ଆଗେ ଚାଲେ ବଳଭଦ୍ର, ପଛେ ଚାନ୍ଦମୁହିଁ ; ଶେଷେ ଗଲେ କାଳିଆ ଗୋସାଇଁ….

60

କନକ ବ୍ୟୁରୋ: ଆଗେ ଆଗେ ବଡ଼ ଭାଇ ପଛେ ଚାନ୍ଦମୁହିଁ,ଶେଷେ ଗଲେ କାଳିଆ ଗୋସେଇଁ.. ଗହଳ ଲଗାଇ। ରଥାରୁଢ଼ ଶ୍ରୀଜିଉ ଶ୍ରୀମନ୍ଦିରରୁ ବାହାରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଭକ୍ତ ମେଳରେ ଗହଳ ଚହଳ ଲଗାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରୁଛନ୍ତି । କାଳିଆ ମହାପ୍ରଭୁ ଆଜି ଜନ୍ମବେଦିରୁ ରତ୍ନବେଦିକୁ ଯିବା ଲାଗି ବ୍ୟାକୁଳ କି ? ତାହା ହୋଇ ନ ଥିଲେ ଆଜି ସେ ସମସ୍ତ ନୀତିକାନ୍ତି ସହଳ ସହଳ ଶେଷ କରାଇ ନେଇଥାନ୍ତେ କି? ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଶେଷ ହୋଇ ରଥଟଣା ଆରମ୍ଭ ହୋଇଛି। ଅପରାହ୍ଣ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଶାସନ-ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲେ ହେଁ ପ୍ରାୟ ବହୁ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ରଥଟଣା।

ଅପରାହ୍ଣ ପ୍ରାୟ ୧ଟା ୩୦ ସମୟରେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ପ୍ରଥମେ ଟଣାଯାଇଥିଲା । ଜଗତରନାଥ ଶ୍ରୀ ଜଗନ୍ନାଥ ପ୍ରଥମେ ବଡ଼ ଭାଇଙ୍କୁ ଶ୍ରୀମନ୍ଦିରକୁ ପଠାଇ ତା’ପରେ ଭଉଣୀ ସୁଭଦ୍ରାଙ୍କୁ ସଜ କରି ବାହାର କରିଥିଲେ । ତାଳଧ୍ୱଜ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ପରେ ଅପରାହ୍ଣ ପ୍ରାୟ ୨ଟା ୧୦ସମୟରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥର ଟଣାକାର୍ଯ୍ୟ ଆରମ୍ଭ ହୋଇଥିଲା। ଯଦିଓ ତୁହାକୁ ତୁହା ବର୍ଷା ଜାରି ରହିଛି, ଭକ୍ତ ଶ୍ରଦ୍ଧାଳୁ କିନ୍ତୁ ଆଦୌ ବିଚଳିତ ହୋଇନାହାନ୍ତି। ପୂର୍ଣ୍ଣ ଉତ୍ସାହର ସହିତ ଶ୍ରୀଜିଉମାନଙ୍କ ରଥ ଭିଡ଼ି ନେଉଛନ୍ତି।

ଭାଇ-ଭଉଣୀଙ୍କୁ ପଠାଇ ସାରିବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଅପରାହ୍ଣ ପ୍ରାୟ ୨ଟା ୨୦ ମିନିଟ ସମୟରେ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଛି । ରଥ ଓ ପଥ ପ୍ରସ୍ତୁତ ଥିଲା, କେବଳ ଅପେକ୍ଷା ଥିଲା ଶ୍ରୀଜଗନ୍ନାଥଙ୍କ ଆଜ୍ଞାକୁ। ମହାପ୍ରଭୁଙ୍କ ଆଜ୍ଞା ପରେ ଗଡ଼ିଥିଲା ନନ୍ଦିଘୋଷ। ଶରଧାବାଲିରେ ନନ୍ଦିଘୋଷ ଗଡ଼ୁଥିବା ବେଳେ ମନେହେଉଥିଲା ସତେ ଯେମିତି ଜନସମୁଦ୍ରର ଉତ୍ତାଳ ତରଙ୍ଗକୁ କାଟି ପ୍ରକାଣ୍ଡେ ତରୀରେ ଅବତୀର୍ଣ୍ଣ ହୋଇ ଆଗେଇ ଆସୁଛନ୍ତି ରଥାରୁଢ଼ ଶ୍ରୀଜଗନ୍ନାଥ। ଶରଧାବାଲି ପାଲଟି ଯାଇଛି ଜନସମୁଦ୍ର । ଭକ୍ତ-ଶ୍ରଦ୍ଧାଳୁଙ୍କ ଜୟ ଜୟ କାର ସହ ଘଣ୍ଟ ଘଣ୍ଟା,ଝାଞ୍ଜମୃଦଙ୍ଗ ଆଦି ବାଦ୍ୟଧ୍ୱନୀରେ ପ୍ରକମ୍ପିତ ହେଉଛି। ରଥର ଘୁଁ ଘୁଁ ଘର୍ଘର ନାଦ ସହ ଡ଼ାହୁକମାନଙ୍କର କୌତିକିଆ ଡ଼ାକ ଭିତରେ ସୃଷ୍ଟି ହୋଇଛି ଭାବମୟ ପରିବେଶ। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ରଥଟଣା କାର୍ଯ୍ୟ ଜାରି ରହିଛି। ଅତ୍ୟନ୍ତ ଶାନ୍ତି-ଶୃଙ୍ଖଳାର ସହ ଜାରି ରହିଛି ରଥଟଣା କାର୍ଯ୍ୟ ।