ସେହି ଆସନ, ନୂଆ ଚିହ୍ନ । ଉପକୂଳରୁ ଦକ୍ଷିଣ, ଭରସା କରିବେ ତ ଭୋଟର?

570

କନକ ବ୍ୟୁରୋ : ସେହି ପୁରୁଣା ଆସନ କିନ୍ତୁ ନୂଆ ଚିହ୍ନ । ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଓଡିଶାର ୧୦ ଆସନ ପାଇଁ ମଧ୍ୟ ନିଜର ସିପାହୀଙ୍କ ନାଁ ଘୋଷଣା କରିଛି । ତେବେ ଏହି ୧୦ ଆସନ ମଧ୍ୟରୁ ୨ଟି ଆସନ ଉପରେ ଏବେ ସମସ୍ତଙ୍କର ନଜର ରହିଛି । କେନ୍ଦ୍ରାପଡା ଓ ନବରଙ୍ଗପୁର, ଏହି ଦୁଇଟି ଆସନରୁ ବିଜେପି ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସେମାନେ ନିର୍ବାଚନମଣ୍ଡଳୀବାସୀଙ୍କ ପାଇଁ ନୂଆ ନୁହେଁ । କିନ୍ତୁ ୫ ବର୍ଷ ପୂର୍ବରୁ ସେମାନଙ୍କୁ ଭୋଟର ଯେଉଁ ଚିହ୍ନରେ ଭୋଟ ଦେଇଥିଲେ ତାହା ଏବେ ବଦଳି ଯାଇଛି । କାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପଟ୍ଟ ପରିବର୍ତ୍ତନ କରି ବିଜେପି ଶିବିରରେ ସାମିଲ ହୋଇଛନ୍ତି ।

ଉଭୟ କେନ୍ଦ୍ରାପଡା ଓ ନବରଙ୍ଗପୁର ଆସନ ପାଇଁ ବିଜେପି ଯଥାକ୍ରମେ ବୈଜୟନ୍ତ ଓ ବଳଭଦ୍ରଙ୍କ ନାଁ ଘୋଷଣା କରିଛି । ତେବେ ଉଭୟ ନେତାଙ୍କର ଏହା ପୁରୁଣା ହୋମଗ୍ରାଉଣ୍ଡ ଥିବା ବେଳେ ବଦଳିଛି ଯଦି କିଛି ତେବେ ତାହା ହେଲା ଦଳୀୟ ବ୍ରାଣ୍ଡ । ଗତ ୨୦୧୪ ନିର୍ବାଚନରେ ଉଭୟ ନେତା ଶଙ୍ଖ ଚିହ୍ନରୁ ଲଢି ବିଜୟୀ ହୋଇଥିବା ବେଳେ ୨୦୧୯ରେ ପଦ୍ମ ଟିକେଟରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଗୋଟିଏ ପଟେ କେନ୍ଦ୍ରାପଡା ଆସନରୁ ଦୁଇ ଦୁଇଥର ବିଜେଡି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବୈଜୟନ୍ତ । ଏପରିକି ଦଳ ତାଙ୍କୁ ଏହା ପୂର୍ବରୁ ଦୁଇଥର ରାଜ୍ୟସଭା ମଧ୍ୟ ପଠାଇଛି । ତେବେ ଦଳ ବିରୋଧୀ କାମ ପାଇଁ ବିଜେଡି ତାଙ୍କୁ ବହିଷ୍କାର କରିବା ପରେ ସବୁଜ ଗଡରୁ ଗେରୁଆ ଶିବିରକୁ ଏଣ୍ଟ୍ରି ମାରିଥିଲେ ବୈଜୟନ୍ତ । ଏପରିକି ଯେଉଁ ଦଳରୁ ବୈଜୟନ୍ତ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସେହି ଦଳକୁ ନିର୍ବାଚନରେ ମାତ୍ ଦେବାକୁ ଏବେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିଜେପିର ଏହି ହେଭିୱେଟ । ଏପରିକି ଏକଦା ନବୀନଙ୍କ ଅତି ଘନିଷ୍ଠ ଥିବା ବୈଜୟନ୍ତ ଏବେ ନବୀନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ପଣ କରିଛନ୍ତି । ଅଣବିଜେପି ଗଡ ଥିବା କେନ୍ଦ୍ରାପଡାରେ ପଦ୍ମ ଫୁଟାଇବାକୁ ବୈଜୟନ୍ତ ଏବେ ଦିନରାତି ଏକ କରି ଦେଇଛନ୍ତି । ସେଥିପାଇଁ ତ କୁହାଯାଏ ରାଜନୀତିରେ ସର୍ମ୍ପକର କିଛି ମୂଲ୍ୟ ନଥାଏ ।

