ଜେଲରେ ମନ୍ତ୍ରୀପୁଅ, ବଢୁଛି ଅଭିଯୋଗ : ଦେବାଶିଷ ପାତ୍ରଙ୍କ ଗୁଣ୍ଡାଗର୍ଦ୍ଦିରେ ଭୟଭୀତ ହୋଇ ଓଡ଼ିଶା ଫେରି ପାରୁନାହାନ୍ତି ଯୁବକ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

45

କନକ ବ୍ୟୁରୋ : ମନ୍ତ୍ରୀଙ୍କ ପୁଅଙ୍କ ଦବଙ୍ଗଗିରି । ମନ୍ତ୍ରୀ ବାପାଙ୍କ ବିରୁଦ୍ଧରେ କିଏ ମୁହଁ ଖୋଲିଲେ ମିଳୁଛି ଶାସ୍ତି । ଓଡ଼ିଶାର ପାୱାରଫୁଲ୍ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ନେଇ ବଢ଼ିବାରେ ଲାଗିଛି ଅଭିଯୋଗ । ବିଚ୍ ରାସ୍ତାରେ ଲୋକଙ୍କୁ ହାଣି ପକାଇଥିବା ଦେବାଶିଷ ଏବେ ଜେଲରେ ଅଛନ୍ତି ସତ । ହେଲେ ସେ ଛାଡି ଯାଇଥିବା ଗୁଣ୍ଡାଗର୍ଦ୍ଦିର ପରିମାଣ ଭୋଗୁଛନ୍ତି ସ୍ଥାନୀୟ ଅଂଚଳର ଲୋକ । ସୂଚନା ଅନୁସାରେ ମନ୍ତ୍ରୀ ପୁଅଙ୍କ ଭୟରେ ଓଡ଼ିଶା ଛାଡି ଚେନ୍ନାଇରେ ଦିନ କାଟୁଛନ୍ତି । ଆଉ ସ୍ଥିତି ଏଭଳି ହୋଇଛି ଯେ, ସେ ଆଉ ଗାଁକୁ ଫେରିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି ।

ତେବେ ଘର ଦ୍ୱାର ଛାଡି ଚେନ୍ନାଇରେ ଆତ୍ମଗୋପନ କରିଥିବା ପୀଡ଼ିତ ଯୁବକ ଏଥିରୁ ରକ୍ଷା ପାଇବା ପାଇଁ ଆତୁର ନିବେଦନ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଇଙ୍ଗିତରେ ଆକ୍ରମଣର ଶିକାର ହୋଇ, ଲହୁଲୁହାଣ ହୋଇଥିଲେ । ଜୀବନ ବିକଳରେ ଚେନ୍ନାଇକୁ ଚାଲିଯାଇଥିବା ସୁନୀଲ, ଏବେ ଗାଁକୁ ଫେରିବାକୁ ସାହାସ ବି କରୁ ନାହାଁନ୍ତି । କାରଣ ଦେବାଶିଷ ପାତ୍ରଙ୍କ ନେଟୱାର୍କର ନଜର ଅଛନ୍ତି ସୁନିଲ ।

ସୁନୀଲ, ନବୀନ ନିବାସ ସାମ୍ନାରେ ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ଯାହାଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲା ପୁଲିସ୍ । ସୁନୀଲଙ୍କ ଅଭିଯୋଗ ଥିଲା ମନ୍ତ୍ରୀ ବଦ୍ରୀ ପାତ୍ର ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନାରେ ମିଳୁଥିବା ଘର ଦେବାରେ ଅନିୟମିତତା କରୁଛନ୍ତି । ବାରମ୍ବାର ଅନୁରୋଧ କରିବା ସତ୍ୱେ ତାଙ୍କୁ ଘରଟିଏ ନମିଳିବା ଅଭିଯୋଗ କରିଥିଲେ । ଘସିପୁରା ଅଂଚଳରେ ଚାଲିଥିବା ଦୁର୍ନୀତିକୁ ପଦାକୁ ଆଣିବା ପାଇଁ ଏଭଳି ଏକ ଉଦ୍ୟମ କରିଥିବା କହିଛନ୍ତି ସୁନୀଲ ।

ହେଲେ କାହାଣୀ ଏତିକିରେ ସରିନଥିଲା । ବରଂ ଏହି ଘଟଣା ତାଙ୍କ ଜୀବନରେ ଆଣି ଦେଇଥିଲା ଆଉ ଏକ ସଂକଟ । ଠିକ୍ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ସୁନୀଲଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ମନ୍ତ୍ରୀଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଇଙ୍ଗିତରେ ସ୍ଥାନୀୟ ଅଂଚଳର କିଛି ଅସାମାଜିକ ଯୁବକ ଅଚାନକ୍ ଆକ୍ରମଣ କରିଦେଲେ । ଯେଉଁଥିରେ ଗୁରୁତର ହୋଇ ପ୍ରଥମେ ଯାଜପୁରରୋଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏବଂ ଭୁବନେଶ୍ୱରରେ ଚିକିତ୍ସା ପାଇଁ ଭତ୍ତ କରାଯାଇଥିଲା ।

ଆଉ ଏହି ସମସ୍ତ ଗୁଣ୍ଡାଗର୍ଦ୍ଦିର ପଛରେ ଯେଉଁ ଚେହେରାଟି କେନ୍ଦ୍ରରେ ରହୁଛନ୍ତି ସିଏ ହେଉଛନ୍ତି ପାୱାରଫୁଲ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ଯୁବ ନେତା, ପୂର୍ବତନ ଘସିପୁରା ବ୍ଲକ୍ ଚେୟାରମ୍ୟାନ୍ । ଏହି ଦବଙ୍ଗ ନେତାଙ୍କ ଠିକଣା ଏବେ କେନ୍ଦୁଝର ଜେଲ । ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିବାର ଭିଜୁଆଲ ଭାଇରାଲ ହେବା ଏବଂ ପୁଲିସକୁ ଆକ୍ରମଣ ଘଟଣାରେ ଗତ ୧୯ ତାରିଖରେ ଗିରଫ ହୋଇଛନ୍ତି ଦେବାଶିଷ ପାତ୍ର ।

ଅଭିଯୋଗର ଲମ୍ବା ଫର୍ଦ୍ଦ ଥିବା ସତ୍ୱେ ପାୱାରଫୁଲ ମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ପୁଲିସର ହାତ ପହଂଚିବା ଏତେ ସହଜ ହେଉନଥିଲା । ଏବେ ସିନା ଜେଲର ଚାରିକାନ୍ଥ ଭିତରେ ଅଛନ୍ତି । ହେଲେ ଜେଲ ବାହାରେ ଚାଲିଛି ତାଙ୍କର ନେଟୱାର୍କ । ଲୋକଙ୍କୁ ଧମକ୍ ଚମକ୍ ଦେବା ସହିତ ମାଡ଼ ମାରିବାର ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ ତାଙ୍କ ନାଁରେ ରହିଛି । କିଏ ମନ୍ତ୍ରୀ ପୁଅଙ୍କ ଦାଦାଗିରି ସହି ନପାରି ଗାଁ ଛାଡିଛି ତ ଆଉ କିଏ ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି ।