ଗୋଟିଏ ଗୋଲାପ ଦୁଇଟି କଂଟା : ସେଂଟ୍ରାଲ ହଲରେ ତଥାଗତଙ୍କ ସହ ବୈଜୟନ୍ତଙ୍କ ସେଲଫି

40

କନକ ବ୍ୟୁରୋ :  ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଓ ତଥାଗତ ଶତପଥୀଙ୍କ ମଧ୍ୟରେ ଟ୍ୱିଟ୍ ୱାର ପରେ ଆଜି ବୈଜୟନ୍ତ ଏହି ଫଟୋକୁ ଟ୍ୱିଟ୍ କରିଛନ୍ତି । ଏହି ଫଟୋର ଦୁଇ ପଟରେ ଅଛନ୍ତି ସାଂସଦ ପଣ୍ଡା ଓ ତଥାଗତ । ଏହା ଏକ ସେଲଫି ବୋଲି ମନେ ହେଉଛି । ବୈଜୟନ୍ତ ଲେଖିଛନ୍ତି, ସେଂଟ୍ରାଲ ହଲରେ ଦୁଇଟି କଂଟା ମଧ୍ୟରେ ଏକ ଗୋଲାପ ଫୁଲ ରହିଛି । ଏହି ସେଲଫିର ମଝିରେ ସାଂସଦ ସୁପ୍ରିୟା ସୁଲେ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ସେଂଟ୍ରାଲ ହଲରେ ମଧ୍ୟାହ୍ନ ଭୋଜନ କରିବା ପରେ ଏହି ସେଲ୍ଫି ନିଆଯାଇଛି ।

ଟ୍ୱିଟ୍’ର ସଂପୂର୍ଣ୍ଣ ଅର୍ଥ ସେ ସ୍ପଷ୍ଟ କରିନ ଥିବା ବେଳେ ଏହି ବିବାଦ ସମୟରେ ସେ କାହିଁକି ଏହି ଟ୍ୱିଟ କରିଛନ୍ତି, ତାହା ବି ଅସ୍ପଷ୍ଟ ରହିଛି । ଗତକାଲି ସାଂସଦ ସତପଥୀ ଏକ ଟ୍ୱିଟ୍ କରି ବୈଜୟନ୍ତଙ୍କ ଆଡକୁ ଇସାରା କରି କହିଥିଲେ, ବିଜେଡିକୁ ଭାଙ୍ଗିବା ପାଇଁ ପ୍ରୟାସ କରାଯାଉଛି । ଏଥି ପାଇଁ ଜଣେ ସାଂସଦ ସହାୟତା କରୁଛନ୍ତି । ସେପଟେ ବୈଜୟନ୍ତ ତଥାଗତଙ୍କ ଆଡକୁ ଇସାରା କରି ଟ୍ୱିଟ୍ କରିଥିଲେ , ଏକଦା ସେ ଦଳରୁ ନିଲମ୍ବିତ ହୋଇ ଅନ୍ୟ ରାଜନୈତିକ ଦଳରେ ସାମିଲ ହୋଇଥିଲେ । ତାଙ୍କର ସେଭଳି କିଛି ଅଭିଜ୍ଞତା ନାହିଁ ବୋଲି ବୈଜୟନ୍ତ ଜବାବ ଦେଇଥିଲେ । ଏହି ବିବାଦ ଭିତରେ ଆଜି ବୈଜୟନ୍ତଙ୍କ ଏହି ରୋଚକ ଟ୍ୱିଟକୁ ଧରି ନେଇ ଚର୍ଚ୍ଚା ଜୋର ଧରିଛି ।