ପଦ୍ମ ଧରିଲେ ବୈଜୟନ୍ତ ! କହିଲେ ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ

172

କନକ ବ୍ୟୁରୋ : ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟାଇ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଗତକାଲି ନୂଆଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ବୈଜୟନ୍ତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ବୈଜୟନ୍ତ । ବୈଜୟନ୍ତ କହିଛନ୍ତି. ସେ ୨୨ବର୍ଷ ହେଲା ବିଜେପିରେ ସାମିଲ ହେବାକୁ ଚାହୁଁଥିଲେ ।

ବିଜେପିରେ ଯୋଗ ଦେବାପରେ ବୈଜୟନ୍ତ ଆଜି ବିଜେଡିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଓଡ଼ିଶାରେ କିଛିଦିନ ହେବ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ମହିଳା ଓ ଶିଶୁମାନଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି ଏବଂ ଅପରାଧ ମଧ୍ୟ ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ ଦେଶର ଦୀର୍ଘସୂତ୍ରୀ ସ୍ବାର୍ଥ ପାଇଁ ପ୍ରଧାନମନ୍ତ୍ରୀ କଠୋର ନିଷ୍ପତ୍ତି ନେଉଛନ୍ତି । ବିଜେପି ଓଡ଼ିଶାରେ ପରିବର୍ତ୍ତନ ଆଣିବା ସହ ଦେଶକୁ ଆଗକୁ ନେଇପାରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ । ପୂର୍ବରୁ ବିଜେପି ସହ ବିଜେଡିର ମେଣ୍ଟ ସରକାର ଥିବାବେଳେ ଏକ ନିର୍ଦ୍ଦିଷ୍ଟ ନୀତିରେ ସରକାର ଚାଲୁଥିଲା ମାତ୍ର ତାହା ଏବେ ନାହିଁ ବୋଲି ବୈଜୟନ୍ତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଞ୍ଚଳିକ ଦଳ ଗଠନ ସମୟରେ ବିଜେପିରେ ଯୋଗଦେବା କଥା ଚିନ୍ତା କରିିଥିଲି । ମାତ୍ର, ସେଠାରେ ପହଞ୍ଚିବା ପାଇଁ ୨୨ ବର୍ଷ ବିତିଗଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ବୈଜୟନ୍ତଙ୍କ ଯୋଗଦାନ ଯୋଗୁଁ ଆଜି ଏକ ନୂଆ ବଳ ଯୋଡ଼ି ହୋଇ ଯାଇଛି । ବୈଜୟନ୍ତଙ୍କ ଯୋଗଦାନ ବିଜେପି କୁ ଓଡ଼ିଶାରେ ଆହୁରି ମଜବୁତ କରିବ ଏବଂ ସେ ଦଳ ପାଇଁ ପୁଂଜି ହେବେ । ବୈଜୟନ୍ତ ଗତ ୨୦ ବର୍ଷ ହେବ ସଂସଦରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ କହିଛନ୍ତି, ବୈଜୟନ୍ତଙ୍କ ଯୋଗଦାନ ଯୋଗୁଁ ଦଳ ସଶକ୍ତ ହେବ ।