍ତି । ବୈଜୟନ୍ତଙ୍କ ବୟାନ ବାରମ୍ବାର ଦଳକୁ ଅଡୁଆରେ ପକାଉଛି । ତେଣୁ ତାଙ୍କ ମୁହଁରେ ତୁଣ୍ଡି ଦେବା ପାଇଁ ଦଳୀୟ ମୁଖପାତ୍ରରୁ ମଧ୍ୟ ହଟାଇଥିଲେ । କିନ୍ତୁ ବୈଜୟନ୍ତ ଚୁପ ହୋଇନଥିଲେ । ବୈଜୟନ୍ତଙ୍କ ଏଭଳି ପରିବର୍ତ୍ତନ ଦେଖି ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭି ମଧ୍ୟ ବୈଜୟନ୍ତ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଦାବି କରିଥିଲା । ତେବେ କେଉଁ ସୁତ୍ରକୁ ଆଧାର କରି ଜାତୀୟ ଗଣମାଧ୍ୟମ ଏଭଳି ଦାବି କରିଲା ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି । କିନ୍ତୁ ଜାତୀୟ ଗଣମାଧ୍ୟମରରେ ଏଭଳି ଦାବି ଉଠିବା ପରେ ବୈଜୟନ୍ତ ବିଜେପି ଲିଙ୍କରେ ରହିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଟ୍ୱିଟ୍ କରି ଦଳକୁ ଜ୍ଞାନ ପାଠ ପଢାଉଥିବା ବୈଜୟନ୍ତ କିନ୍ତୁ ଏ ବାବଦରେ ସମ୍ପୂର୍ଣ୍ଣ ନିରବ ରହିବାକୁ ଶ୍ରେୟସ୍କର ମଣିଥିଲେ ।

ଏବେ ନଜର ପକାନ୍ତୁ, ଗତ କିଛି ଦିନ ଧରି କିଭଳି ରହିଥିଲା ବୈଜୟନ୍ତଙ୍କ ବିବାଦୀୟ ମତ ଓ ମନ୍ତବ୍ୟ ।
– ଯାଜପୁର ନେତା ଅମର ନାୟକ ଓ କୋରାପୁଟ ବିଜେଡିରୁ ନିଲମ୍ବିତ ନେତା ଜୟରାମ ପାଙ୍ଗି ବିଜେପିରେ ଯୋଗଦେବା ପରେ ଟ୍ୱିଟ କରି ବୈଜୟନ୍ତ କହିଥିଲେ, ଏନେଇ ସେ ସପ୍ତାହେ ପୂର୍ବରୁ ଚେତାଇଥିଲେ କିନ୍ତୁ କିଛି ହେଲା ନାହିଁ । ମନ୍ତ୍ରିମଣ୍ଡଳରେ ଅନେକ ଜିଲ୍ଲାର ନେତା ସ୍ଥାନ ନପାଇବାରୁ ଅସନ୍ତୋଷ ବଢୁଛି ।
– କନ୍ଧମାଳ ବାଲିଗୁଡାରେ ବୈଜୟନ୍ତ କହିଥିଲେ ବିଜେଡିରୁ ଯେଉଁମାନଙ୍କୁ ବିଦା କରାଯାଇଛି ସେମାନଙ୍କ ବିରୋଧରେ କରାଯାଇଥିଲା ଷଡଯନ୍ତ୍ର ।
– ପଂଚାୟତ ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ବୈଜୟନ୍ତଙ୍କ ଖବରକାଗଜ ଲେଖା ଥିଲା ଖୁବ କଡା । ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲେ । କିପରି ଦଳ ଗଢିଥିବା ନେତାଙ୍କୁ ଅଣଦେଖା କରାଯାଉଛି ତାହା ମଧ୍ୟ ଉଲ୍ଲେଖ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ।
– ଏହାପରେ ଟ୍ୱିଟ ସିରିଜ ଜରିଆରେ ସଫେଇ ରଖିଥିଲେ, ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲି । ହେଲେ ଦଳରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭ୍ରାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ନବୀନ ପଟ୍ଟନାୟକ ଏହାକୁ ଚିହ୍ନଟ କରିବା ସହ ଜରୁରୀ ପଦକ୍ଷେପ ନେଇ ଦଳର ପ୍ରକୃତ ଶକ୍ତିର ଅଭ୍ୟୁଦୟ କରିବେ ।
– ବିଜେଡିର ଆଉ ଜଣେ ସାଂସଦ ତଥାଗତ ଶତପଥୀଙ୍କ ସହ ଟ୍ୱିଟର ଲଢେଇକୁ ଓହ୍ଲାଇ ଆସିଥିଲେ ବୈଜୟନ୍ତ । ବିଜେଡି ବିଭାଜନ ନେଇ ଦିଲ୍ଲୀରେ କିଛି ନେତା ପ୍ରୟାସ କରୁଛନ୍ତି ବୋଲି ତଥାଗତଙ୍କ ଟ୍ୱିଟରରେ ଲେଖିଥିବା ବେଳେ, ବୈଜୟନ୍ତ ଏହାକୁ ନିଜ ଉପରକୁ ନେଇ ତଥାଗତଙ୍କୁ ପରୋକ୍ଷରେ ଲେଖିଥିଲେ, ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।
– ଅଫିସରଙ୍କ ସ୍ୱଛତା ଉପରେ ବୈଜୟନ୍ତ ଉଠାଇଥିଲେ ସବୁଠାରୁ ବଡ ପ୍ରଶ୍ନ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଆଇଏଏସ ଅଫିସର ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ତାଙ୍କୁ ବାହାର କରାଯିବା ଦରକାର । ଜଣେ ବ୍ୟକ୍ତି ଟ୍ୱିଟ୍ କରିଥିଲେ, କର୍ଣାଟକର ମାଇନିଂ ସ୍କାମରେ ଆଇଏଏସ ଅଫିସର ଲାଂଚ ନେଇ ନିଜ ପୁଅର ବିଳାସ ବ୍ୟସନ ପାଇଁ ଖର୍ଚ୍ଚ କରିଥିଲେ । ଏହାରି ଉପରେ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦ ଲେଖିଥିଲେ, ର୍ଦୁଭାଗ୍ୟର କଥା ଏଭଳି ଆଇଏଏସ ଅଫିସର ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନଙ୍କୁ ବାହାର କରିବା ଦରକାର । ନବୀନ ଯେପରି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କଲେ ସେହିପରି ଆଇଏଏସଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଦରକାର । ଦଳ ଓ ସରକାର ଭଳି ଆଇଏଏସଙ୍କ ଉପରେ ମଧ୍ୟ ପଦକ୍ଷେପ ଜରୁରୀ ।

