ନବୀନଙ୍କ ପ୍ରତିକ୍ରିୟା ପରେ ଟ୍ୱିଟ୍ କଲେ ସାଂସଦ ବୈଜୟନ୍ତ ପଣ୍ଡା ! କହିଲେ, ଘଟଣାକୁ ନେଇ ମୁଁ ଗଭୀର ମର୍ମାହତ

40

କନକ ବ୍ୟୁରୋ : ନବୀନଙ୍କ ପ୍ରତିକ୍ରିୟା ପରେ ଟ୍ୱିଟ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତ କହିଛନ୍ତି ,ସେ ଅତ୍ୟନ୍ତ ମର୍ମାହତ ।  ଯେତେବେଳେ ଦୁର୍ନୀତି  ସରକାରୀ ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବାକୁ ବିଜୁ ବାବୁ ଦାବି କରିଥିଲେ , ସେତେବେଳ ବିଜୁ ବାବୁଙ୍କ ପାଖରେ କଣ ପ୍ରସଙ୍ଗ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ପ୍ରସଙ୍ଗ ନଥିଲା, ମାହାଙ୍ଗାରେ କଣ ପାଇଁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଗଲା ।  ତାଙ୍କ ଗସ୍ତ ମାହାଙ୍ଗାରେ କିଛି ଅପ୍ରୀତିକର ପରିସ୍ଥିତି କରିଛ ବୋଲି ସେ ପଚାରିଛନ୍ତି । ସେ କହିଲେ ତାଙ୍କ ନେତା ଚାହିଁଲେ ତାଙ୍କୁ ପରୀକ୍ଷା କରିପାରିବେ ।

ଅନ୍ୟପଟେ ବୈଜୟନ୍ତଙ୍କୁ ନେଇ ବିଜେଡି ରାଜନୀତି ସରଗରମ ହୋଇଛି । ଗତକାଲି ସାଂସଦ ପଣ୍ଡା ତୃତୀୟ ମହଲାକୁ ଟାର୍ଗେଟ କରିବା ପରେ ଆଜି  ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଜୟନ୍ତଙ୍କ ନାଁ ନନେଇ ନବୀନ କହିଛନ୍ତି ଯେତେବେଳେ କାହାପାଖରେ କୌଣସି ପ୍ରସଙ୍ଗ ନଥାଏ ସେମାନେ ତାଙ୍କ ଅଫିସକୁ ଟାର୍ଗେଟ କରିଥାନ୍ତି । ବୈଜୟନ୍ତଙ୍କୁ ଜବାବ ମଗାଯିବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ  ନବୀନ କହିଥିଲେ, ଯାହା ଠିକ ତାହା କରାଯିବ । ସୂଚନାଯୋଗ୍ୟ ଗତକାଲି ମାହାଙ୍ଗା ଅଂଚଳରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ବେଳେ ସାଂସଦ ବୈଜୟନ୍ତ ପଣ୍ଡା ତୃତୀୟ ମହଲାର ଅଣଓଡିଆ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ । ଏପରିକି ବିଜୁ ତତ୍ତ୍ୱ କଥା ବି ମନେ ପକାଇ ଦେଇଥିଲେ । ବିଜୁ ବାବୁ କହିଥିଲେ ଯେଉଁ ଅଫିସର କାମ କରୁନାହିଁ ତାକୁ ମାଡ଼ ମାର । ଆଉ ପରୋକ୍ଷରେ ବୈଜୟନ୍ତ ଏଭଳି ଇସାରା କରିବାକୁ ପଛାଇ ନାହାଁନ୍ତି । ଏହାସହ ବୈଜୟନ୍ତ କହିଥିଲେ କିଛି ଅଫିସର ଏବେ ନିଜ ଲକ୍ଷ୍ମଣ ରେଖା ଡେଇଁ ଦଳୀୟ କାର୍ୟ୍ୟକ୍ରମରେ ମୁଣ୍ଡ ପୂରାଉଛନ୍ତି । ସେହିଭଳି ନେତାଙ୍କୁ ସମ୍ମାନ ଦେବା ଆବଶ୍ୟକ ନାହିଁ । ତେବେ ବୈଜୟନ୍ତ ଏଭଳି କହି ବିଜେଡିକୁ ଅଡୁଆରେ ପକାଇଥିଲେ ।