ବିମୁଦ୍ରାକରଣକୁ ନେଇ ବୈଜୟନ୍ତଙ୍କ ଓକିଲାତି ! କହିଲେ, ନୋଟବନ୍ଦୀ ବିରୋଧରେ ନାହିଁ କାହାର ଅସନ୍ତୋଷ

31

କନକ ବ୍ୟୁରୋ : ବିମୁଦ୍ରାକରଣରୁ କ’ଣ ପାଇଲା ଭାରତ? ଏହାକୁ ନେଇ ଦେଶବ୍ୟାପୀ ବିତର୍କ ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ବିମୁଦ୍ରାକରଣ ସଂପର୍କରେ ସକରାତ୍ମକ ଯୁକ୍ତି ରଖିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି- ମାସର ପ୍ରାୟ ୧୨ ଦିନ ସେ ନିଜ ନିର୍ବାଚନ ମଣ୍ଡଳୀରେ କାଟୁଛନ୍ତି, ହେଲେ ମୁସ୍କିଲରେ ଜଣେ ହେଲେ କାହାରିକୁ ଦେଖି ନାହିଁନ୍ତି ଯିଏ ବିମୁଦ୍ରାକରଣକୁ ବିରୋଧ କରୁଥିବ । ଯେତେବେଳେ, ଠିକ୍ ଦୁଇ ଦିନ ତଳେ ବିମୁଦ୍ରାକରଣକୁ ବର୍ଷେ ପୁରିଛି ଏବଂ ଏହାକୁ ଏକ ବିଫଳ ଅର୍ଥନୀତି କହି କଂଗ୍ରେସ ଦେଶବ୍ୟାପୀ କଳାଦିବସ ପାଳନ ପାଳିଛି । ଠିକ୍ ସେତିକିବେଳେ ବିମୁଦ୍ରାକରଣ ନେଇ ଏଭଳି ଏକ ମନ୍ତବ୍ୟ ରଖିଛନ୍ତି ବୈଜୟନ୍ତ ପଣ୍ଡା । ଯାହାକୁ ନେଇ ଖୋଦ୍ ନିଜ ଦଳରୁ ବିରୋଧର ଶିକାର ହେବାକୁ ପଡ଼ିଛି ।

BAIJAYANTAସେ ଆହୁରି ମଧ୍ୟ କହିଛନ୍ତି-ବିମୁଦ୍ରାରଣକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମାତ୍ର ଯେତେବେଳେ ଏହାକୁ ପ୍ରକାଶ କରିଛି, ସେତେବେଳେ ମୋତେ ସମାଲୋଚନାର ଶିକାର ହେବାକୁ ପଡିଛି । କଳାଧନ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି । ଛୋଟିଆ ଦୋକାନୀଟିଏ ଯିଏ, ଦୁର୍ନୀତିଗ୍ରସ୍ତ ଅଧିକାରୀ, ରାଜନେତା ଏବଂ ଠିକାଦାରଙ୍କ ଯୋଗୁଁ ଜାଗାଟିଏ କିଣି ପାରୁନଥିଲା, ଆଜି ଜାଗାଟିଏ କିଣିବାରେ ସମର୍ଥ ହୋଇଛି । ତେବେ ବୈଜୟନ୍ତଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମ ରାଉତ । ବୈଜୟନ୍ତଙ୍କ ଉଭା ଯେତେ ପୋତା ସେତେ,ସାଧାରଣ ଲୋକଙ୍କ ଦୁଃଖ ବୁଝିବାକୁ ତାଙ୍କର ସାମର୍ଥ୍ୟ ନାହିଁ । । ଟଙ୍କା ଯୁଆଡେ ସେ ସିଆଡେ । ବିମୁଦ୍ରାକରଣ ପରେ ଦେଶର କୋଟି କୋଟି ଲୋକ କେଉଁ ଅବସ୍ଥାରେ ଅଛନ୍ତି ତାଙ୍କୁ ବୁଝିବାକୁ ବେଳ ନଥାଏ । ଏଭଳି କଥା କହି ଦାମ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି ।

ଆଉ ଏହାରି ଭିତରେ ସଂସଦର ଏକ ଗୁମର ଖୋଲିଛନ୍ତି ବୈଜୟନ୍ତ ପଣ୍ଡା । ନିଜ ମନର କଥା ଲୋକଙ୍କ ଆଗରେ ଖୋଲି କହିଛନ୍ତି ବୈଜୟନ୍ତ । ଏକ ଅଣରାଜନୈତିକ ପରିବାରରୁ ଆସି, ୧୭ ବର୍ଷରୁ ଅଧିକ ସମୟ ସଂସଦରେ କଟାଇଥିଲେ ବି ଜଣେ ବାହାର ଲୋକ ଭଳି ଅନୁଭବ କରେ ବୋଲି କହିଛନ୍ତି ସାଂସଦ । ଯାହା ପରୋକ୍ଷରେ ବଂଶାନୁକ୍ରମିକ ରାଜନୀତି ଏବଂ ନିର୍ଦ୍ଦିଷ୍ଟ ନେତା ବା ଗୋଷ୍ଠୀଙ୍କ ପତିଆକୁ ସୂଚାଉଛି ।

ବୈଜୟନ୍ତଙ୍କ ଏହି ବୟାନ ପରେ ଦଳ ଭିତରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି । ଗୋଟିଏ ପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଭିତରେ ସର୍ମ୍ପକ ତିକ୍ତ ହେଉଥିବା ବେଳେ ଏହି ସମୟରେ ବିମୁଦ୍ରାକରଣକୁ ସମର୍ଥନ କରି ବୈଜୟନ୍ତ ଦଳ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ତେବେ ଐସବୁ ଭିତରେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ୱରେ ବିଶ୍ୱାସ କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ମନ୍ତବ୍ୟକୁ କେମିତି ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାର କଥା ।