ପଛୁଆ ଜିଲ୍ଲାକୁ ନେଇ ଆରମ୍ଭ ହେଲା ପଲିଟିକ୍ସ : ମୋଦିଙ୍କ ନ୍ୟୁ ଇଣ୍ଡିଆ ଭିଜନରେ ରାଜ୍ୟର ୮ଟି ଜିଲ୍ଲାର ବିକାଶ ପାଇଁ ଚିଠି ଲେଖିଲା କେନ୍ଦ୍ର

84

କନକ ବ୍ୟୁରୋ :  କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡା , କୋରାପୁଟ, ବଲାଙ୍ଗିର, ଗଜପତି ଓ ମାଲକାନଗିରି । ଓଡିଶାର ଏହି ୮ଟି ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ମୋଦି ସରକାର । ଓଡିଶା ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚିଠିରେ କୁହାଯାଇଛି, ମୋଦିଙ୍କ ନ୍ୟୁ ଇଣ୍ଡିଆ-୨୦୨୨ ପାଇଁ ୧୧୫ ଟି ପଛୁଆ ଜିଲ୍ଲାକୁ ବଛାଯାଇଛି । ଯେଉଁଥିରେ ଓଡିଶାର ରହିଛି ୮ଟି ଜିଲ୍ଲା । ଦାରିଦ୍ର୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତିଭୂମି କ୍ଷେତ୍ରରେ ପଛରେ ଥିବା ଓ ମାଓବାଦୀ ଅଧ୍ୟୁଷିତ ଜିଲ୍ଲାକୁ ନେଇ ତିଆରି ହୋଇଛି ଏହି ତାଲିକା ।

ଓଡିଶାର ୮ଟି ଜିଲ୍ଲାର ବିକାଶ କରିବା ପାଇଁ ମୋଦି ସରକାରଙ୍କ ଏହି ଯୋଜନାକୁ କିନ୍ତୁ ରାଜ୍ୟ ଶାସକ ଦଳର ନେତାମାନେ ସହଜରେ ଗ୍ରହଣ କରିପାରିନାହାଁନ୍ତି । ବିଜେଡି କହିଛି, ଏସବୁ ପ୍ରଚାର ଛାଡି ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଚେଷ୍ଟା କରନ୍ତୁ ମୋଦି ।

ଏହି ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ଯୁଗ୍ମ ସଚିବ ପାହ୍ୟାରେ ପ୍ରତ୍ୟେକ ଜିଲ୍ଲା ପାଇଁ ପ୍ରଭାରୀ ଅଫିସର ନିଯୁକ୍ତ କରିଛନ୍ତି । ଏହି ଅଫିସର ମାନେ କେନ୍ଦ୍ର ଓ ରାଜ୍ୟ ସହ ସମନ୍ୱୟ ରକ୍ଷା କରି କାମ କରିବେ । ତେବେ କେଉଁ ଭିତ୍ତିରେ ଏହି ତାଲିକା ଗଠନ କରାଯାଇଛି ଏବଂ ରାଜ୍ୟ ସରକାରଙ୍କର ଏଥିରେ ସହମତି ରହିଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏଭଳି ସ୍ଥଳେ ରାଜ୍ୟ ସରକାର ମାନଙ୍କୁ ବିଶ୍ୱାସକୁ ନନେଇ କେନ୍ଦ୍ର ସରକାର କେମିତି କାମ ଆଗକୁ ବଢାଇବେ ତାହା ବଡ ପ୍ରଶ୍ନ ।