କନକ ବ୍ୟୁରୋ : ଗତକିଛି ଦିନ ହେଲା ଭୁବନେଶ୍ୱରରେ ବିଭିନ୍ନ ସ୍ପା ଉପରେ ଚଢାଉ କରି ଯୁବତୀ ଓ ଗ୍ରାହକଙ୍କୁ ଗିରଫ କରୁଛି ପୁଲିସ । ଏଥିପାଇଁ ପୋଲିସ ସାବାସି ମଧ୍ୟ ପାଉଛି । ତେବେ ସାଧାରଣ ଲୋକଙ୍କୁ ଧରି ବାହାବା ନେଉଥିବା ପୋଲିସର ଏହି ନିୟମ କିନ୍ତୁ ବଡବଡିଆଙ୍କ କ୍ଷେତ୍ରରେ ବଦଳିଯାଉଛି ।  ବଡ ହୋଟେଲରେ ବଡ ଲୋକଙ୍କ ରାତି ଅଧିଆ ପାର୍ଟି ଉପରେ ରେଡ କରି ଧରିବା ପରେ ମଧ୍ୟ ଛାଡିଦେଉଛି ପୋଲିସ । ଯାହା ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁରୀରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପୁରୀରେ ଏକ ବଡ ହୋଟଲରେ ଚାଲିଥିବା ରାତି ଅଧିଆ ପାର୍ଟିରେ ପୋଲିସ ଚଢାଉ କରି କିଛି ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା । କିନ୍ତୁ ସେମାନଙ୍କ ପରିଚୟ ଜାଣିବା ପରେ ଛାଡି ଦେଇଥିଲା ପୁରୀ ପୋଲିସ ।  ପ୍ରଭାବଶାଳୀ ନେତାଙ୍କ ସର୍ମ୍ପକୀୟ ହୋଇଥିବାରୁ ଏମାନଙ୍କୁ ପୋଲିସ ଛାଡି ଦେଇଥିବା ଚର୍ଚ୍ଚା ହେଉଛି । ପ୍ରଶ୍ନ ଉଠୁଛି କେଉଁ ଚାପରେ ପୁଲିସ ନେତାଙ୍କ ସଂପର୍କୀୟଙ୍କୁ ଛାଡିଦେବାକୁ ବାଧ୍ୟ ହେଲା ଓ କେଉଁ ଅପରାଧରେ ସ୍ପାର ଗ୍ରାହକଙ୍କୁ ଗିରଫ କରୁଛି ।

rave-partyଦାମି ଗାଡି କିନ୍ତୁ ଗାଡି ଭିତରକୁ ମୁହଁ ଲୁଚାଇ ଯାଉଛନ୍ତି ଯୁବକ ଓ ଯୁବତୀ । ଏଭଳି ଘଟଣା ପୁରୀର ପେଣ୍ଠକଟା ମେରାଇନ ଥାନା ପରିସରରେ ଦେଖିବାକୁ ମିଳିଛି । ଗତ ୧୬ ତାରିଖ ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୁରୀ ମେରାଇନ ଡ୍ରାଇଭ ରୋଡରେ ଥିବା ତୋସାଳୀ ସ୍ୟାଣ୍ଡସ ହୋଟଲରେ ୧୫ ତାରିଖ ବିଳମ୍ବିତ ରାତିରେ ଏକ ବ୍ୟାଚଲର ପାର୍ଟି ଚାଲିଥିବା ନେଇ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ । ଚଢାଉ କରି ବ୍ୟାଚେଲର ପାର୍ଟି ଆୟୋଜନ କରୁଥିବା ବ୍ୟକ୍ତିଙ୍କ ସହ କିଛି ଯୁବକ ଓ ଯୁବତୀଙ୍କୁ ଥାନାକୁ ଉଠାଇ ଆଣିଥିଲା ପୋଲିସ ।  ଏମାନଙ୍କ ଭିତରେ ବି ଥିଲେ ବ୍ରହ୍ମପୁର ମେୟର କେ ମାଧବୀଙ୍କ ଭାଇ କେ ଅନୀଲ ଓ କେ ସୁନୀଲ । ଆଉ ହେଉଥିବା ଚର୍ଚ୍ଚା ଅନୁସାରେ ସେଦିନ ରାତିରେ ହୋଟେଲ ଭିତରେ କେବଳ ନାଚଗୀତ ଚାଲିନଥିଲା । ବରଂ ଟଙ୍କା ଦେଇ ବାହାରୁ ଝିଅ ଆଣି ଅୟସ କରୁଥିଲେ ବ୍ରହ୍ମପୁର ବିଜେଡିର ପ୍ରଭାବଶାଳୀ ନେତାଙ୍କ ସଂପର୍କୀୟ ।

ହୋଟଲରୁ ଥାନାକୁ ଆସିବାର କିଛି ସମୟ ମଧ୍ୟରେ ବଦଳି ଯାଇଥିଲା ପୁରା ପରିସ୍ଥିତି । ବ୍ୟାଚଲର ପାର୍ଟିରୁ ନେତାଙ୍କ ସର୍ମ୍ପକୀୟଙ୍କୁ ଉଠାଇଥିବାରୁ ପୋଲିସ ଉପରେ ପଡିଥିଲା ରାଜନୈତିକ ଚାପ ।  କିଛି ସମୟ ମଧ୍ୟରେ ବ୍ୟାଚଲର ପାର୍ଟିରୁ ଉଠାଇଥିବା ଯୁବକ ଓ ଯୁବତୀଙ୍କୁ ଛାଡି ଦେଇଥିଲା ପୋଲିସ ।  ତେବେ ଏ ସର୍ମ୍ପକରେ ପୁଲିସର କହିବା ହେଲା ବିବାହ ପୂର୍ବରୁ ଏକ ବ୍ୟାଚଲର ପାର୍ଟି ଥ୍ରୋ କରିଥିଲେ ଜଣେ ବ୍ୟକ୍ତି । ଆଉ ସେଥିପାଇଁ ଭୁବନେଶ୍ୱରରୁ ଅଣାଯାଇଥିଲା ଦୁଇଟି ଡ୍ୟାନ୍ସଗ୍ରୁପ । କେବଳ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ନାଚଗୀତର କାର୍ଯ୍ୟକ୍ରମ ଚାଲିଥିବାରୁ ଏମାନଙ୍କୁ ଉଠାଇ ଆଣିଥିଲା ପୁଲିସ । ପ୍ରାଥମିକ ଛାନଭିନ ପରେ ସମସ୍ତଙ୍କୁ ଛାଡି ଦେଇଥିଲା ।  ତେବେ ପ୍ରଶ୍ନ ଉଠୁଛି..

– ସେଦିନ ରାତିରେ କେଉଁ ଅପରାଧରେ ଏମାନଙ୍କୁ ଉଠାଇ ଆଣିଥିଲା ପୁଲିସ?

– ହୋଟେଲରେ କେବଳ ନାଚଗୀତ ଚାଲିଥିଲା ନା ଆଉ କିଛି?

– ହେଉଥିବା ଅଭିଯୋଗ ଯଦି ସତ ତାହେଲେ ପୁଲିସ ଏମାନଙ୍କୁ ଛାଡିଲା କାହିଁକି?

– ଭୁବନେଶ୍ୱରରେ ସ୍ପା ଉପରେ ଚଢାଉ କରି ପୁଲିସ ଯୁବତୀ ଓ ଗ୍ରାହକଙ୍କୁ ଗିରଫ କରୁଛି

– ହେଲେ କେଉଁ ଚାପରେ ଜଣେ ପ୍ରଭାବଶାଳୀ ନେତାଙ୍କ ସଂପର୍କୀୟଙ୍କୁ ଛାଡିଦେଲା ପୋଲିସ?