ବିଜେଡି ବନାମ ବୈଜୟନ୍ତ ! ସଂସଦୀୟ ଦଳ ମୁଖପାତ୍ର ପଦରୁ ବହିଷ୍କୃତ ହେବା ପରେ ସାଂସଦଙ୍କ କ୍ଷୋଭ

25

କନକ ବ୍ୟୁରୋ : ବିଜେଡି ସଂସଦୀୟ ଦଳ ମୁଖପାତ୍ର ପଦରୁ ହଟାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ ପଣ୍ଡା । କହିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଯଦି ଦଳର ଫାଇଦା ହେବ, ତାହେଲେ ସେ ଏହାକୁ ସ୍ୱାଗତ କରିବେ । ବିଜେଡିର ଆଉ ଜଣେ ସାଂସଦ ଭର୍ତୃହରି ମହତାବଙ୍କ ଉଦାହରଣ ଦେଇଛନ୍ତି ବୈଜୟନ୍ତ । କହିଛନ୍ତି, ଭର୍ତୃହରି ମହତାବ ତାଙ୍କଠାରୁ ଆହୁରି ଅଧିକ କଥା ଲେଖିଛନ୍ତି ଏବଂ କହିଛନ୍ତି । ଏହାରି ଭିତରେ ବିଜେପିରେ ମିଶିବା ପ୍ରଶ୍ନକୁ ଏଡାଇଯାଇଛନ୍ତି ବୈଜୟନ୍ତ ପଣ୍ଡା ।

ପଂଚାୟତ ନିର୍ବାଚନ ପରେ ନବୀନ ସର୍ବସାଧାରଣରେ ଆତ୍ମସମୀକ୍ଷାର ଆବଶ୍ୟକତା ଥିବା କହିଥିଲେ । ଆଉ ସେହି ମର୍ମରେ ସେ ଖବରକାଗଜରେ ଲେଖିଥିଲେ ବୋଲି ସଫେଇ ଦେଇଛନ୍ତି । ଯଦି ତାଙ୍କୁ ଦଣ୍ଡ ଦେଇ ଦଳର ଭଲହେବ ତାହେଲେ ସେ ଖୁସିହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ବୈଜୟନ୍ତଙ୍କ ବିବାଦୀୟ ଲେଖାକୁ ନେଇ ଦଳୀୟ ନେତାମାନେ ଖୋଲିଖୋଲି ସମାଲୋଚନା କରିଥିଲେ । ଦଳର ଆଭ୍ୟନ୍ତରୀଣ କଥା ଦଳୀୟ ଫୋରମରେ ଉଠାଇବାକୁ ପରାମର୍ଶ ବି ଦେଇଥିଲେ । ହେଲେ ଗତମାସରେ ସଂସଦୀୟ ଦଳ ବୈଠକରେ ସେ ଏହି ପ୍ରସଙ୍ଗ ଉଠାଇଥିବା କହି ପରୋକ୍ଷରେ କାର୍ଯ୍ୟାନୁଷ୍ଠାନକୁ କାଠଗଡାରେ ଛିଡା କରାଇଛନ୍ତି ।

ବୈଜୟନ୍ତ କହିଛନ୍ତି ଦଳରେ ସମସ୍ୟା କଥା ତାଙ୍କ ଅପେକ୍ଷା, ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ଅଧିକ ଉଠାଇଛନ୍ତି । ଏଭଳି କହି କେବଳ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି ବୈଜୟନ୍ତ ଇସାରା ଦେଇଛନ୍ତି ।

ବିଜେପିରେ ଯୋଗ ଦେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୈଜୟନ୍ତ । ୨୦ ବର୍ଷ ହେଲା ସେ ବିଜେଡି ଆରମ୍ଭରୁ ଅଛନ୍ତି ଓ ଦଳ କେମିତି ଆହୁରି ସଂଗଠିତ ହେଉ, ମଜଭୂତ ହେଉ କେବଳ ସେଇଆ ହିଁ ସେ ଚାହୁଁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ଅନେକ ଦିନ ହେଲା ବିବାଦୀୟ ଲେଖା ମାଧ୍ୟମରେ ବିଜେଡିକୁ ଅଡୁଆରେ ପକାଇ ଆସୁଥିବା ବୈଜୟନ୍ତଙ୍କ ପକ୍ଷ ଛେଦନ ପାଇଁ ଗତକାଲି ତାଙ୍କୁ ସଂସଦୟୀ ଦଳ ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିଲା । ଏଭଳି ପଦକ୍ଷେପ ନେଇ ବିବାଦୀୟ ବୟାନ ରଖୁଥିବା ନେତାଙ୍କ ମୁହଁ ବନ୍ଦ କରୁବାକୁ ଚେଷ୍ଟା କରିଥିଲେ ନବୀନ । ହେଲେ କାର୍ଯ୍ୟାନୁଷ୍ଠା ପରେ କେନ୍ଦ୍ରାପଡା ସାଂସଦଙ୍କ ପ୍ରତିକ୍ରିୟା ତାଙ୍କ ଶାଣିତ ଲେଖାଠାରୁ ବଳି ଯାଇଛି । ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ ।