କ’ଣ ହେବ ବୈଜୟନ୍ତଙ୍କ ପରବର୍ତ୍ତୀ ପଦକ୍ଷେପ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା

19

କନକ ବ୍ୟୁରୋ : ଦଳରୁ ନିଲମ୍ବିତ ହେବା ପରେ କଣ କରିବେ ବୈଜୟନ୍ତ, ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କାରଣ ଦୀର୍ଘ ଦିନ ହେଲା ଖୋଲା ଖୋଲି ଚାଲିଥିଲା ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବିବାଦ । କେନ୍ଦ୍ରରେ ମୋଦି ସରକାରଙ୍କୁ ନିଜ ଲେଖାରେ ବାରମ୍ବାର ପ୍ରଶଂସା କରିବା, ଦଳର ନେତୃତ୍ୱ ଏବଂ ଦଳର ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଆସୁଥିଲେ ବୈଜୟନ୍ତ । ଏବେ ପ୍ରଶ୍ନ ଉଠୁଛି, ବିଜେପିରେ ମିଶିବା ପାଇଁ ପଥ ପ୍ରସ୍ତୁତ କରୁଥିଲେ କି ବୈଜୟନ୍ତ? ମୋଦିଙ୍କୁ ସମର୍ଥନ କରି ଲେଖା ସବୁ ଦଳ ପରିବର୍ତନର ସୂଚନା ଥିଲା କି? ଏ ସବୁ ପ୍ରଶ୍ନର ଉତର ପାଇଁ ବୈଜୟନ୍ତଙ୍କ ପରବର୍ତ୍ତୀ ଟ୍ୱିଟ୍କୁ ଅପେକ୍ଷା କରାଯାଇଛି । ଦଳରୁ ନିଲମ୍ବିତ ହେବା ପରେ ଟ୍ୱିଟ୍ କରି କହିଛନ୍ତି ଜଗନ୍ନାଥଙ୍କ ଦିଗଦର୍ଶନ ପରେ ସେ ପରବର୍ତୀ ପ୍ରତିକ୍ରିୟା ରଖିବେ ।

ବୈଜୟନ୍ତଙ୍କ ନିକଟରେ ରହିଛି ଦୁଇଟି ବିକଳ୍ପ । ଗୋଟିଏ ହେଲା ଦଳ ଛାଡି ବିଜେପିରେ ଯୋଗ ଦେବେ । ତେବେ ଦଳରୁ ଇସ୍ତଫା ଦେଲେ, ସାଂସଦ ପଦ ହରାଇବେ ବୈଜୟନ୍ତ । ପୁଣି ଥରେ କେନ୍ଦ୍ରାପଡ଼ା ଉପନିର୍ବାଚନକୁ ସାମନା କରି ନିଜର ଲୋକପ୍ରିୟତାକୁ ପରଖିବେ । ତେବେ ଏହି ବାଟ ଏତେ ସହଜ ହୋଇନପାରେ ସାଂସଦଙ୍କ ପାଇଁ । ସେପଟେ ଦ୍ୱିତୀୟ ବିକଳ୍ପ ହେଉଛି ପରବର୍ତି ପଦକ୍ଷେପ ପାଇଁ ସଠିକ ସମୟକୁ ଅପେକ୍ଷା କରିବା । କାରଣ ୨୦୧୯ରେ ସାଧାରଣ ନିର୍ବାଚନ । ଏହାର କିଛି ଦିନ ପୂର୍ବରୁ ନିଜ ରାଜନୈତିକ ଭବିଷ୍ୟତ ସ୍ଥିର କରିପାରନ୍ତି କେନ୍ଦ୍ରାପଡ଼ା ସାଂସଦ ।

ଏବେ ପ୍ରଶ୍ନ, କେନ୍ଦ୍ରାପଡ଼ା ଛାଡ଼ି ପଶ୍ଚିମ ଓଡ଼ିଶା କିମ୍ବା ଅନ୍ୟ ଅଂଚଳରେ ନିଜର ରାଜନୈତିକ ଭବିଷ୍ୟତ ଖୋଜିବେ କି ବୈଜୟନ୍ତ? ଯଦି ବିଜେପିକୁ ଯିବେ ତେବେ କେଉଁ ଭୂମିକାରେ ଯିବେ ଏହି ରାଜନେତା?