ବିଜେପି ରାସ୍ତା ବନ୍ଦ ହେବା ପରେ ବଦଳୁଛି କି ବୈଜୟନ୍ତଙ୍କ ଆଭିମୁଖ୍ୟ ? ଖେଳନା ବନ୍ଧୁକରେ ଆକ୍ରମଣ ଚାଲିଥିବା ନେଇ କଲେ ଟ୍ୱିଟ ।

ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହେବା ପରେ କେତେବେଳେ ଜାତୀୟ ଗଣମାଧ୍ୟରେ ତ କେତେବେଳେ ନିଜ ସୋସିଆଲ ଆକାଉଣ୍ଟରେ ମୋଦିଙ୍କ ଉପରେ ବର୍ଷୁଛନ୍ତି ବୈଜୟନ୍ତ ।

470

କନକ ବ୍ୟୁରୋ: ସୋସିଆଲ ମିଡ଼ିଆରୁ ବିଜେପି ବିରୋଧରେ ବିଷ ଓଗାଳୁଛନ୍ତି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହେବା ପରେ କେତେବେଳେ ଜାତୀୟ ଗଣମାଧ୍ୟରେ ତ କେତେବେଳେ ନିଜ ସୋସିଆଲ ଆକାଉଣ୍ଟରେ ମୋଦିଙ୍କ ଉପରେ ବର୍ଷୁଛନ୍ତି ବୈଜୟନ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତ ନେଇ ରାଜ୍ୟ ରାଜନୀତି ଗୁମ୍ ସୁମ୍ ଥିବାବେଳେ ନିଜ ଟ୍ୱିଟରରୁ ମୋଦି ବିରୋଧୀ ବାଣ ମାରିଛନ୍ତି ବୈଜୟନ୍ତ ଯାହାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃ୍ଷ୍ଟି ହେବାରେ ଲାଗିଛି ।

BAIJAYANTAବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହେବାପରେ ବୁଲେଇ ବଙ୍କେଇ କେନ୍ଦ୍ର ସରକାରଙ୍କୁ ନିଶାନା କରିଛନ୍ତି ଜୟ ପଣ୍ଡା । ବୈଜୟନ୍ତ ପରୋକ୍ଷରେ ମୋଦି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଖେଳନା ବନ୍ଧୁକରୁ ବର୍ତ୍ତମାନ ଗୁଳିଚାଳନା କରାଯାଉଛି । ଜବାବରେ ଯେଉଁ ଆକ୍ରମଣ କରାଯାଉଛି ତାହା ବି ପ୍ରଭାବଶୂନ୍ୟ । ଏହା କେବଳ ଆତସବାଜୀ ଭଳି ଶଦ୍ଦ କରୁଛି, ହେଲେ ଏଥିରେ ଗୋଳାବାରୁଦ ନାହିଁ । ସଂସଦରେ ଭୋଟିଂ ରେକର୍ଡକୁ ଅନୁଧ୍ୟାନ କଲେ ଏହା ସହଜରେ ଜାଣିହେବ । ଦୁର୍ନୀତି ଓ ଭ୍ରଷ୍ଟାଚାର ମାମଲାର ଅଗ୍ରଗତିକୁ ଦେଖିଲେ ମଧ୍ୟ ଜାଣିହେବ । ଉଭୟଙ୍କ ଫାଇଦା ରହିଛି, ଓଡିଶା କ୍ଷତି ସହୁଛି ।


ଗତ କିଛି ଦିନ ତଳେ ଦିଲ୍ଲୀରେ ବୈଜୟନ୍ତ ନିଜ ପୁସ୍ତକ ଉନ୍ମୋଚନ ସମାରୋହରେ ମୋଦିଙ୍କୁ ସମାଲୋଚନା କରିଥିଲେ । ଏବଂ କହିଥିଲେ ରାଜ୍ୟରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ଚୁପ୍ ବସିଛି ବିଜେପି । ନବୀନଙ୍କ ପ୍ରତି ମୋଦିଙ୍କ ନରମ ଅଭିମୂଖ୍ୟ ପଣ୍ଡା ବାବୁଙ୍କୁ ନାପସନ୍ଦ ବୋଲି ତାଙ୍କ ବୟାନରୁ ବାରି ହୋଇପଡ଼ୁଛି ।

ପୂର୍ବରୁ ବିଜେଡ଼ିରେ ଥିଲା ବେଳେ ଏବଂ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପି ସପକ୍ଷରେ ଯଥେଷ୍ଟ ଓକିଲାତି କରିଥିଲେ ବୈଜୟନ୍ତ ପଣ୍ଡା । ମୋଦିଙ୍କ ନୀତିକୁ ସମାଲୋଚନା କରିବା ଠାରୁ ଆରମ୍ଭ କରି ପଂଚାୟତ ନିର୍ବାଚନ ପରେ ବିଜେପିର ସ୍ଥିତିକୁ ପ୍ରଶଂସା କରି ଖବରକାଗଜରେ ଲେଖା ଲେଖିବା ପର୍ଯ୍ୟନ୍ତ ସବୁଥିରେ ବିଜେପି ପାଇଁ ଅହେତୁକ ଆଗ୍ରହ ବେଶ ବାରି ହୋଇପଡୁଥିଲା ।

ତେବେ ହଠାତ କାହିଁକି ନିଜ ଆଭିମୁଖ୍ୟ ବଦଳାଇଲେ ବୈଜୟନ୍ତ ପଣ୍ଡା । କୁହାଯାଉଛି, ବିଜେପିରେ ସାମିଲ ହେବା ପାଇଁ ଥିବା ଦ୍ୱାର ବନ୍ଦ ହେବା ପରେ ବିଜେପି ଓ ଏହାର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୈଜୟନ୍ତ । ଆଉ ଏହାକୁ ଆୟୁଧ କରି ରାଜ୍ୟ ରାଜନୀତିରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବାକୁ ବୈଜୟନ୍ତ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।