ବେବି ହାଲଦାରଙ୍କ ପ୍ରେରଣାଦାୟୀ କାହାଣୀ ! ଅଳ୍ପ ପାଠପଢ଼ି ମଧ୍ୟ ସାଜିଲେ ଲେଖିକା

109

ଏକବିଂଶ ଶତାବ୍ଦୀରେ ଆଜି ବି ମହିଳା ମାନଙ୍କୁ ଉଚିତ୍ ସମ୍ମାନ ମିଳୁନି । ସମାଜର ମର୍ଯ୍ୟାଦା ଓ ପରମ୍ପରା ବେଡ଼ିରେ ବାନ୍ଧି ହୋଇଛନ୍ତି ମହିଳା । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଭେଦଭାବ ଏବଂ ଅତ୍ୟାଚାର ସହିବା ପାଇଁ ପଡ଼ୁଛି । ପ୍ରତିଦିନ ଏପରି କିଛି ଅତ୍ୟାଚାରର ଖବର ଖବରଗକାଗଜର ପୃଷ୍ଠାମଣ୍ଡନ କରୁଛି । ତେବେ ମହିଳାମାନେ ଅତ୍ୟାଚାରିତ ଘଟଣା ସମସ୍ତେ ଜାଣିଥିବେ, ଶୁଣିଥିବେ ଆଉ ଅଙ୍ଗେ ନିଭେଇଥିବେ । କିନ୍ତୁ ଜଣେ ମହିଳା ଅତ୍ୟାଚାରିତ ହୋଇ ମଧ୍ୟ ଆଉଥରେ ସତସାହସ ଜୁଟାଇ ସଫଳ ହେବାର ଉଦାହରଣ ଖୁବ କମ ଦେଖିବା ପାଇଁ ମିଳେ । ଏମିତି ଜଣେ ପ୍ରେରଣାଦାୟୀ ମହିଳା ହେଲେ କାଶ୍ମୀରର ‘ବେବି ହାଲଦାର’ ।

ବେବି ହାଲଦାରଙ୍କ ଜୀବନ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ତେବେ ବେବି କୌଣସି ପ୍ରତକୂଳ ପରିସ୍ଥିତିରେ ହାରି ନଯାଇ ଆଗେଇ ଚାଲିଥିଲେ । ସେ ଆମ୍ବେଦକରଙ୍କ ଲିଖିତ ପୁସ୍ତକ ପଢ଼ି ପ୍ରେରଣା ପାଇଥିଲେ । ମହିଳାଙ୍କ ଅଧିକାର ପାଇଁ ହୋଇଥିବା ଆନ୍ଦୋଳନରେ ବାବା ସାହେବ ଆମ୍ବେଦକରଙ୍କର ରହିଥିଲା ମହାନ ଭୂମିକା । ସେ ଜାତିକୁ ଆଧାର କରି ସାମାଜିକ ଦୃଷ୍ଟିଭଙ୍ଗୀକୁ ଆଡ଼େଇ ମହିଳାଙ୍କ ପାଇଁ ସ୍ୱର ଉତ୍ତୋଳନ କରଥିଲେ । କେବଳ ଏତିକି ନୁହେଁ ମହିଳା ଆନ୍ଦୋଳନରେ ସାମିଲ ହେବାପାଇଁ ଉତ୍ସାହିତ ମଧ୍ୟ କରିଥିଲେ । ମହିଳାଙ୍କ ଉପରେ ଆଧାରିତ ଅନେକ ପୁସ୍ତକ ଦ୍ୱାରା ଲିଙ୍ଗଗତ ଭେଦଭାବକୁ ସମାଜ ସମ୍ମୁଖରେ ବାରମ୍ବାର ଉପସ୍ଥାପନା କରୁଥିଲେ ଆମ୍ବେଦକର । ବାବା ସାହେବଙ୍କ ଶବ୍ଦ ଅନେକଙ୍କ ସଂଘର୍ଷମୟ ଜୀବନଶୈଳୀରେ ଆଣିଛି ପରିବର୍ତ୍ତନ ।

ତେବେ ଆମ୍ବେଦକରଙ୍କ ଲେଖାରୁ ପ୍ରେରଣା ପାଇଥିବା ମହିିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ‘ବେବି ହାଲଦାର’ । ଆସନ୍ତୁ ଜାଣିବା ବେବି ହାଲଦାରଙ୍କ ସଂଘର୍ଷର କାହାଣୀ । ଏହା କୌଣସି କାଳ୍ପନିକ କାହାଣୀ ନୁହେଁ । ସମ୍ପୂର୍ଣ୍ଣ ରୂପେ ସତ୍ୟ ଘଟଣା । ବେବି ହାଲଦାର କୌଣସି ପ୍ରସିଦ୍ଧ ମହିଳା ନୁହନ୍ତି । ଅତି ଗରିବ ପରିବାରରେ ସେ ଜନ୍ମ ହୋଇଥିଲେ । ପିତାଙ୍କ ଅତ୍ୟାଚାର ସହି ନପାରି ୪ବର୍ଷ ବୟସର ବେବିଙ୍କୁ ତାଙ୍କ ମା’ ଛାଡି ଚାଲିଯାଇଥିଲେ । ଘରର ପରିସ୍ଥିତି ଖରାପଥିବା ଯୋଗୁଁ ୬ଷ୍ଠଶ୍ରେଣୀ ପରେ ସ୍କୁଲ ଯିବା ବନ୍ଦକରିଦେଇଥିଲେ । ପାଠ ପଢିବାରେ ଅସମର୍ଥ ଥିଲେ । ଝିଅକୁ ୧୨ବର୍ଷ ବୟସ ହୋଇଥିବା ବେଳେ ବୋଝ ସହି ନପାରି ତାଙ୍କ ପିତା ତାଙ୍କ ଠାରୁ ଦୁଇଗୁଣ ଅଧିକ ବୟସର ଯୁବକଙ୍କ ସହ ତାଙ୍କର ବିବାହ କରାଇ ଦେଇଥିଲେ । ବିବାହ ପରେ ବେବିଙ୍କ ସ୍ୱାମୀ ତାଙ୍କ ଅନିଚ୍ଛା ସତ୍ୱେ ବାରମ୍ବାର ବଳାତ୍କାର କରୁଥିଲା । ୧୪ବର୍ଷ ବୟସରେ ସେ ମା’ ବନିଥିଲେ ।

ବେବିଙ୍କୁ ତାଙ୍କ ସ୍ୱାମୀ ଅତ୍ୟଧିକ ନିର୍ଯ୍ୟାତନା ଦେଉଥିଲେ ଏବଂ ମାଡ ମାରୁଥିଲେ । ଫଳରେ ଏଥିରୁ ବିରକ୍ତ ହୋଇ ୩ ଶିଶୁଙ୍କୁୁ ନେଇ ଘରଛାଡି ଗୁଡଗାଓଁ ଚାଲିଆସିଥିଲେ । ଏହାପରେ ସେ ଛୁଆଙ୍କ ଭରଣପୋଷଣ ଲାଗି ଘରେ ଘରେ ଝାଡୁ ପୋଛା କାମ କରିବାକୁ ଲାଗିଲେ । ଗୁଡଗାଓଁ ସ୍ଥିତ ଅବସରପ୍ରାପ୍ତ ପ୍ରଫେସର ପ୍ରବୋଧ କୁମାରଙ୍କ ଘରେ ସେ କାମ କରୁଥିଲେ । ପ୍ରବୋଧ କୁମାର ପ୍ରସିଦ୍ଧ ଲେଖକ ମୁନସି ପ୍ରେମଚାନ୍ଦଙ୍କ ନାତି ଥିଲେ । ତେଣୁ ତାଙ୍କ ଘରେ ପୁସ୍ତକ ଭଣ୍ଡାର ଥିଲା । ବେବିଙ୍କର ପୁସ୍ତକ ପଢିବାରେ ଆଗ୍ରହ ବଢିଥିଲା । ବେବିଙ୍କ ବହି ପଢିବା ଆଗ୍ରହ ଦେଖି ଲେଖାଲେଖି କରିବା ପାଇଁ ପ୍ରବୋଧ କୁମାର ତାଙ୍କୁ ଉତ୍ସାହିତ କରିଥିଲେ । ତାଙ୍କୁ କାଗଜ କଲମ ଦେଇ ନିଜ ଅତୀତ ଜୀବନଶୈଳୀ ସମ୍ବନ୍ଧରେ ନିଜ ମାତୃଭାଷା ବଙ୍ଗଳାରେ ଲେଖିବା ପାଇଁ କହିଥିଲେ । ପରେ କୁମାର ଏହାକୁ ହିନ୍ଦୀରେ ଅନୁବାଦ କରିଥିଲେ ।

ଧୀରେ ଧୀରେ ନିଜ ବିଷୟରେ ଲେଖିବା ଆରମ୍ଭ କରିଥିଲେ ବେବି । କୁମାର, ବେବିଙ୍କ ରଚିତ ପ୍ରଥମ ପୁସ୍ତକକୁ ପ୍ରକାଶିତ କରିବାରେ ସାହାଯ୍ୟ ମଧ୍ୟ କରିଥିଲେ । ବେବିଙ୍କ ରଚିତ ପୁସ୍ତକ ‘ଆଲୋ ଅନ୍ଧାରୀ’ ୨୦୦୫ରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ତାଙ୍କ ଜୀବନରେ ଏକ ନୂଆ ଆଶାର କିରଣ ସାଜିଥିଲା । ୨୦୦୬ରେ ତାଙ୍କର ଏହି ବହି ଇଂରାଜୀ ଭାଷାରେ ପ୍ରକାଶିତ ହୋଇଥିଲା ଏବଂ ଏହି ବହିର ନାଁ ରଖାଯାଇଥିଲା ‘ଏ ଲାଇଫ ଲେସ୍ ଅର୍ଡ଼ିନାରୀ : ଏ ମେମୋୟର’ ।

ନିଜ ଜୀବନର ୪୩ବର୍ଷ ମଧ୍ୟରେ ସେ ୩ଟି ବହି ରଚନା କରିଥିଲେ । ସେଗୁଡିକ ୨୪ଟି ଭାଷାରେ ଅନୁବାଦ ହୋଇଛି । ବେବିଙ୍କୁ ଅନେକ ସମୟରେ ସାହିତ୍ୟିକ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ ଆସେ । ବେବି ଏବେ ମଧ୍ୟ ଗୁରୁ ଏବଂ ପିତା ସମାନ ପ୍ରବୋଧ କୁମାରଙ୍କ ଘରେ ରହି ତାଙ୍କର ଦେଖାଶୁଣା କରୁଛନ୍ତି । ତେବେ ବେବିଙ୍କ ଜୀବନ କାହାଣୀରୁ ଅନେକ ନିଷ୍ପେସିତ ଓ ଅବହେଳିତ ମହିଳାମାନେ ନିଶ୍ଚିତ ରୂପେ ପ୍ରେରଣା ପାଇବେ ।