ମୃତ୍ୟୁକୁ ମାତ୍ ଦେଲା ୩ ବର୍ଷର ରାଧା ! ୭ ଘଣ୍ଟାର ସଂଘର୍ଷ ପରେ ୧୭ ଫୁଟ ବୋରୱେଲରୁ ଉଦ୍ଧାର,ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

52

କନକ ବ୍ୟୁରୋ : ମୃତ୍ୟୁ ସହ ୭ ଘଂଟାର ସଂଘର୍ଷ । ଆଉ ସଂଘର୍ଷରେ ଜିତିଗଲା ୩ ବର୍ଷର କଅଁଳା ଝିଅ ରାଧା । ଦୀର୍ଘ ୪ ଘଂଟାର ରେସକ୍ୟୁ ଅପରେସନ୍ ପରେ ୧୭ ଫୁଟର ବୋରୱେଲରୁ ଉଦ୍ଧାର ହେଲା ୩ ବର୍ଷର ରାଧା । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍ ବୋରୱେଲ ଗାତ ଭିତରୁ ରାଧାକୁ ଉଦ୍ଧାର କରିଛନ୍ତି । ରାଧା ଖସିପଡିଥିବା ବୋରୱେଲ ନିକଟରେ ପ୍ରାୟ ୧୭ ଫୁଟର ଗାତ ଖୋଳାଯାଇ ଏକ ସୁଡଙ୍ଗ କରାଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀ ରାଧାକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ଏବଂ ଓଡ୍ରାଫ ଟିମର ସାହସିକ କାମକୁ ଚାରିଆଡେ ପ୍ରଶଂସା କରାଯାଇଛି । କାରଣ ସେମାନଙ୍କ ଉଦ୍ୟମରେ ଜଣେ ୩ ବର୍ଷର ଶିଶୁ ନୂଆ ଜୀବନ ଫେରିପାଇଛି । ୧୧ ବର୍ଷ ତଳେ ହରିଆଣାରେ ୪ ବର୍ଷର ଶିଶୁ ପ୍ରିନ୍ସ ୫୦ ଫୁଟ ଗଭୀର ବୋରୱେଲ ଗାତରେ ଖସିପଡିଥିଲା । ପ୍ରିନ୍ସକୁ ସେତେବେଳେ ସଫଳତାର ସହ ଉଦ୍ଧାର କରାଯାଇଥିଲା । ଠିକ୍ ସେହି ଘଟଣା ପରି ଆଜି ଅନୁଗୁଳର ଗୋଳସାର ଗାଁରେ ୩ ବର୍ଷର ଶିଶକନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଛି ।

radhaଅନୁଗୁଳ ଜିଲ୍ଲା କିଶୋରନଗର ଗୋଳାସର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ବୋରୱେଲର ଗାତ ଭିତରେ ଲଟକି ରହିଥିଲା କୁନି ଜୀବନ । ଚାରିଆଡେ ହଇଚଇ ଖେଳିଗଲା । ମାତ୍ର ୮ ଇଂଚ ଗୋଲେଇର ଗଭୀର ଗାତ ଭିତରେ କୁନି ଜୀବନଟି ବଂଚି ରହିଥାଏ । କାନ୍ଦୁଥିବାର ଶବ୍ଦ ସମସ୍ତଙ୍କୁ ଆଶ୍ୱସ୍ତ କରୁଥାଏ ଯେ, ୩ ବର୍ଷର ଶିଶୁକନ୍ୟା ରାଧା ବଂଚିଛି । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଗଲା । ପ୍ରାୟ ଦେଢଘଂଟା ପରେ ଘଟଣାସ୍ଥଳରେ ପହଁଚିଗଲେ ଅଗ୍ନିଶମ ବିଭାଗ । ଓଡ୍ରାଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚିଗଲେ । ଆଉ ଆରମ୍ଭ ହେଲା ରାଧାର ରେସକ୍ୟୁ ଅପରେସନ୍ ।

ସକାଳ ପ୍ରାୟ ୧୦ଟା ସମୟରେ ଗାଁ ଦାଣ୍ଡରେ ରାଧା ଖେଳୁଥିବା ବେଳେ ବୁଝିପାରିନଥିଲା ଯେ ତାସହ ଏତେବଡ ଅଘଟଣ ଘଟିପାରେ । ଚଂଚଳ ମନରେ ତାର ବି ଧାରଣା ନଥାଏ, ପାଖରେ ଏକ ଅତିଗଭୀର ବୋରୱେଲର ଗାତ ରହିଛି । ହଠାତ୍ ଗୋଡ ଖସିଗଲା ଓ ରାଧା ସିଧା ଯାଇ ୧୭ ଫୁଟ୍ ତଳେ ଲାଖିଗଲା । ଭାଗ୍ୟ ଭଲ ଥିଲା ଯେ, ବୋରୱେଲର ଗାତ ଆହୁରି ଗଭୀର ଥିଲେ ମଧ୍ୟ ରାଧା, ଅଧାରେ ଲାଖିଯାଇଥିଲା । ରାଧାର ଶବ୍ଦ ଶୁଣି ଗାଁ ଲୋକେ ଦୈାଡି ଆସିବା ବେଳକୁ ରାଧା ଗାତ ଭିତରୁ ଚିକ୍ରାର କରୁଥିଲା ।

ଏହାର ପ୍ରାୟ ଦେଢ ଘଣ୍ଟା ପରେ ପହଞ୍ଚିଲା ଉଦ୍ଧାରକାରୀ ଦଳ । ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । ରାଧା ପଡିଯାଇଥିବା ବୋରୱେଲର ୬ ରୁ ୭ ଫୁଟ ଦୂରରେ ଆଉ ଏକ ଗାତ ଖୋଳାଗଲା । ୧୭ ଫୁଟ୍ ଖୋଳିବା ପରେ ରାଧା ପଡିଥିବା ବୋରୱେଲ ଗାତକୁ ଏହି ଗାତ ସହ ଏକ ସୁଡଙ୍ଗ କରି ସଂଯୋଗ କରାଗଲା । ଅତି ସତର୍କତାର ସହ ଅଗ୍ନିଶମ କର୍ମଚାରୀମାନେ ଏହି କାମ କରୁଥାନ୍ତି । ଏପଟେ ରାଧାର କାନ୍ଦିବା ଶବ୍ଦ ନିରନ୍ତର ଶୁଣାଯାଉଥାଏ । କିଛି ସମୟ ପରେ ସୁଡଙ୍ଗ ସଂଯୋଗ ହୋଇଯିବା ପରେ ରାଧାକୁ ଜଣେ ଅଗ୍ନିଶମ କର୍ମଚାରୀ ହାତରେ ଟେକି ଆଣିଲେ । ଆଉ ଏହି କୁନି ଜୀବନଟି ବଂଚିଗଲା ।

ଅଗ୍ନିଶମ ଓ ଓଡ୍ରାଫ ଟିମ୍ର ଏହି ସାହସିକ କାମ କୁନି ରାଧାର ଜୀବନ ବଂଚାଇଦେଲା । ଯେଉଁ ସତର୍କତାର ସହ ସେମାନେ କାମ କଲେ ଏବଂ ୩ ବର୍ଷର ଶିଶୁକୁ ଏକ ନୂଆ ଜୀବନ ଦେଲେ ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଉଦ୍ଧାରକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଅଗ୍ନିଶମ ଡିଜି ମଧ୍ୟ ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍କୁ ପ୍ରଶଂସା କରିଛନ୍ତି ।