ବାହୁବଳୀଙ୍କୁ କାହିଁକି ମାରିଥିଲେ କଟ୍ଟପ୍ପା ! ରହସ୍ୟରୁ ଉଠିଲା ପରଦା

47

ମୁକ୍ତିଲାଭ କରିଛି ବହୁ ଚର୍ଚ୍ଚିତ ଐତିହାସିକ ସିନେମା ବାହୁବଳୀ – ଦ କନକ୍ଲ୍ୟୁଜନ୍ । ନିର୍ଦ୍ଦେଶକ ଏସଏସ୍ ରାଜାମୌଳୀଙ୍କ ଏହି ଫିଲ୍ମ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକଙ୍କ ପ୍ରତିକ୍ରିୟା ଆସିବା ପରେ କୁହାଯାଉଛି କି, ବର୍ଷର ସବୁଠାରୁ ବଡ ରିଲିଜ୍ ହୋଇଛି ବାହୁବଳୀ-ଟୁ । ତେବେ ପ୍ରଶ୍ନ ଏଇଟା ନୁହେଁ, ପ୍ରଶ୍ନ ହେଉଛି କଟ୍ଟପ୍ପା କାହିଁକି ମାରିଥିଲା ବାହୁବଳୀକୁ । ଯାହାର ଉତ୍ତର ଏବେ ମିଳିଛି ବାହୁବଳୀ –ଟୁ ରେ ।

ବାହୁବଳୀ – ଦ ବିଗିନିଂ ର ଶେଷ ଦୃଶ୍ୟରେ ବାହୁବଳୀଙ୍କର ହତ୍ୟା କରିଥିଲେ କଟ୍ଟପ୍ପା । ଏହି ଦୁଃଖଦ ଏଣ୍ଡିଂ ହୋଇଥିଲା ବାହୁବଳୀ ପ୍ରଥମ ଭାଗ ସିନେମାର । ଆଉ ଏହା ସହିତ ଏକ ପ୍ରଶ୍ନ ଛାଡିଯାଇଥିଲା ସଭିଁଙ୍କ ମନରେ, କଟ୍ଟପ୍ପା କାହିଁକି ମାରିଲା ବାହୁବଳୀକୁ । ଜାତୀୟ ସ୍ତରରେ ଏହି ପ୍ରଶ୍ନ ଆଲୋଚନାର ବିଷୟ ପାଲଟିଲା । ସୋସିଆଲ୍ ମିଡିଆରେ ମଧ୍ୟ ଏହି ପ୍ରଶ୍ନକୁ ନେଇ ହେଲା ଅନେକ ହଲ୍ଲା । ମାତ୍ର ବହୁବଳୀ-ଟୁ ରିଲିଜ୍ ହେବା ପରେ ଏହି ପ୍ରଶ୍ନର ଉତ୍ତର ମିଳିଛି ସିନେପ୍ରେମୀଙ୍କୁ ।

ମାହିଷ୍ମାତୀର ରାଜଗାଦୀ ହାସଲ କରିବା ଏବଂ ଦେବସେନାଙ୍କୁ ବିବାହ କରିବା ପାଇଁ ଦୁଇ ଭାଇ ବାହୁବଳୀ ଓ ଭଲ୍ଲାଲ ଦେବଙ୍କ ମଧ୍ୟରେ ହୋଇଥିଲା ଶୀତଳ ଯୁଦ୍ଧ । ଯାହାର ପରିଣାମ ଭଲ୍ଲାଲଦେବ ମାହିଷ୍ମାତୀର ରାଜା ହେଲେ ଆଉ ବାହୁବଳୀ ହେଲେ ଦେବସେନାଙ୍କ ସ୍ୱାମୀ । ହେଲେ ପ୍ରଜା ଅଧିକ ସମ୍ମାନ କରୁଥିଲେ ବାହୁବଳୀଙ୍କୁ । ଆଉ ଏହି ରାଗରେ ବାହୁବଳୀଙ୍କୁ ହତ୍ୟା କରିବା ପାଇଁ ଭଲ୍ଲାଲଦେବ ରଚିଲେ ଷଡଯନ୍ତ୍ର । ନିଜ ମା ଶିବଗାମୀ ଦେବିଙ୍କୁ ଆଧାର କରି ବାହୁବଳୀଙ୍କୁ ମାରିବା ପାଇଁ ପ୍ରବର୍ତ୍ତାଇଲେ ଭଲ୍ଲାଲ ଦେବ । ଆଉ ଶେଷରେ ଶିବଗାମୀ ଦେବୀଙ୍କ କଥାରେ ବାହୁବଳୀର ହତ୍ୟା କଲେ, ତାର ପିତା ସମାନ କଟ୍ଟପ୍ପା । ମାତ୍ର ଭଲ୍ଲାଲଦେବର ସତ୍ୟ ଜାଣିବା ପରେ ବାହୁବଳୀର ପୁଅ ମହେନ୍ଦ୍ର ବାହୁବଳୀକୁ ମାହିଷ୍ମାତୀର ରାଜା ଭାବେ ଘୋଷଣା କଲେ ଶିବଗାମୀ ଦେବୀ । ମାତ୍ର ନିଜ ମାକୁ ବି ହତ୍ୟା କରିବାକୁ ପଛାଇଲାନାହିଁ ଭଲ୍ଲାଲ ଦେବ ।

ଏମିତି ଏକ ରୋମାଂଚକର କାହାଣୀ ବାହୁବଳୀ – ଟୁର ଚାହିଦା ଦ୍ୱିଗୁଣିତ କରିଛି । ଏହା ବ୍ୟତୀତ ସିନେମାରେ ନଜର ଆସିଥିବା ସମସ୍ତ ଚରିତ୍ର ନିଜର ଦମଦାର୍ ଅଭିନୟ ଭେଟି ଦେଇଛନ୍ତି । ୨୫୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ସିନେମାରେ ଅମରେନ୍ଦ୍ର ବାହୁବଳୀ ଏବଂ ତାଙ୍କ ପୁଅ ମହେନ୍ଦ୍ର ବାହୁବଳୀ ଚରିତ୍ରରେ ଅଭିନୟ କରିଛନ୍ତି ତାମିଲ୍ ସୁପରଷ୍ଟାର୍ ପ୍ରଭାସ । ମହାରାଣୀ ଦେବସେନା ଚରିତ୍ରରେ ଅନୁସ୍କା ସେଟ୍ଟୀ, ଅବନ୍ତିକା ଚରିତ୍ରରେ ତମନ୍ନା ଭାଟିଆ, ଭଲ୍ଲାଲ୍ ଦେବ ଚରିତ୍ରରେ ରାନା ଡାଗୁବତି ଏବଂ କଟ୍ଟପ୍ପା ଚରିତ୍ରରେ ସତ୍ୟରାଜଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଛି ।