ଅଣ୍ଡା ମାରିଲେ ଓମଲେଟ୍ କରିବି ! ବାବୁଲ ସୁପ୍ରିୟୋଙ୍କ ରୋଚକ ବୟାନ୍

52

କନକ ବ୍ୟୁରୋ : ମନ୍ତ୍ରୀ ନେତାଙ୍କ ଉପରେ ଅଣ୍ଡାମାଡ଼କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଅଣ୍ଡାର ଫଣ୍ଡା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସକୁ ଖୋଲା ଚ୍ୟାଲେଂଜ୍ ଦେଇ କହିଛନ୍ତି-ଅଣ୍ଡା ମାରିଲେ ଓମଲେଟ୍ କରିଦେବି । ଆଜି ଭଦ୍ରକ ଜିଲ୍ଲାରେ ଆୟୋଜିତ ସବ୍ କା ସାଥ୍ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିଥିବା ବାବୁଲ ଅଣ୍ଡାମାଡ଼ ଘଟଣାରେ ଉଭୟ ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି । ଆଉ କହିଛନ୍ତି- ଅଣ୍ଡା କେମିତି ଖାଆନ୍ତି ତାହା ଶିଖାଇବାକୁ ଆସିଛି । ତେବେ କେନ୍ଦ୍ରମନ୍ତ୍ରୀ ଏହି ଗସ୍ତକୁ ବିରୋଧ କରିବା ପାଇଁ କଂଗ୍ରେସ ପୁରା ପ୍ରସ୍ତୁତ ରହିଥିବା ବେଳେ ଏହାକୁ ପଣ୍ଡ କରିଦେଇଛି ପୁଲିସ୍ । ୮ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ସହ ଅଣ୍ଡା ଓ କଳାପତାକା ଜବତ କରିଛି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭଣ୍ଡାରୀପୋଖରୀର ଜଳମୁଣ୍ଡିଆ ଗାଁର ଭାସ୍କର ଜେନାଙ୍କ ଘରେ ପହଂଚିଥିଲେ । ଯେଉଁଠି କଦଳୀପତ୍ରରେ ଖାଇବା ସହ ଲୋକଙ୍କ ସହ ସୁଖଦୁଃଖ ଆଲୋଚନା କରିଥିଲେ । ଲୋକଙ୍କ ପାଇଁ ମୋଦି କରୁଥିବା ଯୋଜନା ସବୁ କେମିତି ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସ୍ ଲୋକଙ୍କ ପାଖରେ ପହଂଚିବ ନାହିଁ, ସେ ଉଦ୍ୟମ କରୁଥିବାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ବିରୋଧ କରାଯାଉଥିବା ବାବୁଲ ସୁପ୍ରିୟୋ କହିଛନ୍ତି ।

କେନ୍ଦ୍ରାପଡ଼ାରେ ଜୁଏଲଙ୍କ ଉପରେ ହୋଇଥିବା ଅଣ୍ଡାମାଡ଼ ଘଟଣାକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଏହି ଓମଲେଟ୍ ମନ୍ତବ୍ୟ ଉଭୟ ବିଜେପି ଓ କଂଗ୍ରେସର ମୁହଁ ବନ୍ଦ କରିଦେଇଛି ବୋଲି ଚର୍ଚ୍ଚା ହେଉଛି ।