ପାକିସ୍ତାନର ବହାବଲପୁର ସହର, ଯେଉଁଠି ଲୁଚିଛି ପୁଲୱାମା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ 

728

କନକ ବ୍ୟୁରୋ : ଗତ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି । ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍ ବସ୍ରେ ବିସ୍ଫୋଟକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ ଦୁର୍ଘଟଣା ଘଟିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ । ସହିଦଙ୍କୁ ମନେ ପକାଇ ଆଜି ତାଙ୍କ ଜନ୍ମାମାଟି ଗୁମୁରି ଗୁମୁରି କାନ୍ଦୁଛି । ବିଭିନ୍ନସ୍ଥାନରେ ଯବାନ ସହିଦ ହୋଇଛନ୍ତି । ମସୁଦ ଅଜହର ଏହାର ସୂତ୍ରଧର ବୋଲି କୁହାଯାଉଛି । ଦିନ ଥିଲା ଭାରତୀୟ ଜେଲରେ ବନ୍ଦଥିଲା ପେଶୁଥିଲା  ମସୁଦ ଅଜହର । କିନ୍ତୁ ଡିସେମ୍ବର ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣ ପରେ ଯାତ୍ରୀମାନଙ୍କୁ ମୁକ୍ତ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ବିବଶ ହୋଇ ତାକୁ ମୁକ୍ତ କରିଥିଲେ ।

୨୦ବର୍ଷ ପରେ ପୁଣି ମନେ ପଡ଼ିଲା କାନ୍ଦାହାର କାହାଣୀ  । ୧୯୯୯ ମସିହାରେ ହୋଇଥିବା ବିମାନ ଅପହରଣ ଘଟଣା ପରେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାରକୁ ମୁକ୍ତ କରିବା, ଭାରତ ପାଇଁ ଦିନକୁ ଦିନ ମହଙ୍ଗା ପଡ଼ିବାରେ ଲାଗିଛି । ବିମାନଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖି ଭାରତ ଜେଲରୁ ଖଲାସ୍ ହୋଇଥିବା ମସୁଦ ଆଝାର, ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାରେ ସଫଳ ହୋଇଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନ ଉପରେ ହମ୍ଲା, ଉରୀ ଆତଙ୍କବାଦୀ ଆକ୍ରମଣ, ପଠନାକୋଟ୍ ଆକ୍ରମଣ ପରେ ପୁଲୱାମାରେ ସବଠୁ ବଡ ଆତଙ୍କବାଦୀ ଆକ୍ରମଣ କରିଛି ମସୁଦ ଆଝାର ସଂଗଠନ- ଜୈଶ୍-ଇ-ମହମ୍ମଦ ।

ବହାବଲପୁର ପାକିସ୍ତାନର ୧୨ତମ ବଡ ସହର । ଏହି ସମୟରେ ଥିବା ଧଳା ମସଜିଦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରେ । ଏହି ମସଜିଦର ନାମ ଜାମିୟା ସୁଭାନଆଲ୍ଲା । ଏହି ମସଜିଦ, ଜୈଶର ମୁଖ୍ୟାଳୟ ଏବଂ ମୌଲାନା ମସୁଦ ଅଜହରର ଚରାଭୂମି । ବହାବଲପୁର ଅଂଚଳରେ ପାକିସ୍ତାନ ଆର୍ମିର ୩୧ଟି ମୁଖ୍ୟାଳୟ ରହିଛି । ଏହି ଅଂଚଳ ଖୁବ୍ ସମ୍ବେଦନଶୀଳ । ଭାରତର ମୋଷ୍ଟ ୱାଂଟେଡ କୁଖ୍ୟାତ ଅପରାଧୀ ପାକିସ୍ତାନର ଛତ୍ରଛାୟା ତଳେ ରହି ନିଜ ଆତଙ୍କର କାୟା ବିସ୍ତାର କରୁଛି ।