ଅପରେସନ ଟେବୁଲରେ ବାହୁବଳୀ! ଡାକ୍ତର କଲେ ଅସ୍ତ୍ରୋପଚାର, ରୋଗୀ ଦେଖିଲେ ଫିଲ୍ମ

66

ଫିଲ୍ମ ବାହୁବଳୀ-୨  । ରିଲିଜ ହେବା ସଙ୍ଗେ ସଙ୍ଗେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ପଡିଯାଇଥିଲେ ବାହୁବଳୀ ପ୍ରେମରେ । ମାସ ମାସ ଧରି ସିନେମାହଲରେ ଦେଖିବାକୁ ମିଳିଥିଲା ବାହୁବଳୀ ରାଜ । କିନ୍ତୁ ସିନେମା ହଲରୁ ଏବେ ସିଧା ଅପରେସନ ଟେବୁଲକୁ ଆସିଛି ଫିଲ୍ମ ବାହୁବଳୀ । ଏଥିପାଇଁ ମଧ୍ୟ ଜଣକ ଜୀବନ ରକ୍ଷା ପାଇ ଯାଇଛି । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ।

Baahubali_surgery_collageମସ୍ତିଷ୍କ ଅପରେସନ ବେଳେ ‘ବାହୁବଳୀ-୨’ ଫିଲ୍ମ ଦେଖିଲେ ରୋଗୀ  । ଡାକ୍ତରମାନେ ବ୍ରେନ ସର୍ଜରୀରେ ବ୍ୟସ୍ତ ଥିବାବେଳେ ଫିଲ୍ମ ଦେଖୁଥିଲେ ରୋଗୀ  । ଗୁଂଟୁରର ଏକ ମଲ୍ଟି ସ୍ପେଶାଲିଟି ଘରୋଇ ହସପିଟାଲର ରୋଗୀକୁ ବାହୁବଳୀ ଫିଲ୍ମ ଦେଖାଇ ଡାକ୍ତରମାନେ ମସ୍ତିଷ୍କ ଅପରେସନ କରିଛନ୍ତି  । ଖବର ଅନୁସାରେ, ୪୩ ବର୍ଷୀୟା ବିନୟା କୁମାରୀଙ୍କ ମସ୍ତିଷ୍କର ବାମ ପଟେ ଏକ ଟ୍ୟୁମର ହୋଇଥିଲା  ।ତେଣୁ ତାଙ୍କୁ ଏକ ଘରୋଇ ମଲ୍ଟି ସ୍ପେଶାଲିଷ୍ଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ବିନୟାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ୨୧ ସେପ୍ଟେମ୍ବର ତାଙ୍କର ଅପରେସନ କରିବାକୁ ଡାକ୍ତର ନିଷ୍ପତି ନେଇଥିଲେ । କିନ୍ତୁ ଏଭଳି ଅପରେସନ କରିବାବେଳେ ରୋଗୀଙ୍କୁ ନିହାତି ଭାବରେ ଚେତାରେ ରହିବା ଆବଶ୍ୟକ ବୋଲି କହିଥିଲେ ଘରୋଇ ହସପିଟାଲର ନ୍ୟୁରୋସର୍ଜନ ମୁଖ୍ୟ ଶ୍ରୀନିବାସ ରେଡ୍ଡି  । ଅପରେସନ ସମୟରେ ରେଗୀର ଚେତା ନ ଯିବା ପାଇଁ  ଡାକ୍ତର ମାନେ ଏକ ଅଭିନବ ଉପାୟ ଅପଣାଇଥିଲେ । ଏଥିପାଇଁ ଡାକ୍ତରମାନେ ରୋଗୀଙ୍କୁ ବାହୁବଳୀ ଦେଖାଇବା ପାଇଁ ନିଷ୍ପତି ନେଇଥିଲେ  ।

bahubali 2ଏହାପରେ ଆରମ୍ଭ ହୋଇଥିଲା ମସ୍ତିଷ୍କ ଅପରେସନ ।ଏହି ଅପରେସନ ବେଳେ କେବଳ ଯେ, ରୋଗୀ ଜଣକ ମୁଭି ଦେଖିନଥିଲେ ବରଂ ଏହାର ଗୀତ ମଧ୍ୟ ଗୁଣୁଗୁଣାଉଥିଲେ ବୋଲି କହିଛନ୍ତି ଶ୍ରୀନିବାସ ରେଡ୍ଡି  । ତେବେ ବାହୁବଳୀ ଫିଲ୍ମ ଦେଖାଇବା ପାଇଁ କାହିଁକି ନିଷ୍ପତି ନିଆଗଲା ବୋଲି ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଯେ ବାହୁବଳୀ ଫିଲ୍ମ ରୋଗୀଙ୍କ ଫେଭରିଟ ହୋଇଥିବାରୁ ଏହା ପ୍ରଦର୍ଶନ କରିବା ପାଇଁ ନିଷ୍ପତି ନିଆଯାଇଥିଲା  । ତେବେ ଅପରେସନ ପରେ ରୋଗୀ ଜଣକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।ଅପରେସନର ପୂର୍ବ ଦିନ ରୋଗୀ ଜଣକ ଡରି ଯାଇଥିଲେ ଏଣୁ ତାଙ୍କ ପସନ୍ଦର ମୁଭି ଦେଖାଇବା ପାଇଁ ଡାକ୍ତରମାନେ ନିଷ୍ପତି ନେଇଥିଲେ  ।

ଏହି ଅପରେସନକୁ ‘ବାହୁବଳୀ ବ୍ରେନ ଅପରେସନ’ର ନାମ ଦିଆଯାଇଛି । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ବିନୟା କହିଛନ୍ତି, ସାଧାରଣ ଲୋକ ଚାହିଁଥାନ୍ତି କିପରି ଭାବେ ଅପରେସନ ଶୀଘ୍ର ଶେଷ ହେଉ । କିନ୍ତୁ ମୁଁ ଚାହୁଁଥିଲି ଅପରେସନ ଆହୁରି ଅଧିକ ସମୟ ଧରି ହେଉ ଯାହାଫଳରେ ସେ ପୂରା ଫିଲ୍ମଟିକୁ ଦେଖି ପାରିଥାନ୍ତେ । ଏହି ଅପରେସନ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିଥିଲା ।