ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ଟ୍ୱିଟ୍: ନେତାଙ୍କ ସହ ମିଶି ବିଜେଡି ସରକାରରେ ଆଇଏଏସ ଅଫିସର କରୁଛନ୍ତି ଲୁଟ୍

36

କନକ ବ୍ୟୁରୋ : ବିଜେଡିର ‘ସାଂସଦ ଅଡୁଆ’ ବଢିବାରେ ଲାଗିଛି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏକ ଟ୍ୱିଟ୍ କରି କହିଛନ୍ତି, ଓଡିଶାର ଆଇଏଏସ ଅଫିସର, ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ପ୍ରଥମ ଥର ପାଇଁ ବିଜେଡିର ଏହି ସାଂସଦ କଡା ଭାଷାରେ ଟ୍ୱିଟ୍ କରିଛନ୍ତି । ପୂର୍ବରୁ ଦଳକୁ ଆତ୍ମସମୀକ୍ଷା କରିବାକୁ ବାରମ୍ବାର ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିବା ଏହି ନେତା ଏବେ ଆଣିଛନ୍ତି ସିଧା ଅଭିଯୋଗ ।

ଏହି ଟ୍ୱିଟରେ ବୈଜୟନ୍ତ ଲେଖିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଆଇଏଏସ ଅଫିସର ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ତାଙ୍କୁ ବାହାର କରାଯିବା ଦରକାର । ଜଣେ ବ୍ୟକ୍ତି ଟ୍ୱିଟ୍ କରିଥିଲେ, କର୍ଣାଟକର ମାଇନିଂ ସ୍କାମରେ ଆଇଏଏସ ଅଫିସର ଲାଂଚ ନେଇ ନିଜ ପୁଅର ବିଳାସ ବ୍ୟସନ ପାଇଁ ଖର୍ଚ୍ଚ କରିଥିଲେ । ଏହାରି ଉପରେ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦ ଲେଖିଛନ୍ତି, ଦୁର୍ଭାଗ୍ୟର କଥା ଏଭଳି ଆଇଏଏସ ଅଫିସର ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନଙ୍କୁ ବାହାର କରିବା ଦରକାର ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜୋର ଧରିଥିବା ବେଳେ ଏହି ନୂଆ ଟ୍ୱିଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ରାଜନୀତି ଏକ ରୋଚକ ମୋଡ ଦେଇ ଗତି କରୁଛି । ଗୋଟିଏ ପଟେ ୨୦୧୯ ପାଇଁ ବିଜେପି ଏକ ଚ୍ୟାଲେଂଜ ଭାବେ ଉଭା ହେଉଥିବା ବେଳେ ଅନ୍ୟପଟେ ଦଳୀୟ କନ୍ଦଳ ତେଜିବାରେ ଲାଗିଛି ଏବଂ ବୈଜୟନ୍ତଙ୍କ ଭଳି ଦଳର ଜଣେ ବରିଷ୍ଠ ସାଂସଦଙ୍କ ମନ୍ତବ୍ୟ, ନେତାଙ୍କ ସହ ମିଶି ଆଇଏଏସ ଲୁଟ୍ କରୁଛନ୍ତି ବୋଲି ଅଭିଯୋଗ ଆଣିବା, ଦଳର ଅଡୁଆକୁ ଆହୁରି ବଢାଇ ଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –