ସତ କହିବ ବାବୁଲା ! ୯ ଦିନରେ ସୁସ୍ଥରୁ ଗୁରୁତର ହୋଇଗଲେ ସଂଗ୍ରାମୀଙ୍କ ଦାୟାଦ

29

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ବାପାମାଆ ସମ୍ମାନିତ ହେବା ପରେ କୁଆଡେ ଗାୟବ ହୋଇଗଲେ ପୁଅ । ଶେଷରେ ଗତକାଲି ଏକ ନାଟକୀୟ ଢଙ୍ଗରେ ପୁଅ ବାବୁଲା ପଣ୍ଡାଙ୍କୁ ରାସ୍ତାକଡରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଏହାପରେ ତାଙ୍କୁ ଗତକାଲି ରାତିରେ କଟକ ବଡ ଡାକ୍ତରଖାନା ପଠାଇ ଦିଆଗଲା । ଆହୁରି ଆଶ୍ଚର୍ଯ୍ୟ ଜନକ ଭାବେ ଆଜି ଡାକ୍ତର କହିଛନ୍ତି ବାବୁଲାଙ୍କ ମାନସିକ ଅବସ୍ଥା ଠିକ ନାହିଁ, ସେ ଠିକରେ କଥା କହିପାରୁ ନାହାନ୍ତି ଏବଂ ତାଙ୍କର କିଡନୀ ମଧ୍ୟ ଖରାପ ହୋଇଯାଇଛି । ହଠାତ୍ ୯ ଦିନ ଭିତରେ ବାବୁଲାଙ୍କ ସହ କଣ ଘଟିଲା, ତାହା ଏବେ ବି ରହସ୍ୟ ଘେରରେ ।

ସେପଟେ ବାବୁଲା ଉଦ୍ଧାର ହେବା ଖବର ଶୁଣି ପୁଅକୁ ଦେଖିବା ଲାଗି ଜୟପୁରରୁ କଟକ ଆସିଛନ୍ତି ମାଆ ସୁଜାତା ପଣ୍ଡା ଓ ସଂପର୍କୀୟ । ତେବେ ସ୍ୱାଧୀନତା ସଂଗ୍ରାମୀ ଦାୟାଦଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କେନ୍ଦ୍ରାଂଚଳ ଆରଡିସିଙ୍କ ସମେତ କଟକ ଜିଲ୍ଲାପାଳ ବଡ ମେଡିକାଲରେ ପହଂଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସାର ଅନୁଧ୍ୟାନ କରିଛନ୍ତି । ହେଲେ ଏବେ ବି ବାବୁଲାଙ୍କ ନିଖୋଜ ହେବା ପଛର ରହସ୍ୟ ଉପରୁ ପରଦା ହଟିପାରୁ ନାହିଁ ।

• ଦୀର୍ଘ ୯ ଦିନ ହେଲା ବାବୁଲା ପଣ୍ଡା ଥିଲେ କେଉଁଠି?
• ୧୬ରେ ସମ୍ବର୍ଦ୍ଧିତ ହେବା ପରେ କେଉଁଆଡେ ଚାଲିଗଲେ?
• ଭୁୁବନେଶ୍ୱରରେ ଥିବା ସତ୍ତେ୍ୱ ତାଙ୍କୁ ପୋଲିସ ପାଇଲାନାହିଁ କିପରି?
• ତାଙ୍କୁ ଲୁଚାଇ ରଖାଯାଇଥିବା ନେଇ ବିଜେପି ଅଭିଯୋଗର ସତ୍ୟତା ଅଛି କି?

୯ଦିନ ଧରି ବାବୁଲା ନିଖୋଜ ହେବା ଓ ନାଟକୀୟ ଢଙ୍ଗରେ ଉଦ୍ଧାର ହେବାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ସମ୍ବର୍ଦ୍ଧନା ପାଇଁ ରାଜଧାନୀ ଆସିଥିଲେ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ । ହେଲେ ଫେରିବା ସମୟରେ ଅଲଗା ହୋଇଗଲେ ଲକ୍ଷ୍ମୀ ପଣ୍ଡାଙ୍କ ଦାୟାଦ ପରିବାର ।

ସ୍ୱାମୀ ଓ ପୁଅଠାରୁ ଅଲଗା ହୋଇଗଲେ ବୋହୂ । ବାଲେଶ୍ୱରରୁ ଉଦ୍ଧାର ହୋଇ ଜୟପୁର ଫେରିଲେ । ଆଉ ସେହିଦିନରୁ ନିରୁଦ୍ଦିଷ୍ଟ ଥିବା ବାବୁଲା ପାଣ୍ଡା ଶେଷରେ ରାସ୍ତାକଡରୁ ଉଦ୍ଧାର ହେବା ଘଟଣା ସଂପୂର୍ଣ୍ଣ ରହସ୍ୟରେ ରହିଛି । ବାବୁଲା ସଂଜ୍ଞା ଫେରିପାଇଲେ, ସେ ହିଁ ପୁରା ଘଟଣା ଉପରୁ ପରଦା ହଟାଇ ପାରିବେ ।