ଅନ୍ୟପଟେ ନବରଙ୍ଗପୁରରେ ମଧ୍ୟ ନୂଆ ରାଜନୈତିକ ସମୀକରଣ ଦେଖାଦେଇଛି । ଯେତେବେଳେ ବଳଭଦ୍ରଙ୍କୁ ଟିକେଟ ଦେଇଛି ବିଜେପି । ବଳଭଦ୍ରଙ୍କ ପାଇଁ ନବରଙ୍ଗପୁର କିମ୍ବା ନବରଙ୍ଗପୁର ଭୋଟର ନୂଆ ହୋଇନଥିବା ବେଳେ ଦଳୀୟ ବ୍ରାଣ୍ଡ କିନ୍ତୁ ନୂଆ ଲାଗିଛି । ଯାହାକୁ ଭୋଟର ଗ୍ରହଣ କରିବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । ଏହାପୂର୍ବରୁ ବଳଭଦ୍ର ନବରଙ୍ଗପୁର ଆସନରେ ୨୦୧୪ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ତେବେ ୨୦୧୯ ନିର୍ବାଚନ ହାୱା ବଳଭଦ୍ରଙ୍କ ଦେହରେ ବାଜିବା ପରେ ଦଳ ଡିଆଁ ନେତାଙ୍କ ତାଲିକାରେ ନିଜ ନାଁକୁ ଯୋଡିଥିଲେ ବଳଭଦ୍ର । ବିଜେଡି ବିରୋଧରେ ବିଷ ଓଗାଳିବା ସହ ବିଜେପିରେ ସାମିଲ ହୋଇଥିଲେ । ଆଉ ଏହାସହ ବଦଳିଥିଲା ବଳଭଦ୍ରଙ୍କ ଦଳୀୟ ବ୍ରାଣ୍ଡ ।

ରାଜନୀତିରେ କେତେବେଳେ ଯେ ନେତା ମାନଙ୍କ ଚିତ୍ର ଓ ଚରିତ୍ର ପରିବର୍ତ୍ତନ ହୋଇଯାଏ ତାହାର ଅନ୍ଦାଜ ଲଗାଇବା ଭୋଟରଙ୍କ ପକ୍ଷରେ ସମ୍ଭବ ନୁହେଁ । କୁହାଯାଏ ରାଜନୀତିରେ ସବୁ କିଛି ସମ୍ଭବ । କେତେବେଳେ ଶତ୍ରୁ ମିତ୍ର ପାଲଟିଯାଏ ତ ପୁଣି କେତେବେଳେ ମିତ୍ର ପାଲଟିଯାଏ ଶତ୍ରୁ । ଦିନରେ ଗୋଟିଏ ଶିବିରରେ ଜିନ୍ଦାବାଦ ପକାଉଥିବା ନେତା ରାତିରେ କେତେବେଳେ ଯେ ଅନ୍ୟ ଶିବିରର ସୈନିକ ସାଜି ସାରିଥିବ ତାହା କହିବା ମୁସ୍କିଲ । ଓଡିଶା ରାଜନୀତିରେ ମଧ୍ୟ ସମାନ ଅବସ୍ଥା । ନିର୍ବାଚନ ବୈତରଣୀ ପାର ହେବାକୁ ନେତା ମାନେ ଅନ୍ୟ ଶିବିରର ନେତାଙ୍କୁ ପୋଚିଂ କରିବା ଏବେ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଆଉ ଏହି ଟ୍ରେଣ୍ଡରେ ନିଜକୁ ସାମିଲ କରୁଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳର ନେତା ।