ଇତିହାସ ଭାଙ୍ଗି ଇତିହାସ ଗଢିଲା ବାହୁଡା ଯାତ୍ରା । ୩.୫୦ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

82

କନକ ବ୍ୟୁରୋ : ୫୦ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଚଳିତ ବର୍ଷ ବାହୁଡାଯାତ୍ରାରେ ଦେଖିବାକୁ ମିଳିଛି । ଇତିହାସ ରଚିଛି ଚଳିତବର୍ଷର ବାହୁଡାଯାତ୍ରା । ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ସିଂହଦ୍ୱାରରେ ପହଞ୍ଚିଛି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥ । ଅପରାହ୍ନ ୩.୩୦ରେ ବଡଭାଇ ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଥିବା ବେଳେ ୩.୫୦ ମିନିଟରେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥ ପହଞ୍ଚିଥିଲା । ଆଉ ଏହାସହ ଦୀର୍ଘ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ଚଳିତବର୍ଷର ବାହୁଡାଯାତ୍ରା । କାରଣ ଏହା ପୂର୍ବରୁ ଏତେ ଶୀଘ୍ର ବଡ ଠାକୁରଙ୍କ ରଥ ସିଂହଦ୍ୱାରଙ୍କ ସମ୍ମୁଖରେ ପହଞ୍ଚିନଥିଲା ।

ରବିବାର ବାହୁଡା ଯାତ୍ରା ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ସରିବା ପରେ ଦିନ ୯ଟା ସମୟରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ଧାଡି ପହଣ୍ଡିରେ ତିନି ଠାକୁରଙ୍କୁ ରଥକୁ ନିଆଯାଇଥିଲା । ଆଉ ଠିକ୍ ଦିନ ୧୨ଟା ବେଳକୁ ଆରମ୍ଭ ହୋଇଥିଲା ଛେରାପହଁରା । ଅପରାହ୍ନ ୧.୩୦ରେ ଛେରାପହଁରା ନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡଭାଇ ବଳଭଦ୍ର, ପଛକୁ ଭଉଣୀ ସୁଭଦ୍ରା ଓ ଶେଷରେ ଗଡିଥିଲା କାଳିଆର ନନ୍ଦିଘୋଷ ରଥ । ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଦିନ ୪ଟାରେ ରଥଟଣା ଆରମ୍ଭ ହେବାକୁ ଥିଲା । କିନ୍ତୁ ସମସ୍ତ ନୀତିକାନ୍ତି ସୁରୁଖୁରରେ ସରିବା ପରେ ଶୀଘ୍ର ଆରମ୍ଭ ହୋଇଥିଲା ରଥଟଣା ।

ଆଉ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ପଛକୁ ପଛ ପହଞ୍ଚିଥିଲେ ଦୁଇ ରଥ । ଦୀର୍ଘ ୫୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଆଉ ଏହା ସମ୍ଭବପର ହୋଇଥିଲା ମନ୍ଦିର ପ୍ରଶାସନର ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ । ଶାନ୍ତି ଶୃଙ୍ଖଳା ସହ ବାହୁଡା ଯାତ୍ରା ଶେଷ କରିବାକୁ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲା ମନ୍ଦିର ପ୍ରଶାସନ । ପୂର୍ବ ବର୍ଷ ଗୁଡିକରେ ଯେଉଁଭଳି ବିଶୃଙ୍ଖଳା ଦେଖା ଦେଇଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳିନଥିଲା । ଏପରିକି ରଥଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲା ପ୍ରଶାସନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରାରେ ସେବାୟତଙ୍କ ଦାନ ଓ ଦକ୍ଷିଣା ଉପରେ ରୋକ ଲଗାଇଥିଲା ପ୍ରଶାସନ । ଏପରିକି ସେବାୟତଙ୍କୁ ଶୃଙ୍ଖଳିତ ଭାବେ ରଥଯାତ୍ରାରେ ସହଯୋଗ କରିବାକୁ ନିବେଦନ କରିଥିଲା ପ୍ରଶାସନ । ଯାହାର ଝଲକ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଛି । ଆଉ ଏହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଉପଲବ୍ଧି ।