ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବୈଜୟନ୍ତ ପଣ୍ଡା ନିଲମ୍ବିତ !

158

କନକ ବ୍ୟୁରୋ :  ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ବିଜେଡି ଉପ-ସଭାପତି ସୂର୍ୟ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ। ଏଥି ସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ଦଳର ସଭାପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

କିଛିଦିନ ପୂର୍ବରୁ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଲିଖିତ ଭାବେ ଜଣାଇଥିଲେ, ରାଜ୍ୟ ସଭାପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ କରାଯାଇଥିଲା । ମାତ୍ର ନିର୍ବାଚନ ପରଠାରୁ ସେ ନିର୍ବାଚନମଣ୍ଡଳୀର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବେ ବି ଆଲୋଚନା କରିନାହାନ୍ତି । ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ପଚାରୁନାହାନ୍ତି । ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ନିଜେ ରାଜ୍ୟ ସଭାପତି ନିର୍ଦେଶ ଦେଇଥିଲେ ଯେ ସଂସଦୀୟ କ୍ଷେତ୍ର ଉନ୍ନୟନ ପାଣ୍ଠିର ସୁଷମ ବଣ୍ଟନ କରାଯାଉ । ଏ ସଂପର୍କରେ ସେତେବେଳେ ଖବରକାଗଜରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ସାଂସଦ ତାଙ୍କର ଦରମାପ୍ରାପ୍ତ କିଛି କର୍ମଚାରୀଙ୍କ ଦ୍ୱାରା ଅନାବଶ୍ୟକ ସ୍ଥାନରେ ସାଂସଦ ପାଣ୍ଠିର ଦୁରୁପଯୋଗ କରିଛନ୍ତି । ଏପରିକି ଏଥିରେ ଥିବା ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି । ବିଜେଡି କର୍ମୀ ଆହୁରି ଅଭିଯୋଗ କରିଛନ୍ତି, ଗତବର୍ଷ ମହାକାଳପଡ଼ାରେ ଅନୁଷ୍ଠିତ ଏକ ଜନସଭାରେ କିଛି ନିର୍ଦିଷ୍ଟ ଅପରାଧୀଙ୍କୁ ଧରି ସାଂସଦ ପହଞ୍ଚିଥିଲେ ।

ଏଥିଯୋଗୁଁ ସେ ସ୍ଥାନୀୟ ଜନତାଙ୍କ ରୋଷର ଶିକାର ହୋଇଥିଲେ। ଦଳର ହିତ ହେବା ଭଳି ସେ କାର୍ଯ୍ୟ କରୁନାହାନ୍ତି । ବରଂ ସ୍ଥାନୀୟ ଅଞ୍ଚଳର ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି, ସାଙ୍ଗରେ ନିର୍ଦିଷ୍ଟ କିଛି ବିଜେପି ନେତାଙ୍କୁ ନେଇ ଯାଉଛନ୍ତି ଓ ବିରୋଧୀ ଦଳ କର୍ମୀ ଏବଂ ନେତାଙ୍କ ସହିତ ବସୁଛନ୍ତି । ଦୁଇଦିନ ତଳେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ସମେତ କିଛି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେତେବେଳେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା ।

ଉଲ୍ଲେଖ ଥାଉକି, ନିଶ୍ଚିନ୍ତକୋଇଲି ବ୍ଲକରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗକୁ ନେଇ ବିଜେଡି ବିବାଦ ପଦାକୁ ଆସିଥିଲା । ଶ୍ରୀ ପଣ୍ଡା ଏହି ଘଟଣାରେ ଖୋଲାଖୋଲି ତୃତୀୟ ମହଲାକୁ ଆଙ୍ଗୁଠି ଉଠାଇବା ପରେ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଥିଲା । ସାଂସଦ ଶୃଙ୍ଖଳାର ସବୁ ସୀମା ସରହଦ ଡେଇଁ ସାରିଲେଣି ବୋଲି ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦ ପୂର୍ବରୁ କହିଥିଲେ । ଏହା ସତ୍ତ୍ୱେ ସେ ଥମିନଯାଇ କେତେବେଳେ ନିଜର ରାଜନୈତିକ ସଚିବଙ୍କ ମାଧ୍ୟମରେ ପ୍ରତିକ୍ରିୟା ରଖୁଥିଲେ ତ ଆଉ କେତେବେଳେ ଟ୍ଵିଟ୍ କରି ଦଳୀୟ କାର୍ୟ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ।