ବୈଜୟନ୍ତଙ୍କୁ ପାଲଟା ପ୍ରଶ୍ନ ! କେଉଁ ନେତା ଓ ଆଇଏଏସ କରିଛନ୍ତି ଲୁଟ୍ . . ସ୍ପଷ୍ଟ କରନ୍ତୁ ସାଂସଦ

44

କନକ ବ୍ୟୁରୋ : ବୈଜୟନ୍ତଙ୍କ ଟ୍ୱିଟରେ ନେତା-ଅଫିସର ମିଲି ଭଗତର ବଡ ଖୁଲାସା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ କରି ପୁଣି ଏକ ବିରାଟ ବିତର୍କ ସୃଷ୍ଟି କରିଛନ୍ତି ବିଜେଡିର ଏହି ବିବାଦୀୟ ସାଂସଦ । ବୈଜୟନ୍ତଙ୍କ ଟ୍ୱିଟ୍ ପରେ ତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି , ବିଜେଡି ନେତା । କହିଛନ୍ତି, କେଉଁ ନେତା ଓ ଅଫିସର ମିଶି ଦୁର୍ନୀତି କରୁଛନ୍ତି, ତାହା ବୈଜୟନ୍ତ ସ୍ପଷ୍ଟ କରନ୍ତୁ । ବିଜେପି ଓ କଂଗ୍ରେସ ମଧ୍ୟ ଅନୁରୁପ ଦାବି କରିଛନ୍ତି । ସଂପୃକ୍ତ ନେତା ଓ ଅଫିସରଙ୍କ ନାଁ ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି କହିଛନ୍ତି ବିରୋଧୀ ।

ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଗତକାଲି କରିଥିବା ଦୁଇଟି ଟ୍ୱିଟ ଥିଲା ଏହିଭଳି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଆଇଏଏସ ଅଫିସର ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ତାଙ୍କୁ ବାହାର କରାଯିବା ଦରକାର । ଜଣେ ବ୍ୟକ୍ତି ଟ୍ୱିଟ୍ କରିଥିଲେ, କର୍ଣ୍ଣାଟକର ମାଇନିଂ ସ୍କାମରେ ଆଇଏଏସ ଅଫିସର ଲାଂଚ ନେଇ ନିଜ ପୁଅର ବିଳାସ ବ୍ୟସନ ପାଇଁ ଖର୍ଚ୍ଚ କରିଥିଲେ । ଏହାରି ଉପରେ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦ ଲେଖିଥିଲେ, ର୍ଦୁଭାଗ୍ୟର କଥା ଏଭଳି ଆଇଏଏସ ଅଫିସର ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନଙ୍କୁ ବାହାର କରିବା ଦରକାର ।

ଏହାର କିଛି ସମୟ ପରେ ପୁଣି ଏକ ଟ୍ୱିଟ କରି ଲେଖିଲେ ବୈଜୟନ୍ତ …
ନବୀନ ଯେପରି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କଲେ ସେହିପରି ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦରକାର । ଦଳ ଓ ସରକାର ଭଳି ଆଇଏଏସଙ୍କ ଉପରେ ମଧ୍ୟ ପଦକ୍ଷେପ ଜରୁରୀ ।

ବୈଜୟନ୍ତଙ୍କ ଏଭଳି ସିରିଜ ଟ୍ୱିଟକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି । ତେବେ ବୈଜୟନ୍ତଙ୍କ ଲେଖାକୁ ନେଇ ବିଜେଡିରେ ଭିନ୍ନ ମତ । ବ୍ୟକ୍ତିଗତ ମତ ରଖିଥିବାରୁ ଏହା ଦଳୀୟ ଅନୁଶାସନ ଭଙ୍ଗ କରୁ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ପ୍ରତାପ ଦେବ । ହେଲେ ଦାମ ରାଉତ କହିଛନ୍ତି ବୈଜୟନ୍ତ ନିର୍ଦ୍ଦିଷ୍ଟ ଅଫିସରଙ୍କ ନାଁକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ ।

ଏପଟେ ନିଜ ଟ୍ୱିଟର ସିରିଜରେ ଆଉଏକ କଡାକଥା ଯୋଡିଛନ୍ତି ବୈଜୟନ୍ତ । ଗୋଟିଏ ଝୁଡିରେ ଯେପରି ଗୋଟିଏ ବା ଦୁଇଟି ପଚା ସେଓ ଥିଲେ ପୁରା ଝୁଡିକୁ ନଷ୍ଟ କରିଦିଏ, ସେହିଭଳି କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଲାଗି ଏଭଳି ସମସ୍ୟା ହେଉଛି । ନେତା ଓ ଅଫିସରଙ୍କ ମଧୁ ଚନ୍ଦ୍ରିକା ନେଇ ବିରୋଧୀଙ୍କ ବାରମ୍ବାର ସମାଲୋଚନା ଭିତରେ ବୈଜୟନ୍ତଙ୍କ ଅଫିସରଙ୍କ ବିରୋଧରେ ଏଭଳି ଅଭିଯୋଗ ବିଜେଡି ପାଇଁ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି ।