ବୈଜୟନ୍ତଙ୍କୁ ବିଜେପି ଚିନ୍ତା ! ଶତ୍ରୁପକ୍ଷକୁ ସତର୍କ କଲେ ସାଂସଦ

37

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଜେପି ଚିନ୍ତା । ଏକ ଜାତୀୟ ଗଣମାଧ୍ୟମରେ ବିଜେପି ପାଇଁ ପରାମର୍ଶ ରଖିଛନ୍ତି ବୈଜୟନ୍ତ । କହିଛନ୍ତି, ସଫଳତା ପାଇଁ ବିରୋଧୀଙ୍କୁ ଏକାଠି ହେବାକୁ ସୁଯୋଗ ଦିଆଯିବା ଉଚିତ ନୁହେଁ । କିଭଳି କେନ୍ଦ୍ରରେ କ୍ଷମତାସୀନ ଦଳର ଶକ୍ତିବୃଦ୍ଧି ହେବ ସେନେଇ ପରାମର୍ଶ ଦେଇଛନ୍ତି ବିଜୁ ଜନତା ଦଳର ସାଂସଦ । ଯେତେବେଳେ ବିଜେପି ଓ ବିଜେଡି ମଧ୍ୟରେ ଓଡିଶାରେ ତିକ୍ତ ସଂପର୍କ ସାମ୍ନାକୁ ଆସିଛି, ସେତେବେଳେ କେନ୍ଦ୍ରାପଡା ସାଂସଦଙ୍କ ଏହି ଲେଖା ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ବିଜେପି ତୃତୀୟରୁ ଉଠି ଦ୍ୱିତୀୟ ସ୍ଥାନକୁ ଆସିଲା । ବିଜୁ ଜନତା ଦଳ ପ୍ରତି ବଡ ବିପଦ ହୋଇ ଉଭା ହେଲା । ନେତା ପରସ୍ପର ବିରୋଧରେ ବୟାନବାଜୀ କଲେ । ୨୦୧୯ ବେଳକୁ ରାଜ୍ୟ ରାଜନୀତିର ଦୃଶ୍ୟପଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆସିଛି ବୈଜୟନ୍ତଙ୍କ ପରାମର୍ଶ ।

ନେତାଙ୍କ ସମାଲୋଚନା, ନୂଆ ସମୀକରଣର ଚର୍ଚ୍ଚା ଆଉ ଆକ୍ଷେପ-ପ୍ରତିଆକ୍ଷେପ ଭିତରେ ସାଂସଦଙ୍କ ଲେଖା କିଛି ନୂଆ ଦିଗକୁ ସାମ୍ନାକୁ ଆଣିଛି । ଘଡିସନ୍ଧି ମୁହୁର୍ତ୍ତରେ ବୈଜୟନ୍ତ ଲେଖିଛନ୍ତି, ଭାରତୀୟ ରାଜନୀତିରେ ବିଜେପିକୁ ଶକ୍ତିଶାଳୀ ହୋଇ ରହିବାକୁ ହେଲେ ଦଳକୁ ଏହା ନିଶ୍ଚିତ କରିବାକୁ ପଡିବ ଯେପରି ବିରୋଧୀ ଶକ୍ତି ଏକାଠି ନହୁଅନ୍ତି । ଅର୍ଥାତ ଯଦି ବିଜେପି ବନାମ ଅନ୍ୟ ରାଜନୈତିକ ଦଳ ହୁଏ ତେବେ ନିର୍ବାଚନରେ ଜିତିବା କାଠିକର ହୋଇଯିବ । ଯାହାର ନଜିର ମଧ୍ୟ ୨୦୦୪ରେ ରହିଛି ।

ପରାମର୍ଶ ମାଧ୍ୟମରେ ବୈଜୟନ୍ତ ବିଜେପିକୁ ଚେତାଇବାକୁ ଚାହିଁଛନ୍ତି, ଯେଉଁ ସ୍ଥିତି ବାଜପାୟୀ ସାମ୍ନା କରିଥିଲେ, ତାର ଯେପରି ପୁନରାବୃତି ନହୁଏ । ୨୦୦୪ରେ କେହି ଭାବିନଥିଲେ ବିଜେପି ହଟାଇ କଂଗ୍ରେସ କ୍ଷମତାକୁ ଆସିବ ଏବଂ ୧୦ ବର୍ଷ ରାଜ୍ କରିବ ।

ବିଭିନ୍ନ ପ୍ରାନ୍ତରେ, ବିଜେପିକୁ ରୋକିବାକୁ ମେଂଟ ରାଜନୀତିର କିଭଳି ବ୍ୟବହାର କରାଯାଇଛି ତାର ଉଦାହରଣ ଦେଇଛନ୍ତି ବୈଜୟନ୍ତ । ଉତରପ୍ରଦେଶ ନିର୍ବାଚନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ, ବିମୁଦ୍ରାକରଣ ପରେ ଲୋକଙ୍କ ଆସ୍ଥା ଏବଂ ବିହାର ଭଳି ମହାଗଠବନ୍ଧନ ନ’ହେବା ବିଜେପି ବିଜୟ ପଛର କାରଣ ଥିଲା । ତେବେ ଦେଶର ଅନ୍ୟ ପ୍ରାନ୍ତରେ ଏଭଳି ମହାମେଂଟ କେତେଦୁର ସମ୍ଭବପର? ବିଭିନ୍ନ ରାଜ୍ୟରେ ରାଜନୈତିକ ସ୍ଥିତି ଭିନ୍ନ ଥିବା ବେଳେ, ପରସ୍ପର ବିରୋଧୀ ଶକ୍ତି ଏକାଠି ହୋିଇପାରିବେ କି ନାହିଁ, ତାକୁ ନେଇ ମଧ୍ୟ ସନ୍ଦେହ ରହିଛି ।

୨୦୧୯ରେ ୟୁପି ପାଇଁ ଗଠବନ୍ଧନର ଚିନ୍ତା ଚାଲିଥିବା ବେଳେ, ଖାଲି ଏସପି-କଂଗ୍ରେସ ମିଶିଗଲେ ହେବନି, ବିଏସପି ମଧ୍ୟ ଏହି ଗଠବନ୍ଧନ ଭିତରକୁ ଆଣି ମହାମେଂଟ କରିବାର ଆବଶ୍ୟକତା ରହିଛି ।

ବୈଜୟନ୍ତ ଲେଖିଛନ୍ତି, ଯେତେବେଳେ ଏହି ସମୀକରଣର କଥା ବିଜେଡି କ୍ଷେତ୍ରକୁ ଆସୁଛି, ଦଳର ମୁଖ୍ୟଧାରା ହେଉଛନ୍ତି ନନ୍ କଂଗ୍ରେସ ଭୋଟର, ଯେଉଁ ଭୋଟ୍ ବେସକୁ ଦଶନ୍ଧି ଦଶନ୍ଧି ଧରି ତିଆରି କରିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ବିଜେଡି ୧୯୯୭-୯୮ରେ ପ୍ରତିଷ୍ଠା ହୋଇଥିଲା, ବିଜେପି ସହ ମେଂଟ କରି କ୍ଷମତାକୁ ଆସିଲେ, କିନ୍ତୁ ୨୦୦୯ରେ ମେଂଟ ଭାଙ୍ଗି ଦିଆଗଲା ।

ଏହାରି ଭିତରେ ପଂଚାୟତ ନିର୍ବାଚନରେ ବହୁ ପଛରେ ଅର୍ଥାତ୍ ତୃତୀୟ ସ୍ଥାନରେ ଥିବା ଦଳ ଦ୍ୱିତୀୟ ସ୍ଥାନକୁ ଉଠିଛି । ବିହାରରେ ମୁଳ ଜନତା ଦଳର ନେତା କଂଗ୍ରେସ ସହ ମିଶିଲେ । ହେଲେ କିଛି ସପ୍ତାହ ଆଗରୁ ଯେତେବେଳେ କଂଗ୍ରେସ ସହ ମେଂଟ ନେଇ ଦଳର ଜଣେ ବରିଷ୍ଠ ସାଂସଦ ମତ ପୋଷଣ କଲେ ସେତେବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ।

ବୋଧହୁଏ ପରୋକ୍ଷରେ ବୈଜୟନ୍ତ କହିବାକୁ ଚାହୁଁଛନ୍ତି, କଂଗ୍ରେସ ସହ ମେଂଟର ଆବଶ୍ୟକତା ରହିଛି । ଭର୍ତୃହରି ଯେଉଁ ବୟାନ ଦେଇଥିଲେ, ସେଥିରେ କିଛି ଭୁଲ ନାହିଁ, ବରଂ କର୍ଯ୍ୟାନୁଷ୍ଠାନ ନେବାର କୈାଣସି ଆବଶ୍ୟକତା ନଥିଲା ।

ଏହାରି ଭିତରେ ବିଜେପିକୁ ବୈଜୟନ୍ତ ପରାମର୍ଶ ଦେଇଛନ୍ତି । ଦଳର ଭୋଟ୍ ସେୟାର ବଢୁଛି କିନ୍ତୁ ଜିତିବାକୁ ହେଲେ ବିରୋଧୀ ଏକାଠି ହେବାକୁ ଦିଅନାହିଁ । ଯଦିଓ ସାଂସଦ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଲେଖିଛନ୍ତି ତେବେ ପ୍ରଶ୍ନ ଉଠୁଛି, ଏ ବିଜେପି ପ୍ରୀତି କଣ ପାଇଁ?

ଗତ କିଛି ଦିନ ଧରି ବିଜେଡି ରାଜନୀତିରେ ବୈଜୟନ୍ତଙ୍କୁ ନେଇ ଜବରଦସ୍ତ ଚର୍ଚ୍ଚା ଚାଲିଛି । ବିଜେଡିରେ ରହିବେ ନା ବିଜେପି ଆଡକୁ ଢଳିବେ, ଆଉ ଏହାରି ଭିତରେ ଏହି ଲେଖା ଆସିଛି । ଯାହା ବିଜେଡି ରାଜନୀତିରେ କଂପନ ଆଣିଛି ।