କେନ୍ଦ୍ରାପଡା ଛାଡିବେ କି ବୈଜୟନ୍ତ ! ପ୍ରେସ୍ କ୍ଲବରେ କହିଲେ ଅବିଭକ୍ତ ସମ୍ବଲପୁରରେ ମାମୁଁଘର, ସୁଯୋଗ ପାଇଲେ ସେବା କରିବି

33

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଛାଡ଼ିବେ କି ସାଂସଦ ବୈଜୟନ୍ତ ପଣ୍ଡା ? କେନ୍ଦ୍ରାପଡ଼ା ଛାଡ଼ି ପଶ୍ଚିମ ଓଡ଼ିଶାର କୌଣସି ଆସନରୁ ଲଢ଼ିବେ କି ନିର୍ବାଚନ? ଆଜି ସମ୍ବଲପୁର ପ୍ରେସ୍ କ୍ଲବରେ  ବିଜେଡି ସାଂସଦ ଯେଉଁ ସୂଚନା ଦେଇଛନ୍ତି, ସ୍ୱତଃପ୍ରବୃତ ଭାବରେ ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆସିବା ସ୍ୱାଭାବିକ । ଆଜି ବୈଜୟନ୍ତ ସମ୍ବଲପୁରରେ କହିଛନ୍ତି-ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ତାଙ୍କ ମାମୁଁ ଘର । ଏବଂ ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାର ସେବା କରିବେ । ପୂର୍ବରୁ ସେ ବରଗଡ଼ରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଥିଲା । ଆଉ ଏସବୁ ଭିତରେ ଅଚାନକ୍ ବୈଜୟନ୍ତଙ୍କୁ ମାମୁ ଘର କଥା ମନେ ପଡ଼ିଲା, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ, ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମତ ରଖିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ନିଜ ସ୍ୱାର୍ଥ ପାଇଁ ସେ କୌଣସି ମତ ରଖନ୍ତି ନାହିଁ, ବରଂ ଓଡ଼ିଶାର ଲୋକ ଏବଂ ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମତ ରଖୁଥିବା କହିଛନ୍ତି ବିଜେଡି ସାଂସଦ । ଖବରକାଗଜରେ ଲେଖା ହେଉ କିମ୍ବା ଟ୍ୱିଟ୍ ସବୁ, ଲୋକ ଏବଂ ବିଜେଡିର ହିତକୁ ଦୃଷ୍ଟିରେ ରଖନ୍ତି ବୋଲି କହିଛନ୍ତି । ବିଜେଡିର ହରତାଳ ସହରେ ବୈଜୟନ୍ତ ଯେଉଁ ଟ୍ୱିଟ୍ କରିଥିଲେ, ତାକୁ ପରବର୍ତୀ ସମୟରେ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରଥିଲେ ବୋଲି କହିଛନ୍ତି । ଯଦି ଦଳୀୟ ସୁପ୍ରିମୋଙ୍କ ମତ ଠିକ୍ ତେବେ ତାଙ୍କ ମତ ମଧ୍ୟ ଠିକ୍ ବୋଲ କହିଛନ୍ତି ବୈଜୟନ୍ତ ପଣ୍ଡା ।