ବିଜେପି ନେତାଙ୍କ ଗହଣରେ ବୈଜୟନ୍ତ ପଣ୍ଡା ! କଟକସ୍ଥିତ ବାସଭବନରେ ସାଂସଦଙ୍କୁ ସମ୍ବର୍ଦ୍ଧିତ କଲେ ସମୀର ଦେ, ୧୫ ମିନିଟ୍ ଧରି ରୁଦ୍ଧଦ୍ୱାର ଆଲୋଚନା

78

କନକ ବ୍ୟୁରୋ: ବିଜେପି ନେତାଙ୍କୁ ଭେଟିଲେ ବୈଜୟନ୍ତ । ସମୀର ଦେ ଙ୍କ ସହ କଲେ ଗୁପ୍ତ ଆଲୋଚନା । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ସମୀରଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସମୀର । ବୈଜୟନ୍ତଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ଅନେକ ନେତା ଓ କର୍ମୀଙ୍କ ସମୀରଙ୍କ ବାସଭବନରେ ଉପସ୍ଥିତ ରହିଥିଲେ । ଖାଲି ସେତିକି ନୁହେଁ ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ କାଳ ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ ହୋଇଛି ।

ସୂଚନା ମୁତାବକ, ଗତକାଲି ସଂଧ୍ୟା ପ୍ରାୟ ୬ଟା ସମୟରେ ବୈଜୟନ୍ତ ଶ୍ରୀ ଦେ’ଙ୍କ ବାସଭବନରେ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ସମୀରଙ୍କ ଅନୁଗତ ତଥା ବିଜେପିର ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ପ୍ରଥମେ ପାଖାପାଖି ୧୫ ମିନିଟ୍ କାଳ ଶ୍ରୀ ଦେ’ ଓ ଶ୍ରୀ ପଣ୍ଡା ନିଭୃତରେ ଆଲୋଚନା କରିବା ପରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ ମେୟର ନିବେଦିତା ପ୍ରଧାନ, ବରିଷ୍ଠ ନେତା ରାଜେନ୍ଦ୍ର ସାମଲ, ଦେବାଶିଷ ଘୋଷ, ଶାନ୍ତି କମିଟିର ସଂପାଦକ ଭିକାରୀ ଦାସ, ବିଜେପିର ବିଭିନ୍ନ ମଣ୍ଡଳର କାର୍ଯ୍ୟକର୍ତ୍ତା, ବିଭିନ୍ନ କୀର୍ତ୍ତନ ମଣ୍ଡଳିର କର୍ମକର୍ତ୍ତା ଉପସ୍ଥିତ ରହି ବୈଜୟନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ପୂର୍ବତନ ମନ୍ତ୍ରୀ ସମୀର ଦେ’ ସମ୍ବର୍ଦ୍ଧନା ପର୍ବ ଆରମ୍ଭରେ ବୈଜୟନ୍ତ ମିସନ୍-୨୦୧୯ର ମଙ୍ଗ ଧରିବେ ବୋଲି କହିଥିଲେ। ବିଜେପି ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ ବୈଜୟନ୍ତଙ୍କୁ କଟକ ପୁଅ ଭାବେ ବର୍ଣ୍ଣନା କରିଥିଲେ। ବୈଜୟନ୍ତ କଟକର ଲୋକଙ୍କ ପାଇଁ କାମ କରିବା ସହ ଏଠାରୁ ପ୍ରତିନିଧିତ୍ୱ କରନ୍ତୁ ବୋଲି ଅନୁରୋଧ କରିଥିଲେ। କଟକ ଲୋକସଭା ଆସନରୁ ବୈଜୟନ୍ତ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ଅନ୍ୟ ବକ୍ତାମାନେ ବି ଖୋଲା ମତ ଦେଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ବୈଜୟନ୍ତ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସୁଯୋଗ ମିଳିଲେ ସେ କଟକ ପାଇଁ କାମ କରିବାକୁ ପଛାଇବେ ନାହିଁ ବୋଲି କହିଥିଲେ। ସେ ପୁଣି କଟକ ଆସିବେ ଏବଂ ଲୋକଙ୍କୁ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ସମୀରଙ୍କ ଘରେ ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଉତ୍ସବ ଓ ଉଭୟଙ୍କ ମଧ୍ୟରେ ଗୁପ୍ତ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଆଉ କେନ୍ଦ୍ରାପଡାର ନେତା ବୈଜୟନ୍ତଙ୍କୁ କଟକରେ କାହିଁକି ସମ୍ବର୍ଦ୍ଧିତ କରାଗଲା ତାହା ମଧ୍ୟ ଆଉ ଏକ ଆଲୋଚନାକୁ ଜନ୍ମ ଦେଇଛି । ବିଜେପିର ସବୁ ତୁଙ୍ଗ ନେତାଙ୍କ ସହ ସମ୍ପର୍କ ଅଛି ବୋଲି କହି ଆସୁଥିବା ବୈଜୟନ୍ତ, ହଠାତ୍ ସମୀରଙ୍କ ସହ ସମ୍ପର୍କକୁ କାହିଁକି ପଦାକୁ ଆଣିଲେ ତାହାକୁ ନେଇ ମଧ୍ୟ ଭିନ୍ନ ଚର୍ଚ୍ଚା ହେଉଛି । କେନ୍ଦ୍ରାପଡା ଛାଡି କଟକରୁ ଲଢିବେ କି ବୈଜୟନ୍ତ, ଏହା ମଧ୍ୟ ରାଜନୈତିକ ମହଲରେ ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।