୫୦ ବର୍ଷର ରେକର୍ଡ ଭାଙ୍ଗିଲା ବାହୁଡା ଯାତ୍ରା । ଅପରାହ୍ନ ୩.୩୦ରେ ବଳଭଦ୍ରଙ୍କ ରଥ ଲାଗିଲା ସିଂହଦ୍ୱାରରେ

71

କନକ ବ୍ୟୁରୋ : ଇତିହାସ ରଚିଲା ଚଳିତ ବର୍ଷର ବାହୁଡା ଯାତ୍ରା । ଅପରାହ୍ନ ୩.୩୦ ମିନିଟ୍ ସୁଦ୍ଧା ସିଂହଦ୍ୱାରରେ ପହଞ୍ଚିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ନିର୍ଦ୍ଧାରିତ ସମୟର ଅନେକ ଆଗରୁ ସିଂହଦ୍ୱାର ସାମ୍ନାରେ ପହଞ୍ଚିଛି ତାଳଧ୍ୱଜ ରଥ । ଆଉ ବଳଭଦ୍ରଙ୍କ ରଥ ସିଂହଦ୍ୱାରରେ ପହଞ୍ଚିବା ସହ ରେକର୍ଡ ସୃଷ୍ଟି କରିଛି । କାରଣ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ବାହୁଡା ଯାତ୍ରାରେ ଦିନ ୪ଟାରେ ରଥଟଣା ହେବାକୁ ନିଘଣ୍ଟ ସ୍ଥିର କରାଯାଇଥିଲା । କିନ୍ତୁ ୩.୩୦ ସମ୍ମୁଖରେ ଶ୍ରୀମନ୍ଦିର ସମ୍ମୁଖରେ ରଥ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ବାହୁଡା ଯାତ୍ରା ପାଇଁ ଆଜି ସମସ୍ତ ନୀତିକାନ୍ତି ଠିକ୍ ସମୟରେ ସରିବା ପରେ ଦିନ ପ୍ରାୟ ୧.୩୦ ସମୟରେ ଛେରାପହଁରା କାର୍ଯ୍ୟ ଶେଷ ହୋଇଥିଲା । ଏବଂ ଏହାର କିଛି ସମୟ ପରେ ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ବର୍ଷାରେ ଭିଜି ଭିଜି ଭକ୍ତମାନେ ରଥକୁ ଟାଣି ନେଇଥିଲେ ସିଂହଦ୍ୱାର ଅଭିମୁଖେ । ଆଉ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା ବଳଭଦ୍ରଙ୍କ ରଥ । ତେବେ ବଳଭଦ୍ରଙ୍କ ରଥ ପ୍ରଥମ ଥର ପାଇଁ ଏତେ ଶୀଘ୍ର ପହଞ୍ଚିଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ । ଏପରିକି ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବଳଭଦ୍ରଙ୍କ ରଥ ଏତେ ଶୀଘ୍ର ପହଞ୍ଚିଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ସୂଯ୍ୟନାରାୟଣ ରଥଶର୍ମା । ଆଉ ଏହାସହ ଚଳିତ ବର୍ଷର ବାହୁଡା ଯାତ୍ରା ଇତିହାସ ରଚିଛି ।