baijayanta panda reactionଏଭଳି କିଛି ବିବାଦୀୟ ମତ ଆଉ ମନ୍ତବ୍ୟକୁ ନେଇ କୁହାଯାଉଥିଲା, ରାଜ୍ୟରେ ବିଜେପିର ବଢୁଥିବା ଶକ୍ତି ଆଉ ବୈଜୟନ୍ତଙ୍କ ଦଳ ଭିତରେ କମୁଥିବା ଲୋକପ୍ରିୟତା ତାଙ୍କୁ ପଦ୍ମ ପୋଖରୀ ଆଡେ ଢଳିବାକୁ ବାଧ୍ୟ କରୁଛି ।ତେବେ ବିଜେଡି ଭିତରେ ବୈଜୟନ୍ତଙ୍କ ଆଚରଣ ଯେ ବିଭିଷଣ ଭଳି, ଏଥିରେ କୈାଣସି ଦ୍ୱନ୍ଦ୍ୱ ରାଜନୈତିକ ମହଲରେ ନାହିଁ । ତେବେ ବଡ ପ୍ରଶ୍ନ ଉଠୁଛି, ବୈଜୟନ୍ତ ପ୍ରାଥମିକ ସଦସ୍ୟ ପଦରୁ ବିଦା ହେବା ପରେ ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ । ଅର୍ଥାତ୍ ସାଂସଦଙ୍କ ସାଂସଦ ପଦ ଚାଲିଯିବ ଓ ଉପ-ନିର୍ବାଚନ ହେବ । ଠିକ୍ ଯେପରି ସୁରେଶ ପ୍ରଭୁଙ୍କ କ୍ଷେତ୍ରରେ ହୋଇଥିଲା । ଏଭଳି କ୍ଷେତ୍ରରେ ବୈଜୟନ୍ତ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ଯାଇପାରନ୍ତି । ତେବେ ରାଜ୍ୟରେ ଖାଲି ହେବାକୁ ଥିବା କେନ୍ଦ୍ରାପଡା ଆସନ ପାଇଁ ଉପ-ନିର୍ବାଚନକୁ ସାମ୍ନା କରିବେ ରାଜନୈତିକ ଦଳ । ଯାହା ଉଭୟ ରାଜନୈତିକ ଦଳର ସ୍ଥିତି ଆକଳନ ପାଇଁ ହେବ ଅଗ୍ନୀପରୀକ୍ଷା ।

ଏଭଳି କିଛି ଖବର ଏଥିପାଇଁ ଚର୍ଚ୍ଚାର ପରିଧି ଭିତରକୁ ଆସିଲା, କାରଣ ମାହାଙ୍ଗାରେ ଆକ୍ରମଣର ଶିକାର ହେବା ପରେ ବିଜେପି ଜଣାଇଥିଲା ସମବେଦନା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପିର ନେତା ବୈଜୟନ୍ତଙ୍କ ସମର୍ଥନରେ ବାହାରିଥିଲେ, ପରୋକ୍ଷରେ କେନ୍ଦ୍ରାପଡା ସାଂସଦଙ୍କ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଥିଲେ । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଥିଲା ।ଯଦି ରାଜନୀତି କିଛି ଏଭଳି ଢଙ୍ଗରେ କଡ ଲେଉଟାଏ, ତେବେ କୁହାଯାଉଛି, ବିଜେପିର ଓଡିଶା ମିଶନକୁ ବହୁତ ବଡ ସଫଳତା ମିଳିବ ଆଉ ନିର୍ବାଚନ ଆଗରୁ ନବୀନଙ୍କୁ ଲାଗିବ ବଡ ଧକ୍କା ।