କାୟା ମେଲିଲା ଛାୟା ଯୁଦ୍ଧ : କେନ୍ଦ୍ରାପଡାରେ ଲଢିଲେ ବୈଜୟନ୍ତ ଓ ଅତନୁଙ୍କ ସମର୍ଥକ

26

କେନ୍ଦ୍ରାପଡା : ବିଜେଡିର ଅନ୍ତଦ୍ୱର୍ଦ୍ୱ ଇତିହାସରେ କେନ୍ଦ୍ରାପଡା ଯୋଡିଲା ନୂଆ ଅଧ୍ୟାୟ । ମୁହାଁ ମୁହିଁ ହେଲେ ଅତନୁ ଓ ବୈଜୟନ୍ତ । ଅତନୁଙ୍କୁ ଚ୍ୟାଲେଂଜ ଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ସଭାରେ ଯୋଗ ଦେଲେ ସାଂସଦ ବୈଜୟନ୍ତ ପଣ୍ଡା । ସମ୍ ଅଗ୍ନିକାଣ୍ଡ ପରେ ବିଜେଡିର ଦୁଇ ହେଭିୱେଟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ । ଆଉ ଆଜି ଏହି ଯୁଦ୍ଧ ଖୋଲାଖୋଲି ହୋଇଥିଲା, ତାହା ପୁଣି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ।

ହେଲେ ଏ ଦୁଇ ଯୋଦ୍ଧାଙ୍କ ଲଢେଇର ଖବର କିନ୍ତୁ ଜମା ବିଚଳିତ କରିନି ଦଳୀୟ ମୁଖିଆଙ୍କୁ । ବୈଜୟନ୍ତ ନିଜ ଚ୍ୟାଲେଂଜ୍ ମୁତାବକ ଯୋଗ ଦେଇଛନ୍ତି ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ । ତେବେ ଶୃଙ୍ଖଳିତ ଦଳର ଏ ବିଶୃଙ୍କଳାକୁ ନେଇ ଏବେ ଓଡିଶା ରାଜନୀତିରେ ଖୁବ୍ ଚର୍ଚ୍ଚା । ଏପରିକି ନିଜ ଦଳର ନେତା ବି ଏହାକୁ ସମାଲୋଚନା କରିଛନ୍ତି ।

ସାଂସଦ ବୈଜୟନ୍ତଙ୍କ ପାଇଁ ବନ୍ଦ ହେଲା କେନ୍ଦ୍ରପଡାର କବାଟ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମର୍ଥକଙ୍କ ଏ ଖୋଲା ଆହ୍ୱାନ ବିଚଳିତ କରିଥିଲା ବୈଜୟନ୍ତଙ୍କୁ । ଯାହାକୁ ସେ ଗତକାଲି ଚ୍ୟାଲେଂଜ୍ କରିଥିଲେ । କେବଳ ସେତିକି ନୁହେଁ ସମ୍ ନିଆଁର କଥାକୁ ବି ମୁହଁରେ ଧରିଲେ ।

ଗତକାଲି ମିଡିଆ ଆଗରେ କହିଲେ । ଆଜି ସୋସିଆଲ୍ ମିଡିଆରେ ଲେଖିଲେ । ପୁଲିସ୍ କୁଆଡେ କେନ୍ଦ୍ରପଡା ନଯିବାକୁ ତାଙ୍କୁ ପରାମର୍ଶ ଦେଇଛି । ବୈଜୟନ୍ତ ସିଧାସଳଖ ଲେଖିଲେ , ମୁଁ ଗୁଣ୍ଡାଙ୍କୁ ଡରୁନାହିଁ । କେବଳ ସେତିକି ନୁହେଁ ଯଦି ଆଇନ୍ ଶୃଙ୍ଖଳା ପରିସ୍ଥିତିର ସମ୍ଭାବନା ଅଛି, ତେବେ କାର୍ଯ୍ୟକ୍ରମ ବାତିଲ୍ କରାଯାଉ ବୋଲି ରୋକ୍ ଠୋକ୍ ଶୁଣାଇଥିଲେ ବୈଜୟନ୍ତ । ଆଉ ଗୁଣ୍ଡା ବାହିନୀକୁ ପୁଲିସ୍ ଗିରଫ କରୁ ବୋଲି ମଧ୍ୟ କହିଥିଲେ ।

ଏହାର କିଛି ଘଂଟା ପରେ ବୈଜୟନ୍ତ ପହଂଚିଥିଲେ ମହାକାଳପଡାରେ । ଆଉ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପୁଣି ଟ୍ୱିଟ୍ କରି ଜଚ୍ଚାଇଥିଲେ ନିଜ ବିଜୟର କଥା । କହିଲେ, ବିରୋଧୀଙ୍କ ସଂଖ୍ୟା ଠାରୁ ସମର୍ଥକଙ୍କ ସଂଖ୍ୟା ଥିଲା ଖୁବ୍ ଢେର୍ । କେବଳ କେନ୍ଦ୍ରପଡା ନୁହେଁ ଅତନୁଙ୍କୁ ଚେକ୍ ଦେବାକୁ ବୈଜୟନ୍ତଙ୍କ ସମର୍ଥକମାନେ ଭୁବନେଶ୍ୱରରେ କରିଥିଲେ ବିକ୍ଷୋଭ । ଅତନୁଙ୍କ କୁଶ ପୁତଳିକା ଦାହ କରିବା ସହ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଥିଲେ ।